ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲା : ଦୋଷୀଙ୍କୁ ୧୪ ବର୍ଷ ଜେଲ

ଭବାନୀପାଟଣା : ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ସ୍ଥାନୀୟ ପୋକ୍ସ କୋର୍ଟ ଦୋଷୀଙ୍କୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି । ଭବାନୀପାଟଣା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଶୁଭଞ୍ଜନ ମହାନ୍ତି , ୧୮ ଜଣ ସାକ୍ଷୀ ଏବଂ ୧୯ ଟି ପ୍ରମାଣ ଆଧାରରେ ଅଭିଯୁକ୍ତ ଧର୍ମେନ୍ଦ୍ର ହରପଲ୍ (୨୮)ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦୋଷୀଙ୍କୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୮୦ ହଜାର ଜୋରିମାନା ଆଦେଶ ମଧ୍ୟ ଦେଇଛନ୍ତି । ଏହି ମାମଲାକୁ ସରକାରୀ ଓକିଲ ରୋହିତ କୁମାର ମିଶ୍ର ପରିଚାଳନା କରୁଥିଲେ । ଅଭିଯୁକ୍ତ ପକ୍ଷରୁ ଡିଏଲ୍‌ଏସ୍‌ଏ ଡେପୁଟି ଚିଫ୍‌ ଯଶୋବନ୍ତ ନାଏକ ପରିଚାଳନା କରୁଥିଲେ । ସୂଚନା ଅନୁଯାୟୀ ୨୦୧୫ ମାର୍ଚ୍ଚ ୧୯ରେ ଧର୍ମଗଡ ଥାନାରେ ପୀଡିତା ନାବାଳିକାର ମା’ ଙ୍କ ଅଭିଯୋଗକ୍ରମେ ଏକ ନିଖୋଜ ମାମଲା ରୁଜୁ ହେଇଥିଲା । ପୁଲିସର ତଦନ୍ତ ବେଳେ ତାହା ଅପହରଣ ଏବଂ ଦୁଷ୍କର୍ମ ବୋଲି ଜଣାପଡିଥିଲା । ଏହି ଘଟଣାରେ ଥାନାଧିକାରୀ ସୁଚିତ୍ରା ପରିଡ଼ା କେବଡି ଗାଁର ଅଭିଯୁକ୍ତ ଧର୍ମେନ୍ଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ବିଚାରପତି ଏହି ମାମଲାର ଚୂଡ଼ାନ୍ତ ଶୁଣାଣି ପରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୧୪ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଇଥିଲେ । ଏଥିସହିତ ଅଭିଯୁକ୍ତଙ୍କଠାରୁ ୮୦ ହଜାର ଅର୍ଥଦଣ୍ଡାଦେଶ ଦେଇଥିଲେ । ପୀଡିତାଙ୍କୁ ୬ ଲକ୍ଷ ଟଙ୍କା କ୍ଷତିପୁରଣ ପ୍ରଦାନ ପାଇଁ ଡିଏଲ୍‌ଏସ୍‌ଏକୁ ଆଦେଶ ଦେଇଥିଲେ ।

Leave A Reply

Your email address will not be published.