centurian jitm

ଚାଷୀଙ୍କ ଇନ୍‌ସ୍ୟୁରାନ୍ସ ଟଙ୍କା ହଡ଼ପ କରିବା ପଡ଼ିଲା ମହାଙ୍ଗା : ୧୪ ଜଣଙ୍କୁ ବାନ୍ଧିଲା ବଲାଙ୍ଗିର ପୋଲିସ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀଙ୍କ ଇନ୍‌ସ୍ୟୁରାନ୍ସ ଟଙ୍କା ହଡ଼ପ କରି ମାଲେ ମାଲ୍‌ ହେଉଥିଲେ ସିଏସ୍‌ସି ସେଣ୍ଟରର ମାଲିକ ମାନେ । ଆଉ ଇନ୍‌ସ୍ୟୁରାନ୍ସ ଟଙ୍କା ନ ପାଇ ହଇରାଣ ହେଉଥିଲେ ଅସଲି ଚାଷୀ । ଚାଷୀ ଅଭିଯୋଗ କରୁଥିଲେ, ହେଲେ ଅଭିଯୋଗ ଖାଲି ଅଭିଯୋଗରେ ରହିଯାଉଥିଲା । କିଛି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିଲା । ଏବେ କିନ୍ତୁ ଟଙ୍କା ହଡ଼ପକାରୀଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲା ଖୋଦ୍‌ କୃଷି ବିଭାଗ । କୃଷି ବିଭାଗର ଅଭିଯୋଗକୁ ଭିତ୍ତି କରି ବଲାଙ୍ଗିର ସାଇବର ଥାନା ପୋଲିସ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଏମ ମାମଲା ରୁଜୁ କରି ସ୍ୱତନ୍ତ୍ର ପୋଲିସ ଟିମ୍‌ ଗଠନ କରି ଜିଲ୍ଲା ସାରା ତଦନ୍ତ ଆରମ୍ଭ କରିଥିଲା । ଆଉ ତଦନ୍ତ କରୁ କରୁ ବଲାଙ୍ଗିର ପୋଲିସ ହାତରେ ଲାଗିଥିଲା ମହା ଦୁର୍ନୀତିର ଖିଅ । ୧୪ ଜଣ ସିଏସ୍‌ସି ମାଲିକ ତଥା ଅପରେଟରମାନେ ବଲାଙ୍ଗିର ପୋଲିସ ହାତରେ ଧରା ପଡ଼ିଥିବା ବେଳେ ଆଜି ଏହି ବିଷୟକୁ ନେଇ ବଲାଙ୍ଗିର ଜିଲ୍ଲା ରିଜର୍ଭ ଅଫିସରେ ବଲାଙ୍ଗିର ପୋଲିସ ପକ୍ଷରୁ ଏସ୍‌ପିଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସୁବିଧା ପାଇବା ପାଇଁ ଚାଷୀମାନେ ନିକଟସ୍ଥ ସିଏସ୍‌ସି ସେଣ୍ଟରକୁ ନିଜ ଡକ୍ୟୁମେଣ୍ଟ ଧରି ପଞ୍ଜିକୃତ କରିବା ପାଇଁ ଆସୁଥିବା ବେଳେ ଡକ୍ୟୁମେଣ୍ଟଗୁଡିକର କପି ରଖି ପକାଇ ପରବର୍ତ୍ତୀ ସମୟରେ ଉପରୋକ୍ତ ଡକ୍ୟୁମେଣ୍ଟଗୁଡିକର ଫସଲ ବୀମାର ଆବେଦନ କରି ଇନ୍‌ସ୍ୟୁରାନ୍ସ ଟଙ୍କା ହଡ଼ପ କରୁଥିଲେ ସିଏସ୍‌ସି ମାଲିକ ତଥା ଅପରେଟରମାନେ । ତେବେ ଏହି ବିଷୟରେ ଖବର ପାଇ ୧୪ ଜଣ ଦୁର୍ନୀତି ଖୋର୍‌ଙ୍କୁ ଗିରଫ କରାଯିବା ସହ ୧୬ ଗୋଟି ମୋବାଇଲ୍‌ ଫୋନ୍‌, ଲାପ୍‌ଟପ୍‌ ୭ଟି, ପ୍ରିଣ୍ଟର ୫ଟି, ସିପିୟୁ ୧୧ଟି, ମନିଟର୍‌ ୩ଟି ଓ ୪ଟି ଫିଙ୍ଗର ପ୍ରିଣ୍ଟ ସ୍କାନର ଜବତ କରିଛି ବଲାଙ୍ଗିର ପୋଲିସ ବୋଲି ଏସ୍‌ପି ରିଷିକେଶ ଖିଲାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗିରଫ ୧୪ ଜଣ ଅଭିଯୁକ୍ତମାନଙ୍କ ମଧ୍ୟରୁ ୧୩ ଜଣ ବଲାଙ୍ଗିର ଜିଲ୍ଲାର ହୋଇଥିବା ବେଳେ ଜଣେ କଳାହାଣ୍ଡି ଜିଲ୍ଲାର ବୋଲି ସୂଚନା ରହିଛି । ଗିରଫ ଅଭିଯୁକ୍ତମାନେ ହେଲେ ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡାର କୁବେର ମେହେର (୨୮), ହୀରାଧର ମେହେର(୪୨), ବିଦ୍ୟାଧର ମେହେର(୪୩), ଡ଼ୁମେରପଡ଼ାର ସାମନ୍ତ ମାଝୀ (୨୫), ସାନ୍‌ଗମରାର ଚମ୍ପାରାମ କୁମ୍ଭାର (୪୧), ମୁରିବାହାଲ ଥାନା କନ୍ଦାଖାଲ ଗ୍ରାମର ବଳରାମ ବେହେରା (୩୩), ପତ୍ରାପାଲିର ପ୍ରବୀଣ ସାହୁ (୨୨), ସିନ୍ଧେକେଲା ଥାନାର ଶ୍ରୀରାମ ଗ୍ରାମର ଚୋଡେଶ୍ୱର ବେହେରା (୪୧), କଂଟାବାଂଜିର କୁନାଲ ଜିନ୍ଦଲ (୨୪), ସଇଁତଲା ଥାନା ଛନ୍‌ଛଡ଼ା ଗ୍ରାମର ପୁରେନ୍ଦ୍ର ପୁଟେଲ (୪୩), ପାଟଣାଗଡ଼ର ମେହେରପଡ଼ାର ସୁନୀଲ ମେହେର (୨୯), ବଲାଙ୍ଗିର ସଦର ଥାନା ବାଦୀମୁଣ୍ଡାର ରାହୁଲ ରଂଜନ ଦୀପ (୩୧) ଓ କଳାହାଣ୍ଡି ଜିଲ୍ଲା କେଗାଁ ଥାନା କୁହୁରା ଗ୍ରାମର ଦୁର୍ଯ୍ୟୋଧନ ବ୍ୟାଗ୍ (୨୫) । ଅନ୍ୟପଟେ ଏହି ମାମାଲାକୁ ନେଇ ଆହୁରି ଅଧିକ ତଦନ୍ତ ଜାରି ରହିଥିବାଏସ୍‌ପି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.