ନରସିଂହ ଓ ସମରେନ୍ଦ୍ରଙ୍କ ବଲାଙ୍ଗିର ବ୍ଲକ ଗସ୍ତ : ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦ୍‌ଘାଟନ

  • ଆଦିବାସୀ ଓ ଚାଷୀ ବିରୋଧି ସରକାରଙ୍କ ବିରୁଦ୍ଧରେ ନରସିଂହଙ୍କ ହୁଙ୍କାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଓ ସମରେନ୍ଦ୍ର ମିଶ୍ର ବଲାଙ୍ଗିର ଜିଲ୍ଲା ଗସ୍ତ କରିବା ସହ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ବିଧାୟକ ଶ୍ରୀ ମିଶ୍ର କହିଛନ୍ତି ଯେ, ଦୀର୍ଘ ବର୍ଷରୁ ରାଜ୍ୟରେ ଚାଲିଥିବା ନବୀନ ସରକାର ଧିରେ ଧିରେ ଅହଙ୍କାରି ହୋଇ ଜନବିରୋଧି ହୋଇ ବସିଲାଣି । ଦୀର୍ଘ ବର୍ଷର ଶାସନ ପରେ ମଧ୍ୟ ରାଜ୍ୟର ଗରିବ ଜନସାଧାରଣଙ୍କ ଅବସ୍ଥାରେ କୌଣସି ପରିବର୍ତ୍ତନ ଆସୁନାହିଁ । ସର୍ବୋପରି ଆଦିବାସୀ ଓ ଚାଷୀଙ୍କ ଆର୍ଥିକ ମାନଦଣ୍ଡ ଧିରେ ଧିରେ ଭୁଷୁଡିବାରେ ଲାଗିଛି । ସମ୍ବିଧାନ ଅନୁସାରେ ଆଦିବାସୀ ପାଉଥିବା ଅଧିକାର ଗୁଡିକ ଏହି ସରକାରମାନେ ଶଙ୍କୁଚିତ କରିବାରେ ଲାଗିଛନ୍ତି । ତାଙ୍କ ରାଜନୈତିକ ଅଧିକାର ପ୍ରାୟତଃ ଏହି ନବୀନ ସରକାର ତାଙ୍କଠାରୁ ଛଡେଇ ନେଇ ସାରିଛନ୍ତି । ପଞ୍ଚାୟତିରାଜ ନିର୍ବାଚନରେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ କୋଟା ବନ୍ଦ କରି ଏମାନଙ୍କୁ ପଞ୍ଚାୟତ ସ୍ତରରେ ଥିବା ଆଦିବାସୀ ପ୍ରତିନିଧିତ୍ୱକୁ ବନ୍ଦ କରିଦେଇଛନ୍ତି । ତେଣୁ ଏହି ସରକାରକୁ ଆଦିବାସୀ ଓ ଦଳିତ ଲୋକେ ନିର୍ବାଚନ ମାଧ୍ୟମରେ ଆଗାମୀ ଦିନରେ ଜବାବ ଦିଅନ୍ତୁ ବୋଲି ବଲାଙ୍ଗିର ସଦର ବ୍ଲକ ଗସ୍ତ ସମୟରେ ମନହିରା ପଂଚାୟତର ମନହିରାଠାରେ ଏକ ସାଧାରଣ ସଭାରେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ଏଆଇସିସି ସଦସ୍ୟ ସମରେନ୍ଦ୍ର ମିଶ୍ର ଓ ନରସିଂହ ମିଶ୍ରଙ୍କ ଏହି ଗସ୍ତରେ ଉଭୟେ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତିର କଟୁ ସମାଲୋଚନା କରିଛନ୍ତି । ଧାନର ଅଭାବି ବିକ୍ରି ଉପଯୁକ୍ତ ସମୟରେ ଚାଷ ସମଗ୍ରୀ ଯଥା ବିହନ, ସାର ଯୋଗାଣ ନ କରିବା, ପ୍ରତିଶୃତି ସତ୍ୱେ ଜଳସେଚନର ସୁବିଧା ନ କରିବା, ଫସଲ ବୀମାରେ ଚଞ୍ଚକତା, ଦ୍ୱାରା ଚାଷୀ କ୍ରମାଗତ ଭାବରେ ଆର୍ଥିକ କ୍ଷତି ସହୁଛି ବୋଲି କ୍ଷୋଭର ସହ କହିଥିଲେ । ଏ ଅବସରରେ ଉଭୟ ନରସିଂହ ଓ ସମରେନ୍ଦ୍ର ମିଶ୍ରଙ୍କୁ ମନହୀରା, ଅମାମୁଣ୍ଡା, ଭଇଁସା, ତେଲପାଲି, ବଘାପାଲି ଏ ସବୁ ଗ୍ରାମରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏ ସମସ୍ତ ଅଂଚଳରେ ଏ ପଂଚାୟତ ଅନ୍ତର୍ଗତ ବିଭିନ୍ନ ଗାଁରେ ୧୬ ଗୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ଦେବା ସହ ତିନୋଟି ପ୍ରକଳ୍ପର ଉଦ୍‌ଘାଟନ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ହୋଇଥିଲା । ବିଭିନ୍ନ ଗାଁରେ ଲୋକେ ରାସ୍ତାଘାଟ, ପିଇବା ପାଣି ଓ ବିଜୁଳି ସମସ୍ୟାକୁ ନେଇ ବିଧାୟକ ଶ୍ରୀ ମିଶ୍ରଙ୍କୁ ବିଭିନ୍ନ ଦାବି ଜଣାଇଥିଲେ । ଯାହାକି ଆଗାମୀ ନିର୍ବାଚନ ପୂର୍ବରୁ ଏ ସମସ୍ୟା ସମାଧାନ ଦିଗରେ ନିଶ୍ଚିତ ପଦକ୍ଷେପ ନିଆଯିବ ବୋଲି ବିଧାୟକ ଶ୍ରୀ ମିଶ୍ର ପ୍ରତିଶୃତି ଦେଇଥିଲେ । ଏ ସମସ୍ତ କାର୍ଯ୍ୟକ୍ରମରେ ମନହିରା ସରପଂଚ ରମ୍ଭା ରଣା, ଲୋକେଶ୍ୱର ଭୋଇ, ଲକ୍ଷ୍ମୀନାରାୟଣ ନାଏକ, ଚୁଡାମଣି ପୁଟେଲ, ରବିନ୍ଦ୍ର କଏଣ୍ଡା, ଚକ୍ର କୁଅଁର, ଗୌରୀ ସା, ସୁରେନ୍ଦ୍ର ରଣା, ଉତ୍ତର ସା, ତୁଷାରକାନ୍ତ ମିଶ୍ର, ବ୍ଲକ ସଭାପତି ରାମ ମିଶ୍ର, ଶ୍ରୀଧର ବାରିକ, ରାଧାକାନ୍ତ ଭୋଇ, ମଛିନ୍ଦ୍ର ମହାକୁର, ହିମାଂଶୁ ନାଗ, ବେଣୁଧର କୁଅଁର, କିଶୋର ସିଂ ନିନା, କୁମାରେଶ ବଡକା, ସୁବଲ ରଣା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.