jayashree

ଚାଖି ଖୁଣ୍ଟିଆ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ପୁରୀ : ଶାମ୍ବ ଦଶମୀ ତିଥିରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଦେଶପ୍ରେମୀ ଚାଖି ଖୁଣ୍ଟିଆଙ୍କ ଜୟନ୍ତୀ ପାଳନ କରାଯାଇଥାଏ । ତା.୧.୧.୨୦୨୩ ରିଖରେ ଶାମ୍ବ ଦଶମୀ ପଡୁଛି ଓ ସେହିଦିନ ଚାଖି ଖୁଣ୍ଟିଆଙ୍କ ୨୦୧ତମ ଜୟନ୍ତୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟଳୟ ଓ ଚାଖି ଖୁଣ୍ଟିଆ ସ୍ମୃତି ସମିତିଙ୍କ ମିଳିତ ସହଯୋଗରେ ପାଳନ କରାଯିବ । ଏ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକର ନିଷ୍ପତ୍ତି ଅନୁସାରେ ଜାନୁଆରୀ ୧ ତାରିଖ ପୂର୍ବାହ୍ନ ୮.୩୦ ମିନିଟ ସମୟରେ ପିକେଡିଏ ଅଫିସ ନିକଟସ୍ଥ ଚାଖି ଖୁଣ୍ଟିଆଙ୍କ ପ୍ରତିମୂର୍ତ୍ତିରେ ଅତିଥି ବୃନ୍ଦ, ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ସାଧାରଣ ଲୋକମାନଙ୍କ ଦ୍ୱାରା ମାଲ୍ୟାର୍ପଣ କରାଯିବ । ଏଥିରେ ଏନସିସି, ସ୍କାଉଟ, ଗାଇଡ ମାନଙ୍କୁ ସାମିଲ କରାଯିବ । ଦିବା ୧୧ ଘଟିକାରେ ସଂସ୍କୃତି ଭବନଠାରେ ସ୍ମୃତିସଭା ଅନୁଷ୍ଠିତ ହେବ । ପୂର୍ବରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହଯୋଗରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିବେ । ଏହା ପରେ ଦେଶପ୍ରେମ ଓ ଆଧ୍ୟାତ୍ମିକ ସମ୍ବଳିତ କବିତା ପାଠୋତ୍ସବ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି । ବିଭିନ୍ନ ବିଭାଗ ଜୟନ୍ତୀ କାର୍ଯ୍ୟକ୍ରମରେ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି । ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ବୈଠକରେ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ, ଅତିରିକ୍ତ ମଣ୍ଡଳ ଶିକ୍ଷାଅଧିକାରୀ ହାଡୁ ସେଠୀ, ସ୍ମୃତି ସମିତିର ସଦସ୍ୟ ହଜୁରୀ ନିଳକଣ୍ଠ ଖୁଣ୍ଟିଆ, ମାୟାଧର ମହାରଣା, ଧ୍ରୁବ ଚରଣ କର, ପୂର୍ଣ୍ଣ ଚନ୍ଦ୍ର ଗୋଛିକାର, ଅନାମ ଚନ୍ଦ୍ର ସାହୁ, ସୁକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.