କେନ୍ଦୁଟିକିରା ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଶୁଖା କ୍ଲଷ୍ଟର କେନ୍ଦୁଟିକିରା ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟ ଚେୟାରପର୍ସନ ସୁବାଷ ପାଣ୍ଡେଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ସୁରେଶ କୁମାର ନାୟକ, ମୁଖ୍ୟ ବକ୍ତା ଭାବରେ ପୂର୍ବତନ ସରପଞ୍ଚ ଜୟକୁମାର ବରିହା ଓ ସମ୍ମାନିତ ଅତିଥି ଭାବରେ ସମାଜସେବୀ ଚନ୍ଦ୍ରମଣି ବରିହା ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ । ଶିଶୁର ଅନ୍ତର୍ନିହିତ ପ୍ରତିଭାର ବିକାଶ ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ହୋଇପାରିବ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ । ଛାତ୍ରଛାତ୍ରୀ ମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । ଏହି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଆନନ୍ଦ ବାରିକ ବିବରଣୀ ପଠନ କରିଥିଲେ । ଅଧ୍ୟୟନରତ ଛାତ୍ରଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିଲେ । ଚିତ୍ରାଙ୍କନ, ସଂଗୀତ, ସାଧାରଣଜ୍ଞାନଓ ନୃତ୍ୟ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରି ଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।ସହକାରୀ ଶିକ୍ଷକ ପ୍ରମୋଦ କୁମାର ବାରିକ ମଞ୍ଚ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ ମଦନା ପୁଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।ପିତାମାତା ଅଭିଭାବକ ଅଭିଭାବିକା ଓ ଗ୍ରାମବାସୀ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.