ଭବାନୀପାଟଣାରେ ଜିଲ୍ଲାସ୍ତରୀୟ ବିଶ୍ଵ ଏଡସ୍‌ ଦିବସ ପାଳିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଆଜି ସ୍ଥାନୀୟ ରେଡକ୍ରସ କଲ୍ୟାଣ ମଣ୍ଡପଠାରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଆଇସିଟିସି (ଏଡ଼ସ) ମିଳିତ ଆନୁକୁଲ୍ୟରେ ୩୬ତମ ବିଶ୍ଵ ଏଡସ୍‌ ଦିବସ ପାଳନ ହୋଇଯାଇଛି । ଏଡସ୍‌ ରୋଗର ସଂକ୍ରମଣ ରୋକିବା, ଏଚ୍‌ଆଇଭି ସଂକ୍ରମିତ ଲୋକକୁ ସମର୍ଥନ ଓ ଏହାର ନିରାକରଣ ଦିଗରେ ବ୍ୟାପକ ପ୍ରଚାର କରିବା ଉଦ୍ଦେଶ୍ୟରେ ଏଡସ୍‌ ଦିବସ ସାରା ବିଶ୍ୱରେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଜିଲ୍ଲା ସଦର ମହକୁମା ଡାକ୍ତରଖାନାରୁ ଏକ ଶୋଭାଯାତ୍ରା ବାହାରି ଏଡସ୍‌ ନିରାକରଣ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ଲାକାର୍ଡ ଧରି ସ୍ଲୋଗାନ ପୂର୍ବକ ସହର ପରିକ୍ରମା କରି ରେଡକ୍ରସ କଲ୍ୟାଣ ମଣ୍ଡପଠାରେ ପହଞ୍ଚିଥିଲା । ଶୋଭାଯାତ୍ରାରେ ଜିଲ୍ଲା ରେଡକ୍ରସ ୟୁଥ (ରେଡ ରିବନ୍‌) ସଭ୍ୟ, ସାରଳା ଜିଏନ୍‌ଏମ୍‌ ଟ୍ରେନିଂ ସେଣ୍ଟର୍ , ମାଁ ମାଣିକେଶ୍ୱରୀ ସିନିୟର ନର୍ସିଂ ଟ୍ରେନିଂ ସେଣ୍ଟର, ସରକାରୀ ଏଏନ୍‌ଏମ୍‌ ସେଣ୍ଟରର ଛାତ୍ରୀ ତଥା ଜୟପ୍ରକାଶ ନାରାୟଣ ସଂଧ୍ୟା ମହାବିଦ୍ୟାଳୟର ଛାତ୍ରୀମାନେ ଯୋଗ ଦେଇଥିଲେ । ରେଡକ୍ରସ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେ ସିଡିଏମଓ ଡଃ ସୁଚେତା ପାଣି, ଡେପୁଟି ଜିଲ୍ଲାପାଳ ଶରତ କୁମାର ସାହୁ, ଏଡିପିଏଚଓ ଡଃ ନିହାରେନ୍ଦ୍ର ପଣ୍ଡା, ଡିଆଇପିଆର୍‌ଓ ମନୋଜ କୁମାର ବେହେରା ଏବଂ ମୁଖ୍ୟ ବକ୍ତା ତଥା ଶିକ୍ଷାବିତ ସତ୍ୟସାଇ ବିଦ୍ୟାମନ୍ଦିର ଅଧ୍ୟକ୍ଷ ଡଃ ଉମେଶ ଚନ୍ଦ୍ର ଶତପଥୀ ଯୋଗ ଦେଇଥିଲେ । ଅତିଥିଗଣ ଏଡସ୍‌ ମହାମାରୀକୁ ରୋକିବାକୁ ହେଲେ ଏଚ୍‌ଆଇଭି ସଙ୍କ୍ରମଣକୁ ପ୍ରତିହତରେ ସମସ୍ତ ଉପାୟ ଅବଲମ୍ବନ, ଠିକ ଚିକିତ୍ସା ଓ ଔଷଧ ସେବନ, ଅଧ୍ୟାତ୍ମିକତା ଓ ନୈତିକତାକୁ ପାଥେୟ, ଗୋଷ୍ଠୀରେ ନେତୃତ୍ଵ, ଜୀବନସାଥୀ ପ୍ରତି ବିଶ୍ୱସ୍ତତାକୁ ପ୍ରାଧାନ୍ୟ ଦେବାକୁ ଗୁରୁତ୍ଵ ଦେଲେ । ସେଭଳି ଏଡ଼ସ୍‌ ସମ୍ବନ୍ଧୀୟ ଚିତ୍ରାଙ୍କନ, ବକ୍ତୃତା ପ୍ରତିଯୋଗିତାର ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ । ସଭାକୁ ପରିଚାଳନା କରିଥିଲେ ଆଇସିଟିସି ପରମର୍ଶଦାତା ରାମଚନ୍ଦ୍ର ବସନ୍ତିଆ ଓ ଜ୍ଞାନ ରଞ୍ଜନ ପ୍ରଧାନ, ହିମାଂଶୁ ଓଝା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ମାନସ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.