oom

ବଲାଙ୍ଗିର ଜିଲ୍ଲା ଯୋଜନା କମିଟି ବୈଠକ : ଜିଲ୍ଲାର ସମନ୍ଵିତ ବିକାଶ ଯୋଜନା ଉପରେ ଗୁରୁତ୍ଵାରୋପ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ସ୍ଥାନୀୟ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ସମ୍ମିଳନୀ କକ୍ଷଠାରେ ବଲାଙ୍ଗିର ଜିଲ୍ଲା ଯୋଜନା କମିଟି ବୈଠକ ଓଡିଶାର ଉଚ୍ଚ ଶିକ୍ଷାମନ୍ତ୍ରୀ ତଥା ବଲାଙ୍ଗିର ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ରୋହିତ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ପାଟଣାଗଡ ବିଧାୟକ ତଥା ଓଡିଶା ବିଧାନସଭାର ଉପମୁଖ୍ୟ ସଚେତକ ସରୋଜ କୁମାର ମେହେର, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ମିଥିଳା ମାଝୀ, ଜିଲ୍ଲାପାଳ ଚଞ୍ଚଳ ରାଣା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ସିଂଙ୍କ ସମେତ ଜିଲ୍ଲା ଯୋଜନା କମିଟିର ସମସ୍ତ ସଦସ୍ୟ ସଦସ୍ୟା ଓ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।ବୈଠକରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ଵାଗତ କରିବା ସହ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ । ବୈଠକରେ ବିଗତ ଜିଲ୍ଲା ଯୋଜନା କମିଟିରେ ଗ୍ରହଣ କରାଯାଇଥିବା ବିଭିନ୍ନ ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରାଯାଇ ଦୃଢିକରଣ କରାଯାଇଥିଲା । ବୈଠକରେ ଉପସ୍ଥିତ ବିଧାୟକ ଓ ଜିଲ୍ଲା ଯୋଜନା କମିଟିର ସଦସ୍ୟ ସଦସ୍ୟାମାନଙ୍କ ଦ୍ଵାରା ଉପସ୍ଥାପିତ ବିଭିନ୍ନ ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରାଯାଇ ଜିଲ୍ଲାର ସମନ୍ଵିତ ବିକାଶ ଯୋଜନା ଚିଠା ପ୍ରସ୍ତୁତ କରାଯାଇ ସରକାରଙ୍କ ଅନୁମୋଦନ ସକାଶେ ପଠାଯିବା ଉପରେ ଆଲୋଚନା ହୋଇଥିଲା । ଜିଲ୍ଲାରେ ୨୦୨୧ -୨୨ ବର୍ଷ ପାଇଁ ବିଭିନ୍ନ ସେକ୍ଟର ନିମନ୍ତେ ପ୍ରସ୍ତାବିତ ୨୯୭୨୯୩.୧୭ ଲକ୍ଷ ଟଙ୍କାର ବାର୍ଷିକ ଯୋଜନା ବୈଠକରେ ଅନୁମୋଦନ କରାଯାଇଥିଲା । ସେହିପରି ୨୦୨୧-୨୨ ଓ ୨୦୨୨-୨୩ ବର୍ଷରେ ବିଜୁ କେବିକେ ଯୋଜନା ଜିଲ୍ଲା ସେକ୍ଟର କାର୍ଯ୍ୟଖସଡା ସମ୍ପର୍କରେ ବୈଠକରେ ସବିଶେଷ ଆଲୋଚନା ହୋଇ ଅନୁମୋଦନ କରାଯାଇଥିଲା । ଜଳସେଚନ, ରାସ୍ତା ସଂଯୋଗିକରଣ, ଭିତ୍ତିଭୂମିର ବିକାଶ ସମ୍ପର୍କରେ ଆଲୋଚନା କରାଯିବା ସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ନିମନ୍ତେ ଆବଣ୍ଟିତ ପାଣ୍ଠିର ବିନିଯୋଗ କରାଯାଇ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ବୈଠକରେ ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ଜଳସେଚନର ସୁବିଧା ନିମନ୍ତେ ଅଙ୍ଗ ଓ ସୋନଗଡ ନଦୀରେ ବ୍ୟାରେଜ ନିର୍ମାଣ, ପର୍ଯ୍ୟଟନର ବିକାଶ ନିମନ୍ତେ ପର୍ଯ୍ୟଟନ ସ୍ଥଳୀର ବିକାଶ, କ୍ରିଡା ଭିତ୍ତିଭୂମିର ବିକାଶ, ଜିଲ୍ଲାର ସ୍ୱାସ୍ଥ୍ୟସେବାର ଉନ୍ନତି ନିମନ୍ତେ ବିଭିନ୍ନ ହସ୍ପିଟାଲ ଓ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକରେ ଖାଲି ଥିବା ଡାକ୍ତର ପଦବୀ ପୂରଣ, ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ନେଫ୍ରୋଲୋଜି ଓ କାର୍ଡିଓଲୋଜି ବିଶେଷଜ୍ଞ ପଦବୀ ପୂରଣ, ବିଜୁ କେବିକେ ପାଣ୍ଠି ବୃଦ୍ଧି ଆଦି ସମ୍ପର୍କରେ ଆଲୋଚନା ହୋଇ ସରକାରଙ୍କୁ ପ୍ରସ୍ତାବ ଦେବା ସମ୍ପର୍କରେ ଆଲୋଚନା ହୋଇଥିଲା । ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟାମାନଙ୍କ ବିଭିନ୍ନ ପ୍ରସ୍ତାବ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ସହକାରୀ ନିର୍ଦ୍ଦେଶକ ସଞ୍ଜୟ କୁମାର ଦୀପ ବୈଠକରେ ଆଲୋଚ୍ୟ ବିଷୟବସ୍ତୁ ଉପସ୍ଥାପନ କରିଥିଲେ ।

jittmm
Leave A Reply

Your email address will not be published.