centurian jitm

ବଡ଼ ପୁଅକୁ ହତ୍ୟା : ମା’ ସହ ଭାଇ ଓ ୨ଭଉଣୀ ଅଟକ

ନାକଟିଦେଉଳ : ରେଢ଼ାଖୋଲ ଥାନା ଡଇଁଚା ସୁବର୍ଣ୍ଣପାଲିରୁ ମାଟି ତଳୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ । ମୃତକ ହେଲେ ବାଦଲ ପ୍ରଧାନ(୨୪) । ତାଙ୍କ ଘର ପାଚେରୀ କଡ଼ରୁ ୪ ଫୁଟ ତଳୁ ମୃତଦେହ ମିଳିଛି । ତେଣୁ ଏହାକୁ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରୁଛି । ଏଥିରେ ପରିବାର ଲୋକଙ୍କ ହାତ ଥିବା ସନ୍ଦେହରେ ମା’, ଭାଇ ଓ ୨ ଭଉଣୀଙ୍କୁ ଅଟକ ରଖାଯାଇଛି । ଡଇଁଚା ପଞ୍ଚାୟତ ସୁବର୍ଣ୍ଣପାଲିରେ ବାଦଲ ପ୍ରଧାନଙ୍କ ପରିବାର ରୁହନ୍ତି । ତାଙ୍କର ୩ ଜଣ ସାନ ଭାଇ ଓ ୩ ଭଉଣୀ । ବାପା ପ୍ରାୟ ୨ ବର୍ଷ ହେବ ବାହାରେ ରହି କାମ କରନ୍ତି । ଏହାସହ ଅନ୍ୟ ୨ଜଣ ଭାଇ ମଧ୍ୟ ବାହାରେ ରୁହନ୍ତି । ଲୋକଙ୍କ କହିବା ଅନୁସାରେ, ପରିବାରରେ ନିୟମିତ କଳି ଝଗଡ଼ା ଲାଗି ରହେ । ଗତ ଶୁକ୍ରବାର ରାତିରେ ମଧ୍ୟ ଝଗଡ଼ା ହୋଇଥିବା ପଡ଼ୋଶୀ ଶୁଣିଥିଲେ । ହେଲେ ଏହା ନିତିଦିନିଆ ଘଟଣା ଭାବେ କେହି କିଛି କହିନଥିଲେ । କିନ୍ତୁ ଗତ ୩ ଦିନ ହେଲା ବଡ଼ ପୁଅ ବାଦଲଙ୍କ ଦେଖା ନ ଥିଲା । ଏହାସହ ଘର ପଛ ପଟୁ ଦୁର୍ଗନ୍ଧ ମଧ୍ୟ ହୋଇଥିଲା । ତେଣୁ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଆଜି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଗନ୍ଧ ହେଉଥିବା ସ୍ଥାନକୁ ଖୋଳିଥିଲା । ସେଠାରୁ ଏକ ଗଳିତ ଶବ ଉଦ୍ଧାର ହୋଇଥିଲା । ଘର ପଛ ପାଚେରୀକୁ ଲାଗି ୪ ଫୁଟ ତଳୁ ମୃତଦେହ ମିଳିଥିଲା । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ଏହି ହତ୍ୟାକାଣ୍ଡରେ ବାଦଲଙ୍କ ମା’, ଭାଇ ଓ ୨ ଭଉଣୀ ହାତ ଥିବା ପୋଲିସ ସନ୍ଦେହ କରୁଛି । ପ୍ରାଥମିକ ତଦନ୍ତରୁ ପରିବାର ସଦସ୍ୟ ବଡ଼ ପୁଅକୁ ହତ୍ୟା କରିଥିବା ନେଇ ତ୍ୱୀକାର କରିଛନ୍ତି । ସେମାନଙ୍କୁ ଅଟକ ରଖି ଅଧିକ ପଚରାଉଚରା କରାଯାଉଛି ବୋଲି ରେଢ଼ାଖୋଲ ଏସଡିପିଓ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.