ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସର୍ବବୃହତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଦ୍ୱାରା ପ୍ରାୟ ୩୦ରୁ ଅଧିକ ଗ୍ରାମ ସମ୍ପୂର୍ଣ୍ଣ ଅବା ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ପରିବାରର ମିଳିତ ଉଦ୍ୟମରେ ଏ ଅଂଚଳର ଆରାଧ୍ୟା ଦେବୀ ମା’ ବନଦୁର୍ଗାଙ୍କ ପୂଜନୋତ୍ସବ ସହ ମହୋତ୍ସବ ଆସନ୍ତା ୭ ତାରିଖରୁ ୧୧ ତାରିଖ ୫ ଦିନ ଧରି ସମସ୍ତେ ଲୋୟର ସୁକତେଲ ଡ୍ୟାମ ପାଦ ଦେଶରେ ଏକତ୍ରିତ ହୋଇ ଅଂଶଗ୍ରହଣ କରିବେ । ଏହି ମହୋତ୍ସବରେ ଅଂଚଳର ବହୁ ବୁଦ୍ଧିଜୀବୀ ଦୀର୍ଘଦିନ ଧରି ସଂଗ୍ରାମ କରିଥିବା ସଂଗ୍ରାମୀ ଓ ରାଜନେତା, ପ୍ରଶାସକ, ଚାଷୀ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଆଜି ବି ବିସ୍ଥାପିତଙ୍କ କଲୋନୀରେ ବହୁ ଲୋକେ ନାହିଁ ନ ଥିବାର ଅସୁବିଧା ଭୋଗୁଛନ୍ତି । ତାର ସମାଧାନ ନିମନ୍ତେ ସମସ୍ତେ ମିଳିତ ଉଦ୍ୟମ କରିବା ପାଇଁ ଆଲୋଚନା ହେବ । ଏହି କାର୍ଯ୍ୟକ୍ରମକୁ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ମହୋତ୍ସବ କମିଟି ସଭାପତି ସଂଜୟ ଗଡତ୍ୟା, ଉପସଭାପତି କୈଳାସ ଚନ୍ଦ୍ର ସିଂଦେଓ, ସଂପାଦକ ଜୟକୃଷ୍ଣ ମିଶ୍ର, ସହ ସଂପାଦକ ବିକାଶ ଚନ୍ଦ୍ର ରଥ, କୋଷାଧ୍ୟକ୍ଷ ନରେନ୍ଦ୍ର ବିଶି, ସହ-କୋଷାଧ୍ୟକ୍ଷ ଭରତ ସାହୁ, ଲମ୍ବୋଦର ପଧାନ, ଗିରିଧାରୀ ପୁଟା, ପ୍ରମୋଦ ପଟେଲ, ସୁଶୀଲ ବେହେରା, ବ୍ୟାସଦେବ ବନଛୋର, ଅଜୟ ଗଡତ୍ୟା, ସଂଜୟ ମହଲା ପ୍ରମୁଖ ନେତୃତ୍ୱ ନେଉଛନ୍ତି । ପ୍ରତ୍ୟେହ ସନ୍ଧ୍ୟାରେ ଲୋକଗୀତ, ଲୋକ ନୃତ୍ୟ, କଂସ ଦରବାର, କବିତା ପାଠୋତ୍ସବ ସହ ଅନେକ ସାଂସ୍କତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।