କରଙ୍ଗାକଟା ବଂଚାଅ ଅଭିଯାନର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରଙ୍ଗାକଟା ବଂଚାଅ ଅଭିଯାନର ଏକ ଜରୁରୀ ବୈଠକ ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡଠାରେ ବରିଷ୍ଠ ନାଗରିକ ମନୋରଞ୍ଜନ ପୁରୋହିତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବଲାଙ୍ଗିରର ସମସ୍ତ ଜଳାଶୟର ପୁନଃଉଦ୍ଧାର ସକାଶେ ଜଳ ଆଗମନ ଓ ନିଷ୍କାସନ ପାଇଁ ପ୍ରାକୃତିକ ନାଳର ପୁନଃ ନିର୍ମାଣ, ଟାଉନହଲର ଆଧୁନିକରଣ ଓ ବିଭୁତିପଡା ଶ୍ମଶାନ ଘାଟର ସୌନ୍ଦର୍ଯ୍ୟକରଣ ଇତ୍ୟାଦିକୁ ନେଇ ଆଲୋଚନା କରାଯାଇଥିଲା । ବଲାଙ୍ଗିର ସହରର ୧୭ଟି ଜଳାଶୟମାନଙ୍କୁ ବର୍ଷା ଜଳ ପ୍ରବେଶ ଓ ନିଷ୍କାସନର ପ୍ରାକୃତିକ ବ୍ୟବସ୍ଥା ରହିଥିଲା କିନ୍ତୁ କାଳକ୍ରମେ ଏହା ପୋତି ହୋଇଯାଇଛି । ଜଳାଶୟମାନଙ୍କୁ ବର୍ଷାଜଳ ପ୍ରବେଶ ନ କଲେ ଜଳାଶୟର ପୁନଃଉଦ୍ଧାର କଲେ ମଧ୍ୟ କୌଣସି କାମରେ ଆସିବ ନାହିଁ । ତେଣୁ ଏହି ପ୍ରାକୃତିକ ଜଳପଥ ଗୁଡିକର ପୁନଃଉଦ୍ଧାର ପାଇଁ ପୌର ପରିଷଦ ଓ ସରକାର ବିହିତ ପଦକ୍ଷେପ ନେବାକୁ ବୈଠକରେ ଦାବୀ କରାଯାଇଥିଲା । ଏହା ସହ ଟାଉନହଲରେ ବିଭିନ୍ନ ସମସ୍ୟା ଯଥା ଟୟଲେଟ ଓ ବାଥ୍‌ରୁମ୍‌, ଜେନେରେଟର୍‌, କଳାକାରଙ୍କ ପାଇଁ ମେକ୍‌ଅପ୍‌ କ୍ୱାଟର୍‌ ନିର୍ମାଣ କରାଯାଉ ଓ ବର୍ଷା ପାଣି ଲିକ୍‌ ହୋଇ କାନ୍ଥମାନଙ୍କରେ ଝରୁଛି ଓ ଶ୍ମଶାନ ଘଟରେ ଗାଧୁଆ ଘର ଇତ୍ୟାଦି ନିମାଣ ପାଇଁ ଦାବୀ ଉପସ୍ଥାପନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଅତି ଶୀଘ୍ର ପୌରାଧ୍ୟକ୍ଷା ଲିକା ସାହୁଙ୍କ ସହ ଏକ କମିଟି ଆଲୋଚନା କରିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି । ଏହି ବୈଠକରେ ରତନ ମହାରଣା, ମଧୁସୂଦନ ନାଏକ, ସିନିୟର ସିଟିଜନ ନରେନ୍ଦ୍ର କବାଟ, ସୁରେନ୍ଦ୍ର ନେଗୀ, ଦ୍ୱାରିକା ପଟେଲ, ଜୟଦେବ ବହିଦାର, ଜୟକୃଷ୍ଣ ମିଶ୍ର, ସୁଦର୍ଶନ ସାହୁ, ସ୍ୱଭିମାନ ପରିବାରର ରିଙ୍କୁ ମିଶ୍ର, ପ୍ରଶାନ୍ତ ମହାକୁର ସାମିଲ ଥିଲେ । ଶେଷରେ ଶମ୍ଭୁ ପ୍ରସାଦ ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!