ଗଞ୍ଜାମ ଜିଲ୍ଲା ବାଲ୍ୟବିବାହ ମୁକ୍ତ ଜିଲ୍ଲା ଭାବେ ଘୋଷିତ ହେବ : ବାଲ୍ୟ ବିବାହ ହେଉଥିବା ପ୍ରଥମ ସୂଚନା ପ୍ରଦାନକାରୀଙ୍କୁ ଜିଲ୍ଲା ସ୍ତରରେ ସମ୍ମାନ କରାଯିବ

  • ଗଞ୍ଜାମ ଜିଲ୍ଲାର ସମସ୍ତ ଦପ୍ତରାଞ୍ଚଳରେ ତମାଖୁ ମୁକ୍ତ ହେବ – ଜିଲ୍ଲାପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ କେହି ବି ୧୮ ବର୍ଷରୁ କମ ବୟସର ଜଣେ ବି ବିବାହ କରିପାରିବେ ନାହିଁ । ଖୁବଶୀଘ୍ର ଗଞ୍ଜାମ ଜିଲ୍ଲାକୁ ବାଲ୍ୟ-ବିବାହ ମୁକ୍ତ ଜିଲ୍ଲା ଭାବେ ଘୋଷିତ କରାଯିବ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି । ଲିଙ୍ଗ ଅନୁପାତ ରିପୋର୍ଟରେ ଗଞ୍ଜାମ ଜିଲ୍ଲାରେ ଗତ ୫ ବର୍ଷ ମଧ୍ୟରେ ଝିଅଙ୍କ ସଂଖ୍ୟା ବୃଦ୍ଧି ଘଟିଛି । ଜାତୀୟ ସ୍ୱାସ୍ଥ୍ୟ-ପରିବାର କଲ୍ୟାଣ ସର୍ଭେ ରିପୋର୍ଟ ଅନୁସାରେ ୨୦୧୫-୧୬ ଆର୍ଥିକ ବର୍ଷର ଗଣନା ଅନୁସାରେ ଲିଙ୍ଗଗତ ଜନ୍ମ ପ୍ରତି ହଜାରେ ପୁରୁଷରେ ୮୦୧ ପଏଣ୍ଟ ଥିଲା । ଗତ ୨୦୨୦-୨୧ ରିପୋର୍ଟ ଅନୁଯାୟୀ ଏହା ବୃଦ୍ଧି ଘଟି ୮୫୫ ପଏଣ୍ଟକୁ ବୃଦ୍ଧି ଘଟିଛି । ଯାହାକି, ରାଜ୍ୟରେ ଶ୍ରେଷ୍ଠ ଅଟେ । ମଙ୍ଗଳବାର ଅନୁଷ୍ଠିତ ଆଭାସୀ ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରି ମୋ ଗେହ୍ଲା- ଝିଅ ଓ ନିର୍ଭୟକଢ଼ି କାର୍ଯ୍ୟର “ଶିଶୁଙ୍କ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ତଥା ଜିଲ୍ଲା ଶିଶୁ ସୁରକ୍ଷା କମିଟିର ସମୀକ୍ଷା ଅନୁଷ୍ଠିତ ହେବା ଅବସରରେ ଶିଶୁ ଓ ମହିଳା ବିକାଶ ଯୋଜନା ଅଧିକାରୀ ଗଣ କ୍ଷେତ୍ର ପରିଦର୍ଶନ ସମୟରେ ଝିଅମାନଙ୍କ ସହିତ ବୈଠକ କରି ସେମାନଙ୍କୁ ସଚେତନ କରାନ୍ତୁ । ଜାତୀୟ ପରିବାର ଓ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅନୁସାରେ ଗଞ୍ଜାମ ଜିଲ୍ଲାରେ ଶତକଡା ୨୯ ପ୍ରତିଶତ ଶିଶୁ ବିବାହ ଥିଲା । ପରବର୍ତ୍ତୀ ପର୍ୟ୍ୟାୟରେ ଗଞ୍ଜାମ ଜିଲ୍ଲାରେ ନିର୍ଭୟାକଢି କାର୍ୟ୍ୟର ସଫଳ ରୂପାୟନ ହେବା ପରେ ସଂପୃକ୍ତି ହୋଇଥିବା ଜାତୀୟ ପରିବାର ଓ ସ୍ୱାସ୍ଥ୍ୟ ସର୍ବେକ୍ଷଣ ୫ ଅନୁସାରେ ଏହା ୨୧ ପଏଣ୍ଟକୁ ଖସିଆସିଛି । ଯାହାକି, ଜିଲ୍ଲା ପାଇଁ ଶୁଭଙ୍କର ଅଟେ । ଉପଜିଲ୍ଲାପାଳ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପ୍ରମୁଖ ପ୍ରତି ମାସରେ ମହିଳା ଓ ଶିଶୁ ବିକାଶ ଯୋଜନା ଅନ୍ତର୍ଗତ ଉନ୍ନତି କଳ୍ପେ ସମୀକ୍ଷା କରନ୍ତୁ । ଯେଉଁ ଠାରେ ବାଲ୍ୟ ବିବାହ ହେଉଥିବା ଜଣାଗଲେ ସ୍ଥାନୀୟ ଅଧିକାରୀଙ୍କୁ ଦାୟୀ କରାଯିବ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ହେଉଛି ସେହି ସମୟରେ ଜିଲ୍ଲା ପ୍ରଶାସନର ସହାୟତା ନେଇ ସର୍ଭେ କରାଗଲେ ସଠିକ୍ ସର୍ଭେ ହୋଇପାରିବ ଏବଂ ରିପୋର୍ଟରେ ଯେଉଁ ତାଳମେଳ ରହୁଛି ତାହା ହେବନାହିଁ । ଏଥି ସକାଶେ ସମ୍ପୃକ୍ତ କେନ୍ଦ୍ରୀୟ ବିଭାଗକୁ ପତ୍ର ଦ୍ୱାରା ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ଜାନୁୟାରୀ ମାସରେ ବାଲ୍ୟ ବିବାହମୁକ୍ତ ଜିଲ୍ଲା ଭାବେ ଗଞ୍ଜାମ ଜିଲ୍ଲାକୁ ଘୋଷଣା କରାଯିବ । ଏଣୁ ତାହାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବାଲ୍ୟ ବିବାହ ତଥ୍ୟ ପ୍ରଦାନ କରିବା ପ୍ରଥମ ସୂଚନା ପ୍ରଦାନକାରୀଙ୍କୁ ଜିଲ୍ଲାପାଳ ନିଜେ ସମ୍ମାନୀତ କରିବେ ବୋଲି ଜଣାଇଥିଲେ । ଭତ୍ତା ଏବଂ ରାସନ କାର୍ଡ ସକାଶେ କୌଣସି ବ୍ୟକ୍ତି ଯେପରି ଜିଲ୍ଲା କାର୍ଯ୍ୟାଳୟକୁ ଆସିବେ ନାହିଁ, ସେମାନେ ସେମାନଙ୍କ ଅଂଚଳରେ ସେହି ସବୁ ସୁବିଧା ହାସଲ କରିବେ ସେଥି ସକାଶେ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ ସମସ୍ତ କାର୍ଯ୍ୟାଳୟ ସଫା ସୁତୁରା ରହିବ । ସମସ୍ତ କାର୍ଯ୍ୟାଳୟରେ କେହି ଯେପରି ତମାଖୁ ସେବନ କରିପାରିବେ, ନାହିଁ ସେଥିପ୍ରତି ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି । ସମସ୍ତ କାର୍ଯ୍ୟାଳୟ ତମାଖୁ ମୁକ୍ତ କାର୍ଯ୍ୟାଳୟ ହେବ । କୌଣସି କର୍ମଚାରୀଙ୍କ ଯଦି ତମାଖୁ ସେବନ କରିବା ଅଭ୍ୟାସ ଥାଏ ତା’ହେଲେ ସେଥିରୁ ସେମାନେ ନିବୃତ୍ତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କାର୍ଯ୍ୟାଳୟକୁ ନିଜେ ଜିଲ୍ଲାପାଳ ପରିଦର୍ଶନ କରି ଏସବୁର ତଦାରଖ କରିବେ । ବୈଠକରେ ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକ, ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାସ, ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ସାଶ୍ୱତ ସାହୁ, ଓରମାସ୍‌ର ସିଇଓ ଡଃ ଜ୍ୟୋତି ପ୍ରକାଶ ମହାନ୍ତି, ଆକ୍ସନ ହେଡର ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଆର୍ ଜଗଦୀଶ ପଟ୍ଟନାୟକ, ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ୟାମ ସୁନ୍ଦର ତ୍ରିପାଠୀଙ୍କ ସମେତ ସଂପୃକ୍ତ ସଭ୍ୟ, ସଭ୍ୟା ଓ ସଂପୃକ୍ତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.