ଡିଜିଟାଲ ସଶକ୍ତ ଭାରତରେ ସାଇବର ଠକେଇ ନିୟନ୍ତ୍ରଣ

• ବର୍ତ୍ତମାନ ୮୬% ପରିବାର ପାଖରେ ଇଣ୍ଟରନେଟ୍ ସଂଯୋଗ ରହିଛି
• ଭାରତରେ ସାଇବର ସୁରକ୍ଷା ଘଟଣା ୨୦୨୨ରେ ୧୦.୨୯ ଲକ୍ଷରୁ ବୃଦ୍ଧି ପାଇ ୨୦୨୪ରେ ୨୨.୬୮ ଲକ୍ଷରେ ପହଞ୍ଚିଛି
• ସାଇବର ସୁରକ୍ଷା ପ୍ରକଳ୍ପ ଲାଗି କେନ୍ଦ୍ର ବଜେଟ୍ ୨୦୨୫-୨୬ରେ ୭୮୨ କୋଟି ଟଙ୍କା ଆବଣ୍ଟନ କରାଯାଇଛି
• ସାଇବର ଠକେଇ ସହ ଜଡ଼ିତ ୯.୪୨ ଲକ୍ଷରୁ ଅଧିକ ସିମ୍ କାର୍ଡ ଏବଂ ୨,୬୩,୩୪୮ ଆଇଏମଇଆଇକୁ ବନ୍ଦ କରାଯାଇଛି
• ତୁରନ୍ତ ସାଇବର ସୁରକ୍ଷା ସହାୟତା ଲାଗି ଏକ ସ୍ୱତନ୍ତ୍ର ୧୯୩୦ ହେଲ୍ପଲାଇନ ନମ୍ବର ପ୍ରସ୍ତୁତ କରାଯାଇଛି

ନୂଆଦିଲ୍ଲୀ, (ପିଆଇବି) : ‘‘ମୁଁ ଏପରି ଏକ ଡିଜିଟାଲ ଇଣ୍ଡିଆର ସ୍ୱପ୍ନ ଦେଖିଥାଏ ଯେଉଁଠି ସାଇବର ସୁରକ୍ଷା ଆମ ରାଷ୍ଟ୍ରୀୟ ସୁରକ୍ଷାର ଅଭିନ୍ନ ଅଙ୍ଗ ହେବ ।’’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଉକ୍ତି ଦେଶରେ ସାଇବର ଠକେଇ ନିୟନ୍ତ୍ରଣ ଲାଗି ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ । ଭାରତର ସାଇବର କ୍ଷେତ୍ର ବର୍ତ୍ତମାନ ସବୁଠୁ ବ୍ୟସ୍ତବହୁଳ ସମୟ ଦେଇ ଗତି କରୁଛି । ପ୍ରତ୍ୟେକ ଦିନ କୋଟି କୋଟି କାରବାର ଏବଂ ବିନିମୟ ହେଉଛି । ଏବେ ଦେଶର ୮୬% ପରିବାର ପାଖରେ ଇଣ୍ଟରନେଟ୍ ସଂଯୋଗ ରହିଛି । ଏହା ଡିଜିଟାଲ ଇଣ୍ଡିଆ ଅଭିଯାନର ଅଭୂତପୂର୍ବ ପ୍ରଗତିକୁ ଦର୍ଶାଉଛି । ବର୍ଦ୍ଧିତ ଡିଜିଟାଲ ପରିସର ନାଗରିକମାନଙ୍କୁ ସେମାନଙ୍କ ହାତ ପାଆନ୍ତାରେ ଡିଜିଟାଲ ସେବାର ଉପଲବ୍ଧତା ସହଜ କରିଛି । ତେବେ ଏସବୁ ମଧ୍ୟରେ, ସାଇବର ଠକେଇ ଭଳି ଘଟଣା ଚିନ୍ତାର କାରଣ ପାଲଟିଛି । ସୁତରାଂ, ସାଇବର ସୁରକ୍ଷା ଏକ ଜାତୀୟ ପ୍ରାଥମିକତା ପାଲଟିଛି । ବେଆଇନ ଭାବେ ଡିଜିଟାଲ ପ୍ଲାଟଫର୍ମଗୁଡ଼ିକୁ ଆକ୍ସେସ୍ କରିବା, ଡାଟା ବା ତଥ୍ୟ ଚୋରି କରିବା କିମ୍ବା ଅନଲାଇନ୍ ସ୍କାମ୍ ଆଦିକୁ ସାଧାରଣତଃ ସାଇବର ଠକେଇ କୁହାଯାଏ। ଏହାଦ୍ୱାରା ପୀଡ଼ିତମାନେ ପ୍ରାୟତଃ ଆର୍ଥିକ କ୍ଷତି ଏବଂ ମାନସିକ ଅଶାନ୍ତିର ସାମ୍ନା କରନ୍ତି । ସାଇବର ସୁରକ୍ଷା ଘଟଣା ୨୦୨୨ରେ ୧୦.୨୯ ଲକ୍ଷ ଥିବା ବେଳେ ୨୦୨୪ରେ ଏହା ୨୨.୬୮ ଲକ୍ଷକୁ ବୃଦ୍ଧି ପାଇଛି । ଏହି ଧାରା ଭାରତରେ ଡିଜିଟାଲ ବିପଦର ବ୍ୟାପକତା ଏବଂ ଜଟିଳତାକୁ ପ୍ରଦର୍ଶିତ କରିଥାଏ । ଜାତୀୟ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲ (ଏନସିଆରପି)ର ତଥ୍ୟ ମୁତାବକ ୨୮ ଫେବୃଆରୀ ୨୦୨୫ ସୁଦ୍ଧା ୩୬.୪୫ ଲକ୍ଷ ଟଙ୍କାର ସାଇବର ଠକେଇ ହୋଇଛି । ଯଦିଓ ଏହି ସମସ୍ୟା ଦିନକୁ ଦିନ ବଢ଼ୁଛି ତଥାପି ଦେଶରେ ସାଇବର ଠକେଇକୁ ଠାବ କରିବା ଏବଂ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ବ୍ୟବସ୍ଥା ମଧ୍ୟ ସୁଦୃଢ଼ ହୋଇଛି । ସାଇବର ଠକେଇ କେବଳ ଗୋଟିଏ ଦୁଇଟି ପଦ୍ଧତି ମଧ୍ୟରେ ସୀମିତ ନାହିଁ । ବରଂ ନୂଆ ନୂଆ ପ୍ରଯୁକ୍ତି ଏବଂ ବ୍ୟବହାରକାରୀଙ୍କ ଆଚରଣକୁ ଆଧାର କରି ସାଇବର ଅପରାଧୀମାନେ ଠକେଇ ପାଇଁ ନୂଆ ନୂଆ ଉପାୟ ଏବଂ ପଦ୍ଧତି ଅବଲମ୍ବନ କରୁଛନ୍ତି । ଏଥିଯୋଗୁ ହେଉଥିବା ଆର୍ଥିକ କ୍ଷତି ସାଇବର ଠକମାନଙ୍କର ବିଶ୍ୱସ୍ତରୀୟ ପହଞ୍ଚ ଏବଂ ସଂଗଠିତ ଅପରାଧର ସଂକେତ ଦେଉଛି । ଅଧିକାଂଶ ଠକଙ୍କ ମୂଳ ଠିକଣା ଦକ୍ଷିଣପୂର୍ବ ଏସିଆ ହୋଇଥିବା ଜଣାପଡ଼ିଛି । ସ୍ପୁଫିଂ ଭଳି ପଦ୍ଧତି ବ୍ୟବହାର କରି ଅପରାଧୀମାନେ ବିଶ୍ୱସ୍ତ ଉତ୍ସର ପରିଚୟ ଦେଇ ଏକାଧିକ ଠକେଇ କରୁଛନ୍ତି । ଏଆଇ ବ୍ୟବହାର କରି ଡିପଫେକର ଉପଯୋଗ ଏବଂ ଫିଶିଂ ଭଳି ମାମଲାରେ ଅପରାଧୀମାନେ ଜାଲ୍ ଇମେଲ୍ କିମ୍ବା ମେସେଜ୍ ପଠେଇ ବ୍ୟବହାରକାରୀଙ୍କ ଠାରୁ ସମ୍ବେଦନଶୀଳ ତଥ୍ୟ ଚୋରି କରି ନେଉଛନ୍ତି । ୟୁପିଆଇ ବର୍ତ୍ତମାନ ଦେଶର ସବୁଠୁ ପସନ୍ଦଯୋଗ୍ୟ ଡିଜିଟାଲ ଅର୍ଥପୈଠ ମାଧ୍ୟମ ପାଲଟିଛି । ତେବେ ଠକମାନେ ବେଆଇନ ମୋବାଇଲ ନମ୍ବର ଜରିଆରେ ୟୁପିଆଇରେ ଆର୍ଥିକ ଠକେଇ କରୁଛନ୍ତି । ଦୂରସଞ୍ଚାର ବିଭାଗ ଏଥିପାଇଁ ଏକ ଆର୍ଥିକ ଠକେଇ ବିପଦ ସୂଚକ (ଏଫଆରଆଇ) ପ୍ରଚଳନ କରିଛି । ଏଥିରେ ସନ୍ଦିଗ୍ଧ ମୋବାଇଲ ନମ୍ବରଗୁଡ଼ିକୁ ମଧ୍ୟମ, ଉଚ୍ଚ କିମ୍ବା ଅତି ଉଚ୍ଚ ବିପଦ ବର୍ଗରେ ବର୍ଗୀକୃତ କରାଯାଇଛି । ଅନଲାଇନ ବେଟିଂ ଓ ଗେମିଂ ଆପ୍ ଜରିଆରେ ମଧ୍ୟ ପ୍ରାୟ ୪୦୦ କୋଟି ଟଙ୍କାର ଆର୍ଥିକ ଠକେଇ ଅଭିଯୋଗ ଆସିଛି । ତେବେ ଏହାର ମୁକାବିଲା ଲାଗି ଭାରତ ସରକାର ୨୧ ଅଗଷ୍ଟ ୨୦୨୫ରେ ଅନଲାଇନ୍ ଗେମିଂ ପ୍ରୋତ୍ସାହନ ଏବଂ ନିୟନ୍ତ୍ରଣ ଆଇନ ୨୦୨୫ ପ୍ରଣୟନ କରିଛନ୍ତି । ଏହି ବିଧେୟକ ଜରିଆରେ ଅନଲାଇନ୍ ଜୁଆ ଏବଂ ସଟ୍ଟାବାଜିକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ଆର୍ଥିକ କାରବାର ସମ୍ପୃକ୍ତ ଥିବା ସବୁପ୍ରକାର ଅନଲାଇନ ମନି ଗେମିଂର ପ୍ରଚାରପ୍ରସାର, ବିଜ୍ଞାପନ ଏବଂ ଆର୍ଥିକ କାରବାର ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ ହୋଇଛି । ଅନଲାଇନ ନାଗରିକମାନଙ୍କୁ ସୁରକ୍ଷା ଦେବା ଲାଗି ଭାରତ ସରକାର ଏକ ଦୃଢ଼ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି । ସାଇଟ୍ରେନ୍ ପୋର୍ଟାଲ ମାଧ୍ୟମରେ ଛାମୁଆଁ ପୁଲିସ କର୍ମୀମାନଙ୍କୁ ସାଇବର ଅପରାଧର ତଦନ୍ତ କରିବା ଲାଗି ଦକ୍ଷତା ପ୍ରଶିକ୍ଷଣ ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ଏହି ପୋର୍ଟାଲରେ ୧,୦୫,୭୯୬ ପୁଲିସ ଅଧିକାରୀ ପଞ୍ଜୀକରଣ କରିଥିବା ବେଳେ ୮୨,୭୦୪ ଜଣଙ୍କୁ ତାଲିମ ଓ ପ୍ରମାଣପତ୍ର ଦିଆଯାଇଛି । ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସାଇବର ଆଇନ ମଧ୍ୟ ସାଇବର କ୍ଷେତ୍ରକୁ ଅଧିକ ସୁରକ୍ଷିତ କରିଛି । ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ, ୨୦୦୦ ଭାରତର ସାଇବର ଆଇନ ଢାଞ୍ଚାର ମୂଳଦୁଆ ଭାବରେ କାର୍ଯ୍ୟ କରେ । ଏହା ପରିଚୟ ଚୋରି, ପ୍ରତିରୂପଣ, କମ୍ପ୍ୟୁଟର ସମ୍ବଳ ମାଧ୍ୟମରେ ଦ୍ୱାରା ଠକେଇ ଏବଂ ଅଶ୍ଳୀଳ କିମ୍ବା କ୍ଷତିକାରକ ସାମଗ୍ରୀର ପ୍ରସାରଣ ଭଳି ଅପରାଧ ମୁକାବିଲା କରିଥାଏ । ସୂଚନା ପ୍ରଯୁକ୍ତିବିଦ୍ୟା (ମଧ୍ୟସ୍ଥ ମାର୍ଗଦର୍ଶିକା ଏବଂ ଡିଜିଟାଲ୍ ମିଡିଆ ଆଚାର ସଂହିତା) ନିୟମ, ୨୦୨୧ ସାମାଜିକ ଗଣମାଧ୍ୟମ ମଧ୍ୟସ୍ଥ, ଡିଜିଟାଲ୍ ପ୍ଲାଟଫର୍ମ ଏବଂ ଅନଲାଇନ୍ ବଜାରରେ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରେ । ଏହା ଏଆଇ ସମେତ ପରିବର୍ତ୍ତନଶୀଳ ପ୍ରଯୁକ୍ତିର ଅପବ୍ୟବହାରକୁ ରୋକିଥାଏ ଏବଂ ଏସବୁ ପ୍ଲାଟଫର୍ମରୁ ବେଆଇନ ବିଷୟବସ୍ତୁ ଅପସାରଣକୁ ବାଧ୍ୟତାମୂଳକ କରେ । ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଆଇନ, ୨୦୨୩ ସମସ୍ତ ବ୍ୟକ୍ତିଗତ ତଥ୍ୟକୁ ଆଇନଗତ ଭାବରେ ଏବଂ ଉପଭୋକ୍ତା ସମ୍ମତି ସହିତ ପରିଚାଳନା କରିଥାଏ । ଏହା ଭାରତର ଡିଜିଟାଲ୍ ପରିଦୃଶ୍ୟକୁ ସମସ୍ତଙ୍କ ପାଇଁ ସୁରକ୍ଷିତ ଏବଂ ଅଧିକ ଦାୟିତ୍ୱସମ୍ପନ୍ନ କରିଥାଏ । ଏହି ଆଇନ ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ଠକେଇ କାର୍ଯ୍ୟକଳାପ ସହିତ ଜଡିତ ୯.୪୨ ଲକ୍ଷରୁ ଅଧିକ ସିମ୍ କାର୍ଡ ଏବଂ ୨,୬୩,୩୪୮ ଆଇଏମଇଆଇକୁ ବନ୍ଦ କରାଯାଇଛି । ଭାରତୀୟ କମ୍ପ୍ୟୁଟର ଜରୁରୀକାଳୀନ ପ୍ରତିକ୍ରିୟା ଦଳ (ସିଇଆରଟି-ଇନ୍) ହେଉଛି ସାଇବର ସୁରକ୍ଷା ଘଟଣାଗୁଡ଼ିକର ମୁକାବିଲା ପାଇଁ ଏକ ଜାତୀୟ ଏଜେନ୍ସି । ଏହା ସାଇବର ବିପଦ ଉପରେ ନଜର ରଖେ, ବିପଦ ଚିହ୍ନଟ କରେ ଏବଂ ଆବଶ୍ୟକ ପରାମର୍ଶ ଜାରି କରେ । ମାର୍ଚ୍ଚ ୨୦୨୫ ସୁଦ୍ଧା, ସିଇଆରଟି-ଇନ୍ ୧୦୯ଟି ସାଇବର ସୁରକ୍ଷା ମକ୍ ଡ୍ରିଲ୍ ସୁବିଧା ଦେଇଛି ଯେଉଁଥିରେ ବିଭିନ୍ନ ରାଜ୍ୟ ଏବଂ କ୍ଷେତ୍ରର ୧,୪୩୮ଟି ସଂଗଠନ ସାଇବର ପ୍ରସ୍ତୁତି ମୂଲ୍ୟାଙ୍କନ ଏବଂ ଦୃଢ଼ତା ନିର୍ମାଣ ପାଇଁ ସାମିଲ ହୋଇଥିଲେ । ଭାରତରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଭିତ୍ତିଭୂମିର ସୁରକ୍ଷା ପାଇଁ ଜାତୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା ଭିତ୍ତିଭୂମି ସୁରକ୍ଷା କେନ୍ଦ୍ର ଗଠନ କରାଯାଇଛି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ପ୍ରତିଷ୍ଠିତ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (ଆଇଫୋର୍ସି), ଆଇନ ପ୍ରବର୍ତ୍ତନ ଏଜେନ୍ସିଗୁଡ଼ିକୁ ସଂଗଠିତ ଏବଂ ସମନ୍ୱିତ ଭାବରେ ସାଇବର ଅପରାଧର ମୁକାବିଲା କରିବା ପାଇଁ ଏକ ବ୍ୟାପକ ଢାଞ୍ଚା ପ୍ରଦାନ କରେ । ଆଇଫୋର୍ସି ଏବେ ସୁଦ୍ଧା, ସାଇବର ଠକେଇ ସହିତ ଜଡିତ ୩,୯୬୨ ସ୍କାଏପେ ଆଇଡି ଏବଂ ୮୩,୬୬୮ ହ୍ୱାଟ୍ସଆପ୍ ଆକାଉଣ୍ଟକୁ ସକ୍ରିୟ ଭାବରେ ବନ୍ଦ କରିଛି । ଭାରତର ସାଇବର ପ୍ରତିରକ୍ଷାକୁ ସୁଦୃଢ଼ କରିବା ପାଇଁ, କେନ୍ଦ୍ରୀୟ ବଜେଟ୍ ୨୦୨୫ ରେ ସାଇବର ସୁରକ୍ଷା ପ୍ରକଳ୍ପ ପାଇଁ ୭୮୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ନାଗରିକ ଆର୍ଥିକ ସାଇବର ଠକେଇ ଅଭିଯୋଗ ଏବଂ ପରିଚାଳନା ବ୍ୟବସ୍ଥା ଜରିଆରେ, ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ୧୭.୮୨ ଲକ୍ଷରୁ ଅଧିକ ଅଭିଯୋଗରେ ୫,୪୮୯ କୋଟି ଟଙ୍କାରୁ ଅଧିକ ବଞ୍ଚାଇ ପାରିଛନ୍ତି । ଜାତୀୟ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲ ମାଧ୍ୟମରେ ଏକ ଉତ୍ସର୍ଗୀକୃତ ସାଇବର ଅପରାଧ ସହାୟତା ନମ୍ବର ୧୯୩୦ ଯୋଗାଇ ଦିଆଯାଇଛି । ଏହା ତୁରନ୍ତ ଅଭିଯୋଗ, ଠକେଇ କାରବାରକୁ ବନ୍ଦ କରିବାରେ ସହାୟକ ହେଉଛି । ବହୁବିଷୟକ ସାଇବର ଭୌତିକ ପ୍ରଣାଳୀ ଉପରେ ଜାତୀୟ ମିଶନ ସାଇବର ସୁରକ୍ଷା, ଏଆଇ ଇତ୍ୟାଦି କ୍ଷେତ୍ରରେ ଉନ୍ନତ ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହିତ କରି ସାଇବର ଠକେଇର ମୁକାବିଲା କରୁଛି । ମହିଳା ଏବଂ ଶିଶୁଙ୍କ ବିରୋଧରେ ସାଇବର ଅପରାଧ ନିରାକରଣ ଯୋଜନା ଜରିଆରେ ୧୩୨.୯୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହା ମାଧ୍ୟମରେ ସାଇବର ଅପରାଧ ଫୋରେନସିକ ତାଲିମ ପରୀକ୍ଷାଗାର ପ୍ରତିଷ୍ଠା କରାଯାଇଛି । ଏବେ ସୁଦ୍ଧା ୨୪,୬୦୦ ଜଣଙ୍କୁ ସାଇବର ଅପରାଧ ତଦନ୍ତ ସମ୍ପର୍କରେ ତାଲିମ ଦିଆଯାଇଛି । ସାଇବର ବିପଦ ପରିଚାଳନା ଯୋଜନା, ସମନ୍ୱୟ ପ୍ଲାଟଫର୍ମ, ସହଯୋଗ ପୋର୍ଟାଲ, ପ୍ରତିବିମ୍ବ ମଡ୍ୟୁଲ ଆଦି ପଦକ୍ଷେପ ନିଆଯାଇଛି । ଏହା ଜରିଆରେ ୧୨,୯୮୭ ଅପରାଧୀଙ୍କୁ ଗିରଫ କରାଯାଇଛି । ସେହିପରି ୧,୫୧,୯୮୪ ଅପରାଧିକ ସମ୍ପର୍କ ଠାବ ଏବଂ ୭୦,୫୮୪ ସାଇବର ତଦନ୍ତ ଆରମ୍ଭ କରାଯାଇ ସାଇବର ଠକେଇ ନେଟୱର୍କକୁ ଦକ୍ଷତା ପୂର୍ବକ ମୁକାବିଲା କରାଯାଇଛି । ଭାରତୀୟ ଜାତୀୟ ସାଇବର ସୁରକ୍ଷା ଅଭ୍ୟାସ ୨୧ ଜୁଲାଇରୁ ୦୧ ଅଗଷ୍ଟ ୨୦୨୫ ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଯାହା ଭାରତର ସାଇବର ସ୍ଥିତିକୁ ସୁଦୃଢ଼ କରିବା ଲାଗି ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରିଛି । ୮ରୁ ୧୧ ଅକ୍ଟୋବର, ୨୦୨୫ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଯଶୋଭୂମି ଠାରେ ଅନୁଷ୍ଠିତ ହେଉଥିବା ନବମ ଇଣ୍ଡିଆ ମୋବାଇଲ କଂଗ୍ରେସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଛନ୍ତି । ଏଥିରେ ମଧ୍ୟ ସାଇବର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଛି । ୬ଜି, ସାଇବର ସୁରକ୍ଷା, ସାଟେଲାଇଟ୍ କମ୍ୟୁନିକେସନ, ଆଇଓଟି, ଦୂରସଞ୍ଚାର ଉତ୍ପାଦ ଆଦି ବିଷୟ ଉପରେ ମୁଖ୍ୟତଃ ଆଲୋଚନା ହେଉଛି । ଏଥିରେ ୭ହଜାରରୁ ଅଧିକ ଅନ୍ତର୍ଜାତୀୟ ପ୍ରତିନିଧିଙ୍କ ସମେତ ଦେଢ଼ ଲକ୍ଷ ଅତିଥି ଯୋଗ ଦେଇ ବିଭିନ୍ନ ବିଷୟରେ ଆଲୋଚନା କରୁଛନ୍ତି । ଭାରତରେ ଦ୍ରୁତ ୫ଜି କାର୍ଯ୍ୟକାରୀ ହେଉଥିବା ବେଳେ ୧୨୦ କୋଟିରୁ ଅଧିକ ମୋବାଇଲ ଉପଭୋକ୍ତା ଏବଂ ୯୭୦ ନିୟୁତ ଇଣ୍ଟରନେଟ ବ୍ୟବହାରକାରୀ ଅଛନ୍ତି । ଏଭଳି ସ୍ଥିତିରେ ସୁରକ୍ଷିତ, ସମାବେଶୀ ଏବଂ ବ୍ୟାପକ ଡିଜିଟାଲ ଇକୋସିଷ୍ଟମ ଭାରତକୁ ବିଶ୍ୱସ୍ତ ଏବଂ ପରିବର୍ତ୍ତନକାରୀ ଡିଜିଟାଲ ଭିତ୍ତିଭୂମି ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ରୂପେ ପ୍ରତିଷ୍ଠିତ କରିବ । ସରକାର ମଧ୍ୟ ସାଇବର ଅପରାଧ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ସମ୍ବାଦପତ୍ର, ରେଡିଓ ଏବଂ ଅନ୍ୟାନ୍ୟ ଗଣମାଧ୍ୟମରେ ସଚେତନତା ଅଭିଯାନ କାର୍ଯ୍ୟକାରୀ କରୁଛନ୍ତି । ମାଇଗଭ୍ ପ୍ଲାଟଫର୍ମ ଜରିଆରେ ସାଇବର ସୁରକ୍ଷା ଲାଗି ସଚେତନତା ସୃଷ୍ଟି କରାଯାଉଛି । ସଚେତନତା ସୃଷ୍ଟି ଲାଗି ସାମାଜିକ ଗଣମାଧ୍ୟମର ମଧ୍ୟ ଉପଯୋଗ କରାଯାଉଛି । ଡିଜିଟାଲ ଇଣ୍ଡିଆର ସଂକଳ୍ପକୁ ସାକାର କରି, ସରକାରଙ୍କ ବହୁସ୍ତରୀୟ ସାଇବର ମୁକାବିଲା ଦଳ ହଜାର ହଜାର ଠକେଇକୁ ଦମନ କରିବାରେ ସଫଳ ହୋଇଛି ।

Leave A Reply

Your email address will not be published.