ରାଷ୍ଟ୍ରୀୟ ବାଲ୍‌ ସ୍ୱାସ୍ଥ୍ୟ କାର୍ୟ୍ୟକ୍ରମ ଜରିଆରେ ବିକାଶରେ ବିଳମ୍ବ ଓ ଶ୍ରବଣ ବାଧିତ ଶିଶୁମାନଙ୍କୁ ମାଗଣା ଓର୍‌ଥୋସିସ୍‌ ଓ ଶ୍ରବଣ ଯନ୍ତ୍ର ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଭୀମ ଭୋଇ ମେଡ଼ିକାଲ୍‌ କଲେଜ୍‌ ଏଣ୍ଡ୍‌ ହସ୍‌ପିଟାଲ୍‌ ପରିସରରେ ଥିବା ଜିଲ୍ଲା ସହଳ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କେନ୍ଦ୍ର (ଡିଇଆଇସି) ଠାରେ ରାଷ୍ଟ୍ରୀୟ ବାଲ୍‌ ସ୍ୱାସ୍ଥ୍ୟ କାର୍ୟ୍ୟକ୍ରମ ଜରିଆରେ ବିକାଶରେ ବିଳମ୍ବ ଏବଂ ଶ୍ରବଣ ବାଧିତ ଶିଶୁମାନଙ୍କୁ ମାଗଣାରେ ଓର୍‌ଥୋସିସ୍‌ ଓ ଶ୍ରବଣ ଯନନ୍ତ୍ର ବଂଟନ କରାଯାଇଛି । ଜିଲ୍ଲାପାଳ ଚଞ୍ଚଳ ରାଣା ଏହି କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶିଶୁମାନଙ୍କୁ ଓର୍‌ଥୋସିସ୍‌ ଓ ଶ୍ରବଣ ଯନ୍ତ୍ର ବଂଟନ କରିଥିଲେ । ଏହି କାର୍ୟ୍ୟକ୍ରମ ଉପଲକ୍ଷେ ଅନୁଷ୍ଠିତ ସଭାରେ ଜିଲ୍ଲାପାଳ ଶ୍ରୀ ରାଣା ଉପସ୍ଥିତ ଅଭିଭାବକ ଓ ମେଡ଼ିକାଲ୍‌ କର୍ମଚାରୀଙ୍କୁ ଉଦ୍‌ବୋଧନ ଦେଇ ବିକାଶରେ ବିଳମ୍ବ ଏବଂ ଶ୍ରବଣ ବାଧିତ ଶିଶୁମାନଙ୍କ ଉନ୍ନତ ମାନର ଚିକିତ୍ସା ଓ ସେବା ପ୍ରଦାନ ନିମନ୍ତେ ଆବଶ୍ୟକୀୟ ଉପକରଣ ଓ ଯନ୍ତ୍ରପାତି କ୍ରୟ କରିବା, ଦୂର ଦୂରାନ୍ତରୁ ଆସୁଥିବା ରୋଗୀ ଓ ତାଙ୍କ ଅଭିଭାବକ ମାନଙ୍କ ରହିବା ସକାଶେ ଏକ ବିଶ୍ରାମ ଗୃହ ନିର୍ମାଣ କରିବା ଏବଂ ଡିଇଆଇସି ପରିସରରେ ଏକ ସେନ୍‌ସରୀ ଇଣ୍ଟିଗ୍ରେସନ୍‌ ପାର୍କ ନୂତନ ଭାବେ ନିର୍ମାଣ କରିବାକୁ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ମୁଖ୍ୟଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ୟ୍ୟକ୍ରମରେ ୨୮ ଜଣ ଶ୍ରବଣବାଧିତ ଶିଶୁଙ୍କୁ ଶ୍ରବଣ ଯନ୍ତ୍ର ଓ ୨୫ ଜଣ ଶିଶୁଙ୍କୁ ଓର୍‌ଥୋସିସ୍‌ ବଂଟନ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ରାଷ୍ଟ୍ରୀୟ ବାଲ୍‌ ସ୍ୱାସ୍ଥ୍ୟ କାର୍ୟ୍ୟକ୍ରମ ମାଧ୍ୟମରେ ବଲାଙ୍ଗିର ଜିଲ୍ଲାରେ ୧୫୬ ଜଣ ଶିଶୁଙ୍କ ଜନ୍ମଗତ ହୃଦ୍‌ରୋଗ ଅପରେସନ୍‌, ୨୨୧ ଜଣ ଶିଶୁଙ୍କ ଗ୍ରହଣ ଖଣ୍ଡିଆ ଓ ୮୭ ଜଣ ଶିଶୁଙ୍କ ଜନ୍ମଗତ ମୋତିଆ ବିନ୍ଦୁ ଅପରେସନ୍‌ କରାଯାଇଥିବା ଜିଲ୍ଲା ରାଷ୍ଟ୍ରୀୟ ବାଲ୍‌ ସ୍ୱାସ୍ଥ୍ୟ କାର୍ୟ୍ୟକ୍ରମର ଜିଲ୍ଲା ପରିଚାଳକ କୃଷ୍ଣଚନ୍ଦ୍ର ପ୍ରଧାନ ସଭାରେ ସୂଚନା ଦେଇଥିଲେ । ଆଜି ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ଭୀମ ସାହୁ, ଡିଇଆଇସି.ର ଶିଶୁ ରୋଗ ବିଶେଷଜ୍ଞ ଡା. ସରୋଜ କୁମାର ତିଆଡ଼ି, ଡା. ପଂଚଜନ୍ୟ ପଣ୍ଡା, ଫିଜିଓଥେରୋପିଷ୍ଟ ଡା. ସତ୍ୟଜିତ୍‌ ଦାସ, ଅଡ଼ିଓଲୋଜିଷ୍ଟ ଅବିନାଶ କୁମାର ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ରାଷ୍ଟ୍ରୀୟ ବାଲ୍‌ ସ୍ୱାସ୍ଥ୍ର କାର୍ୟ୍ୟକ୍ରମ ପରିଚାଳକ ଶ୍ରୀ ପ୍ରଧାନ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.