ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ସ୍ଥାନୀୟ ଡିଆର୍‌ଡିଏ ସମ୍ମିଳନୀ କକ୍ଷଠାରେ ବଲାଙ୍ଗିର ଜିଲ୍ଲାରେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ବିଭିନ୍ନ ବିଭାଗ ପକ୍ଷରୁ ଗ୍ରହଣ କରାଯାଉଥିବା ସତର୍କତା ମୂଳକ ପଦକ୍ଷେପ ସଂପର୍କିତ ଏକ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ପିଡ଼ି ଡିଆର୍‌ଡିଏ ଡ. ମହେଶ୍ୱର ସ୍ୱାଇଁ, ଟିଟିଲାଗଡ଼ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ବଲାଙ୍ଗିର ଉପଜିଲ୍ଲାପାଳ ସୁଧାକର ନାୟକ, ପାଟଣାଗଡ଼ ଉପଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ବ୍ଲକର ବିଡ଼ିଓ, ତହସିଲ୍‌ଦାର, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ରୀନା ନାଏକ ପ୍ରମୁଖ ଉପସ୍ଥିତି ଥିଲେ । ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ତିତିର ମୁକାବିଲା ନିମନ୍ତେ ବିଭାଗୀୟ ଅଧିକାରୀମାନେ ସଜାଗ ଓ ତୟାର ରହିବା ସହିତ କ୍ଷେତ୍ର କର୍ମଚାରୀ ଓ ଅଧିକାରୀମାନଙ୍କୁ ଏ ସଂପର୍କରେ ସୂଚୀତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ପାନୀୟ ଜଳର ସମସ୍ୟା ସଂପର୍କରେ ଅଭିଯୋଗ ପାଇବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମସ୍ୟାର ସମାଧାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏତଦ୍‌ ବ୍ୟତୀତ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ଅଂଶୁଘାତର ମୁକାବିଲା ପାଇଁ ଜିଲ୍ଲାର ପ୍ରତ୍ୟେକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ହସ୍‌ପିଟାଲ୍‌ ଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଔଷଧ ତଥା ଅନ୍ୟାନ୍ୟ ଆନୁସଂଗିକ ବ୍ୟବସ୍ଥା ଗ୍ରହଣ କରିବାକୁ ସିଡ଼ିଏମ୍‌ଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ର ଓ ହସ୍‌ପିଟାଲ୍‌ ଗୁଡ଼ିକରେ ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ପ୍ରତ୍ୟେକ ବ୍ଲକ୍‌, ତହସିଲ ଓ ସଂପୃକ୍ତ ଅନ୍ୟାନ୍ୟ କାର୍ଯ୍ୟାଳୟ ଗୁଡ଼ିକରେ କଂଟ୍ରୋଲ ରୁମ୍‌ ଖୋଲିବା ନିମନ୍ତେ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଅଚଳ ହୋଇଥିବା ନଳକୂପ ତଥା ଅନ୍ୟାନ୍ୟ ଜଳ ଉତ୍ସ ଗୁଡ଼ିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ପାନୀୟ ଜଳ ଯୋଗାଣ ଓ ତତ୍‌ ସଂକ୍ରାନ୍ତୀୟ ସମସ୍ୟା ସଂପର୍କରେ ପଦକ୍ଷେପ ଗ୍ରହଣ କରିବା, ଅଂଶୁଘାତ ଜନିତ ମୃତ୍ୟୁର ଯଥାଶୀଘ୍ର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା, ଜିଲ୍ଲାର ପ୍ରତ୍ୟେକ ପୌରପରିଷଦ, ଏନ୍‌ଏସି, ବ୍ଲକ, ପଞ୍ଚାୟତ ଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଜନଗହଳି ସ୍ଥାନ, ବସ୍‌ଷ୍ଟେଣ୍ଡ ମାନଙ୍କରେ ଜଳ ଛତ୍ର ଖୋଲିବା, ଜଳକ୍ଲିଷ୍ଟ ଅଂଚଳରେ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦେବା ଇତ୍ୟାଦି ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା । ଯାତ୍ରୀବାହୀ ବସ୍‌ ତଥା ଅନ୍ୟାନ୍ୟ ଯାତ୍ରୀବାହୀ ଯାନବାହାନ ଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ଓ ଓଆର୍‌ଏସ୍‌ ପ୍ୟାକେଟ୍‌ ରଖିବା ସକାଶେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏତଦ୍‌ ବ୍ୟତୀତ ଶ୍ରମିକ ମାନେ କାର୍ଯ୍ୟ କରୁଥିବା କାର୍ଯ୍ୟସ୍ଥଳୀ ଗୁଡ଼ିକରେ ପର୍ଯ୍ୟାପ୍ତ ପାନୀୟ ଜଳ, ଓଆର୍‌ଏସ୍‌ ପ୍ୟାକେଟ୍‌ ରଖିବା ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମ ସମୟରେ ଗୋରୁ, ଗାଈ ଇତ୍ୟାଦି ପ୍ରାଣୀ ସଂପଦଙ୍କ ପଇବା ପାଣିର ବ୍ୟବସ୍ଥା ପାଇଁ ତଥା ଔଷଧ ରଖିବା ନିମନ୍ତେ ବିଡ଼ିଓ ଏବଂ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସାମାଜିକ ସୁରକ୍ଷା ଯୋଜନା ଜରିଆରେ ଚାଉଳ ପାଉଥିବା ହିତାଧିକାରୀ ତଥା ପେନ୍‌ସନ୍‌ଭୋଗୀଙ୍କୁ ସକାଳ ୯ ଘଟିକା ସୁଦ୍ଧା ନିର୍ଦ୍ଧାରିତ ତାରିଖ ମାନଙ୍କରେ ବଂଟନ କରିବାକୁ ସମସ୍ତ ବିଡ଼ିଓ, ନିର୍ବାହୀ ଅଧିକାରୀ ପୌର ପରିଷଦ, ଏନ୍‌ଏସି.ଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ଓ ଅଂଶୁଘାତ ସତର୍କତା ସଂପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ଉପରେ ବୈଠକରେ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.