ପୁଣି ଚର୍ଚ୍ଚାରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ : ଲାଗିଲା ଗୋଟିଏ ରୋଗୀଙ୍କୁ ଅନ୍ୟ ରୋଗୀଙ୍କ ସଲାଇନ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ ଆରମ୍ଭ ହେବା ଦିନ ଠୁ ଚର୍ଚ୍ଚାରେ ରହି ଆସୁଛି । କେତେବେଳେ ନର୍ସମାନଙ୍କର ହରିଲୁଟ୍‌ ଘଟଣା ତ’ ଆଉ କେତେବେଳେ ଡାକ୍ତରଙ୍କ ଅଣଦେଖା ସମସ୍ୟା ! ଆଜି ପୁଣି ଚର୍ଚ୍ଚାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ । ମେଡିସିନ୍‌ ୱାର୍ଡରେ ଜଣେ ରୋଗୀକୁ ଅନ୍ୟ ଜଣକ ମେଡ଼ିସିନ ମିଶା ସାଲାଇନ୍ ଦିଆଯାଇଥିବା ଆଭିଯୋଗ ହୋଇଛି । ସୂଚନାରୁ ପ୍ରକାଶ ଯେ, ମେଡ଼ିସିନ ମେଲ ୱାର୍ଡର ୪୮ ନମ୍ବର ବେଡ୍‌ର ଖେଡୁ ସାମଲକୁ ୪୯ ନମ୍ୱର୍ ବେଡ୍‌ର ରୋଗୀ ହରି ମହାନନ୍ଦଙ୍କ ସଲାଇନ ଦିଆଯାଇଛି । ଖେଡୁ ପେଟ ବ୍ୟଥା ପାଇଁ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ହରି କିଡନୀ ରୋଗରେ ଆକ୍ରାନ୍ତ । ଜଣେ କିଡନୀ ରୋଗୀର ଔଷଧ ମିଶା ସାଲାଇନ୍‌ ଦିଆଯାଇ ଥିବାରୁ ଖେଡ଼ୁର ପରିବାର ଲୋକେ ଭୟଭୀତ ହୋଇ ପଡିଛନ୍ତି । କାଳେ ପାର୍ଶ୍ଵ ପ୍ରତିକ୍ରିୟା କ’ଣ ହୋଇଯିବ, ସେନେଇ ଚିନ୍ତାରେ ରହିଛନ୍ତି ପରିବାର । ସଲାଇନ୍‌ରେ ରୋଗୀଙ୍କ ନାଁ ଲେଖାଥିବା ସତ୍ୱେ ନର୍ସଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଏଭଳି ଘଟଣା ଘଟିଥିବା ପରିବାର ବର୍ଗ ଅଭିଯୋଗ କରିଛନ୍ତି । ତେବେ ସଲାଇନ୍‌ରେ ହରି ମହାନନ୍ଦଙ୍କ ନାମ ଲେଖା ହୋଇଥିବା ସତ୍ତ୍ଵେ କେମିତି ସେହି ଔଷଧ ମିଶା ସାଲାଇନ ଖେଡୁକୁ ଦିଆଗଲା, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ ଘଟଣାକୁ ସ୍ୱୀକାର କରିଛନ୍ତି ଦାୟିତ୍ୱରେ ଥିବା ମେଡ଼ିସିନ୍ ବିଶେଷଜ୍ଞ ସି. ମାରାଣ୍ଡି । ହେଲେ ଏଭଳି ଭୂଲ ବଡ଼ ମେଡ଼ିକାଲରେ ହେବା କଥା ନୁହଁ ବୋଲି କହିଛନ୍ତି ମେଡିସିନ ବିଶେଷଜ୍ଞ । ଏହି ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରିବା ସହ ମେଡ଼ିକାଲ ଅଧିକ୍ଷକ ଏ ଉପରେ ତଦନ୍ତ କରିବା କଥା ବୋଲି ସେ କହିଛନ୍ତି । ଆହୁରି ଏନେଇ ବିଭାଗୀୟ ମୁଖ୍ୟଙ୍କୁ ଲିଖିତ ଭାବେ ଜଣାଇବାକୁ ଡାକ୍ତର ମାରାଣ୍ଡି ସାମ୍ବାଦିକଙ୍କୁ କହିଛନ୍ତି ।

Leave A Reply

Your email address will not be published.