‘ଇ-ନାମ’ ମଣ୍ଡି ମାଧ୍ୟମରେ ଅନ୍ତଃରାଜ୍ୟ ବାଣିଜ୍ୟ

ସତ୍ୟବାଦୀ, (ଦିଲ୍ଲୀପ କୁମାର ଧାଉଡିଆ) : ଚାଷୀ ହସିଲେ ଦେଶ ହସିବ । ଏହି ଲକ୍ଷ ନେଇ ସରକାର ଚାଷୀମାନଙ୍କର ସାମଗ୍ରିକ ବିକାଶ ନିମନ୍ତେ ବିଭିନ୍ନ ଯୋଜନା ମାଧ୍ୟମରେ ରାଜ୍ୟରେ ୬୬ ଗୋଟି ଇ-ନାମ ମଣ୍ଡିରେ ୨୦୯ ପ୍ରକାରର କୃଷିଜାତ ଦ୍ରବ୍ୟ ବିକ୍ରୟ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ସରକାରଙ୍କ ପକ୍ଷରୁ ବିଗତ ଦିନରେ ବିଭିନ୍ନ ଉତ୍ପାଦିତ କୃଷି ସାମଗ୍ରୀ ସହିତ ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି ସ୍ଥିତ ଇ-ନାମ ମଣ୍ଡି ଜରିଆରେ ଧାନ, ନଡ଼ିଆ ଓ ପଇଡ଼ ବିକ୍ରି କରି ଚାଷୀମାନେ ଉପକୃତ ହୋଇଥିଲେ । ଏହି ଆଧାରରେ ସାକ୍ଷୀଗୋପାଳ ଆର୍‌ଏମ୍‌ସି ପରିସରରେ ରହିଥିବା ଇ- ମଣ୍ଡି ମାଧ୍ୟମରେ ଫଳ ଓ ପନିପରିବା ବିକ୍ରିବଟା କାର୍ଯ୍ୟକ୍ରମକୁ ଆର୍‌ଏମ୍‌ସି ସମ୍ପାଦକ କମଳ କୁମାର ଆଚାର୍ଯ୍ୟ ବୁଧବାର ମଧ୍ୟାହ୍ନରେ ଶୁଭ ଉଦ୍‌ଘାଟନ କରିଛନ୍ତି । ମଣ୍ଡି ଆରମ୍ଭର ପ୍ରଥମ ଦିନରେ ରିଅଲ ଟାଇମ ଆଭ୍ୟନ୍ତରୀଣ ମଣ୍ଡି ବ୍ୟବସ୍ଥା ଜରିଆରେ ସାକ୍ଷୀଗୋପାଳର କଦଳୀ ଚାଷୀ ପାପୁନ ମହାନ୍ତି ଓ କେତକୀପାଟଣାର ବସନ୍ତ କୁମାର ସାହୁ କ୍ୱିଣ୍ଟାଲ ପ୍ରତି ୩ ହଜାର ୨ ଶହ ଟଙ୍କା ଦରରେ ୩୦.୨୫ କ୍ୱିଣ୍ଟାଲ ଓଜନର କଦଳୀ କଟକ ଜିଲ୍ଲାର କେନ୍ଦୁପାଟଣା ସ୍ଥିତ ଆର୍‌ଏମ୍‌ସିର ଇ-ମଣ୍ଡି ମାଧ୍ୟମରେ ଅନନ୍ତ ଫଳ ଓ ପନିପରିବା ବ୍ୟବସାୟୀଙ୍କୁ ବିକ୍ରି କରି ୯୬ ହଜାର ୮ ଶହ ଟଙ୍କା ଅନ୍‌ଲାଇନ କାରବାର ଦ୍ୱାରା ଉପାର୍ଜନ କରିପାରିଛନ୍ତି । ଏହି ଇ-ନାମ ମଣ୍ଡିରେ ଆୟୋଜିତ ବିକ୍ରିବଟା କାର୍ଯ୍ୟକ୍ରମରେ ସାକ୍ଷୀଗୋପାଳ ବଜାର କମିଟି ପକ୍ଷରୁ ହିସାବ ରକ୍ଷକ ଜଗତ ଜ୍ୟୋତି ସାହୁ, ନୋଡାଲ ଅଧିକାରୀ ସୁରେନ୍ଦ୍ର ଦତ୍ତ, ଆନାଲିଷ୍ଟ ବିଶ୍ୱରଂଜନ ମହାନ୍ତି ଓ କେମିଷ୍ଟ ସୁବ୍ରତ କୁମାର ସାମନ୍ତରାୟ ଉପସ୍ଥିତ ରହିଥିଲେ । ସେହିପରି କେନ୍ଦୁପାଟଣା ବଜାର କମିଟି ପକ୍ଷରୁ ମଣ୍ଡି ଆନାଲିଷ୍ଟ ରୁଦ୍ରବ୍ରହ୍ମା ମିଶ୍ର ଓ ନରସିଂହପୁର ବଜାର କମିଟି ପକ୍ଷରୁ ବିରଞ୍ଚିନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.