- ସମାଜର ଉନ୍ନତି, ଅଂଚଳର ବିକାଶ ପାଇଁ ଗଣମାଧ୍ୟମର ମୁଖ୍ୟ ଭୂମିକା ରହିଛି
- ଗଣମାଧ୍ୟମ ସରକାରଙ୍କ ଆଖି ଖୋଲିବାର ମୁଖ୍ୟ ଭୂମିକା ନିଏ
- ଗଣମାଧ୍ୟମ ପ୍ରତିନିଧିମାନଙ୍କ ସ୍ୱାସ୍ଥ୍ୟବୀମା ଲାଗୁ ହୋଇଥିବା ବେଳେ ପେନସନ ପାଇଁ ସରକାରଙ୍କଠାରେ ଉପସ୍ଥାପନ କରିବୁ : ମନ୍ତ୍ରୀ ଢୋଲକିଆ
କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜିସ୍ଥିତ ପ୍ରେସ କ୍ଲବର ୩ୟ ଜନ୍ମ ବାର୍ଷିକ ଉତ୍ସବ ସୋମବାର ଦିନ ସ୍ଥାନୀୟ ହୋଟେଲ ଟ୍ୟୁଲିପର କନଫରେନ୍ସ ହଲରେ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଏହି ଜନ୍ମ ବାର୍ଷିକ ଉତ୍ସବ ପାଳନ ଅବସରରେ କ୍ଲବର ସଭାପତି ପରବଜିତ ସିଂ ସାଲୁଜା(ଛୋଟୁ ସିଂ)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଓଡିଶା ସରକାରଙ୍କ ଯୋଜନା ଏବଂ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ(ମୁଖ୍ୟ ଅତିଥି) ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବିଶିଷ୍ଟ ଅତିଥି ଅବସରପ୍ରାପ୍ତ ସୈନିକ ତଥା ସମାଜସେବୀ ଓ ଚାଉଲସୁଖା ସମିତି ସଭ୍ୟ ଗିରିରାଜ ସିଂ ମାଝି, ଓଡିଶା ହାଇକୋର୍ଟର ଆଇନଜୀବୀ ଆଶିଷ ମିଶ୍ର (ମୁଖ୍ୟବକ୍ତା) ସଂପାଦକ ଯୁଗଲ କିଶୋର ଶବର ମଂଚାସୀନ ଥିଲେ । ଏହି ସଭାରେ ଖବରଦାତାମାନଙ୍କ ବିଭିନ୍ନ ସମସ୍ୟା ଉପରେ ଉପସ୍ଥାପନ କରାଯାଇଥିଲା । ଏପରିକି ଗ୍ରାମାଂଚଳରେ କାର୍ଯ୍ୟରତ ଖବରଦାତାମାନଙ୍କ ଭୂମିକାକୁ ନେଇ ଅତିଥିମାନେ ଦୃଢ ପ୍ରଶଂସା କରିଥିଲେ । କଂଟାବାଂଜି ଅଂଚଳର ଅନେକ ସମସ୍ୟାଗୁଡିକ କାର୍ଯ୍ୟରତ ଖବରଦାତାମାନେ ନିଜ ନିଜ ଖବରକାଗଜରେ ସ୍ଥାନ ଦେଇ କଂଟାବାଂଜିର ବିକାଶରେ ସହାୟକ ହୋଇଥିବାରୁ ଧନ୍ୟବାଦ ଦେବା ସହ ପ୍ରେସ କ୍ଲବ ଦ୍ୱାରା ବିଭିନ୍ନ ସମୟରେ ରକ୍ତଦାନ, ଚକ୍ଷୁ ଶିବିର, ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ସହ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥିବାରୁ ମନ୍ତ୍ରୀ ଢୋଲକିଆ ଏବଂ ସାଂସଦ ବିଶି କଂଟାବାଂଜି ଅଂଚଳର ଖବରଦାତାଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ସଭାରେ ଗିରିରାଜ ସିଂ ମାଝି ପ୍ରେସ କ୍ଲବର ଅଫିସ ପାଇଁ ଜମି ଦାନ କରିଥିବା ବେଳେ ମନ୍ତ୍ରୀ ଗୃହ ନିର୍ମାଣ ପାଇଁ ନିଶ ପାଣ୍ଠିରୁ ଦଶ ଲକ୍ଷ ଟଙ୍କା ଅନୁଦାନ ଦେଇଥିବା ଘୋଷଣା କରିଥିଲେ । ଏହି ସଭାରେ ଦୀର୍ଘ ୨୫ବର୍ଷ ଧରି ଅଂଚଳରେ ସାମ୍ବାଦିକତାକୁ ସେବା ଭାବେ କାର୍ଯ୍ୟ କରୁଥିବା ଖବରଦାତା ଆଶିଷ ଖାଇତାନ, ସୁବାଷଚନ୍ଦ୍ର ବେହେରା, ଜୀବନାନନ୍ଦ ମହାନ୍ତି, ଗୁରୁଦୟାଲ ହଂସ, ଟିଟିଲାଗଡର ଶିବ ପ୍ରସାଦ ପରିଡା, ରାୟଗଡାର ଦିନେଶ ଜୈନଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାକୁ କାର୍ଯ୍ୟକାରୀ ସଭାପତି ସୁରଦାସ ବାଗ ପରିଚାଳନା କରିଥିବା ବେଳେ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଏହି ଜନ୍ମ ବାର୍ଷିକ ଉତ୍ସବରେ ବଲାଙ୍ଗିର, ଖପ୍ରାଖୋଲ, ଟିଟିଲାଗଡ, ପାଟଣାଗଡ, ବଙ୍ଗୋମୁଣ୍ଡା, ରାୟଗଡା ତଥା ଆଖପାଖ ଅଂଚଳର ଶତାଧିକ ଖବରଦାତା ସାମିଲ ହୋଇଥିଲେ ।