ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ୨୦୨୫-୨୬ ଶିକ୍ଷାବର୍ଷ ଅବସରରେ ପି.ଏମ.ଶ୍ରୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଅନ୍ତଃ-ହାଉସ ପୁରସ୍କାର ବିତରଣ ଉତ୍ସବ ସହ ଆୟୋଜିତ ଏହି ବାର୍ଷିକ ଉତ୍ସବରେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଅଜୟ କୁମାର ତ୍ରିପାଠୀ ମୁଖ୍ୟବକ୍ତା ଏବଂ ଉଚ୍ଚ ଶିକ୍ଷା ବିଭାଗର ଯୁଗ୍ମ-ନିର୍ଦ୍ଦେଶିକା ଶ୍ରୀମତୀ ବିନୀତା ସେନାପତି, ଚିଲିକା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦ୍ୱାରିକାନାଥ ବେହେରା, ଛତ୍ରପୁର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନମିତା ରାଉତ୍ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ବାଳିକା ହାଇସ୍କୁଲର ଉନ୍ନୀତ ବିଧାନ ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ପରିଚାଳନା କମିଟି ସଭାପତି ବନଜ କୁମାର ପାଣିଗ୍ରାହୀ ମଞ୍ଚାସୀନ ଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ସୁଚିତ୍ରା ପାଣିଗ୍ରାହୀ ସଭା ପରିଚାଳନା କରିଥିଲେ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମଧୁସ୍ମିତା ଯାଦବ ସଭା କାର୍ଯ୍ୟରେ ସହଯୋଗ କରିଥିଲେ । ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ ସହିତ ଅତିଥିମାନଙ୍କ ଅଭିଭାଷଣ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହିତ ଉତ୍ତମମାନବ ସମାଜ ଗଠନରେ ପ୍ରୟାସ ପାଇଁ ପ୍ରେରଣା ଦେଇଥିଲା । ଏଥିସହିତ ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଚଳିତ ଶିକ୍ଷାବର୍ଷର ଶ୍ରେଷ୍ଠ ଛାତ୍ରୀ ଭାବେ ଏନ.ଲକ୍ଷ୍ମୀପ୍ରିୟା ରେଡ୍ଡୀଙ୍କୁ ସମ୍ମାନିତ କରାଯାଇଥିଲା । ଆସନ୍ତା ପିଢିଙ୍କୁ ଏଭଳି ଉଦାହରଣ ସୃଷ୍ଟି କରାଯିବା ନିମନ୍ତେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦିଆଯାଇଛି । ଗତବର୍ଷ ଦଶମ ଶ୍ରେଣୀର ସର୍ବଶ୍ରେଷ୍ଠ ଛାତ୍ରୀ ସୁଶ୍ରୀ ଆଦ୍ୟାଶା ପାଢ଼ୀଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଉତ୍ସବରେ ବିଦ୍ୟଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ସେଥିମଧ୍ୟରୁ ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରେରଣା ମହାପାତ୍ର ଏବଂ ଶ୍ରୀମତୀ ଲୋପିତା ମହାନ୍ତିଙ୍କ ନିର୍ଦ୍ଦେଶିତ ଗଣେଶ ଗୀତିନାଟ୍ୟ ବେଶ ଉଚ୍ଚକୋଟୀର ଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମଟି ସୂଚାରୁ ରୂପେ ସମ୍ପନ୍ନ ହୋଇଥିଲା ।