ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ଧରାକୋଟ ପଞ୍ଚାୟତର ଭଣ୍ଡରୁ ଗାଁରେ ବଜ୍ରାଘାତ ହେବା ଯୋଗୁଁ କଣେ ନାବାଳିକାର ମୃତ୍ୟୁ ଘଟିଛି । ଘଟଣାରୁ ପ୍ରକାଶ ଯେ, ପ୍ରତିଦିନ ଭଳି ଗୁରୁବାର ମଧ୍ୟ ଉକ୍ତ ଗ୍ରାମର ସ୍ୱର୍ଗତ କୁପି ମଳିକଙ୍କ ଝିଅ ରିକା ମଳିକ (୧୬) ମଧ୍ୟାହ୍ନରେ ଖାଇସାରି ନିଜର ଝୁଡୁଙ୍ଗ ବଗିଚାକୁ ଯାଇଥିବା ସମୟରେ ହଠାତ ବଜ୍ରପାତ ହେବା ଯୋଗୁଁ ମୃତ୍ୟୁ ବରଣ କରିଛି । ଝିଅ ଆସିବା ବିଳମ୍ବ ହେବାରୁ ରିକାଙ୍କ ମା’ ବଗିଚାକୁ ଆସି ଦେଖିଲା ବେଳକୁ ଝିଅର ମୃତଦେହ ସେଠାରେ ପଡିଛି । ଏହା ଦେଖି ରିକାଙ୍କ ମାଆ ସଙ୍ଗେ ସଙ୍ଗେ ଗ୍ରାମବାସୀଙ୍କୁ ଜଣାଇଥିଲେ । ଖବର ପାଇ ଗ୍ରାମବାସୀ ଯାଇ ଦେଖିବା ପରେ ବଜ୍ରାଘାତରେ ହିଁ ମୃତ୍ୟୁ ବରଣ କରିଥିବା ସନ୍ଦେହ କରି କୋଟଗଡ ପୋଲିସକୁ ଖବର ଦେଇଥିଲେ । କୋଟଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ମୃତ୍ୟୁ ଶରୀରକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କୋଟଗଡ ମେଡିକାଲକୁ ପଠାଇଥିବା ଜଣାପଡିଛି ।