ଗଣେଶ ପୂଜା ଭସାଣିରେ ଡିଜେ ମନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଣେଶ ପୂଜାକୁ ଶାନ୍ତିଶୃଙ୍ଖଳାର ସହିତ ପାଳନ ନିମନ୍ତେ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ବୈଠକରେ ଡିଜେ ବାରଣ କରାଯାଇଛି । ପୂଜା ପ୍ରକ୍ରିୟା ଆରମ୍ଭରୁ ଶେଷ ଯାଏଁ ଏହାକୁ ବାରଣ କରାଯାଇଛି । ଅଧିକରୁ ଅଧିକ ଲୋକଙ୍କ ସ୍ଵାର୍ଥ ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଉଛି । ଜିଲ୍ଲାପାଳଙ୍କ ଏହି ଅର୍ଡର ପୂଜା ପ୍ରକ୍ରିୟା ଶେଷ ହେବା ଯାଏଁ ବଳବତ୍ତର ରହିବ । ଭସାଣି, ସଙ୍ଗୀତ ନାଇଟ ସମସ୍ତ କାର୍ଯ୍ୟକ୍ରମରେ ଏହା ବନ୍ଦ ରହିବ । ଉଚ୍ଚ ଶବ୍ଦ ଛୋଟ ଛୁଆ, ପଶୁ ପକ୍ଷୀ, ବୃଦ୍ଧବୃଦ୍ଧା, ମହିଳାଙ୍କ ସ୍ଵାସ୍ଥ୍ୟ ପକ୍ଷେ ଅହିତକର । ବିଭିନ୍ନ ପୂଜା କମିଟିର ସଦସ୍ୟ, ପୋଲିସ, ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଜିଲ୍ଲାରେ କିଭଳି ସୁରୁଖୁରୁରେ ଗଣେଶ ପୂଜା ଆୟୋଜିତ ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ସେପ୍ଟେମ୍ବର ୭ ତାରିଖ ଦିନ ପାଳନ ହେବାକୁ ଥିବା ଗଣେଶ ପୂଜା ଲାଗି ବଲାଙ୍ଗିର ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଇନଶୃଙ୍ଖଳା ଏବଂ ଟ୍ରାଫିକ ପରିଚାଳନାକୁ ସୁବ୍ୟବସ୍ଥିତ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ଲୁପ୍ରିଂଟ ତିଆରି କରାଯାଇଛି । ସ୍ଥାନୀୟ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ସମସ୍ତ କଟକଣାକୁ ମଧ୍ୟ ପୂଜା କମିଟିମାନଙ୍କୁ ମାନିବାକୁ ପଡିବ । ସରକାରୀ ନିୟମାବଳୀର କିଭଳି ପାଳନ ହୋଇପାରିବ ତାହାର ସମ୍ପୂର୍ଣ୍ଣ ଦାୟିତ୍ୱ ପୂଜା କମିଟିମାନେ ନେବେ । ସମସ୍ତ ନୀତି ନିୟମ ମଧ୍ୟରେ ରହି ଗଣେଶ ପୂଜା ପାଳନ ନିମନ୍ତେ ଉପସ୍ଥିତ ପୂଜା କମିଟି ସଦସ୍ୟମାନଙ୍କ ସହଯୋଗ କାମନା କରିଥିଲେ ।

Leave A Reply

Your email address will not be published.