- ମଦ୍ୟପଙ୍କ ଉତ୍ପାତ ଓ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ଉପରେ ଗୁରୁତ୍ୱ
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସ୍ଥାନୀୟ ଜନସାଧାରଣ, ପଞ୍ଚାୟତ ରାଜ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ଓ କର୍ତ୍ତବ୍ୟ ରତ ପୋଲିସଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ତଥା ଆଇନ ଶୃଙ୍ଖଳା ରକ୍ଷା କ୍ଷେତ୍ରରେ ସହଭାଗିତା ଆଦି ଲକ୍ଷ୍ୟ ନେଇ ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂହଙ୍କ ମାର୍ଗଦର୍ଶନ କ୍ରମେ ଡେଲାଙ୍ଗ ଥାନା ପରିସରରେ ମଙ୍ଗଳବାର ଆମ ପୁଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ଥାନା ଅଧିକାରୀ ମମତା ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ପୁରୀ ଜିଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସଚ୍ଚିନ ପଟେଲ, ମୁଖ୍ୟବକ୍ତା ଭାବେ ପିପିଲି ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦେବାଶିଷ ମିଶ୍ର ଡେଲାଙ୍ଗ ଅଂଚଳର ଆଇନ୍ ଶୃଙ୍ଖଳା ଜନିତ ବିଭିନ୍ନ ସମସ୍ୟା ଓ ପ୍ରତିକାର ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରିଥିଲେ । ସ୍ଥାନୀୟ ଅଂଚଳରେ ଚୋରି, ଡକାୟତି, ରାହାଜାନୀ, ହତ୍ୟା, ପାରିବାରିକ ହିଂସା, ନାବାଳିକା ନିଖୋଜ ଓ ଅପହରଣ, ବରିଷ୍ଠ ନାଗରିକଙ୍କ ସୁରକ୍ଷା, ବେଆଇନ ନିଶା କାରବାର, ଡେଲାଙ୍ଗ ହାଟ ବଜାର ଓ ଷ୍ଟେସନ ବଜାରରେ ଟ୍ରାଫିକ ସମସ୍ୟା ସମ୍ପର୍କରେ ବିଭିନ୍ନ ବକ୍ତା ଗୁରୁତ୍ୱାରୋପ କରିଥିଲେ । ସ୍ଥାନୀୟ ଅଂଚଳରେ ଥିବା ବିଭିନ୍ନ ମଠ, ମନ୍ଦିର ଓ ଧର୍ମାନୁଷ୍ଠାନ ସହ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଗ୍ରାମ ପଂଚାୟତ, ମନ୍ଦିର ପରିଚାଳକ ତଥା ସମାଜସେବୀଙ୍କ ପକ୍ଷରୁ ଗୁପ୍ତ କ୍ୟାମେରା (ସିସିଟିଭି )ସଂସ୍ଥାପନ କରିବା ପାଇଁ ଉପଖଣ୍ଡ ଅଧିକାରୀ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ । ବିପଦ ସମୟ ହେଉ କିମ୍ବା କୌଣସି ଅଘଟଣ ସମ୍ପର୍କରେ ଆଗୁଆ ସୂଚନା ହେଉ, କିମ୍ବା ଆପତ୍ତିଜନକ ସାମଗ୍ରୀର ବେଆଇନ ପରିବହନ ହେଉ ଜନସାଧାରଣଙ୍କଠାରୁ ଚବିଶ ଘଣ୍ଟିଆ ଟେଲିଫୋନ ବାର୍ତ୍ତା ଗ୍ରହଣ କରିବାର ଅତ୍ୟନ୍ତ ଆବଶ୍ୟକତା ଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପଟେଲ ଥାନା ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ସୂଚନା ଦାତାଙ୍କ ପରିଚୟ ଗୋପନ ରଖିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଦେଇଥିଲେ । ନିୟମିତ ବ୍ୟବଧାନରେ ପୋଲିସ ପଇଁତରା (ପେଟ୍ରୋଲିଙ୍ଗ) କରାଗଲେ ଅପରାଧୀମାନେ ନିର୍ଭୟରେ ଅପରାଧ ଘଟାଇ ଖସିପାରିବେ ନାହିଁ ବୋଲି ଶ୍ରୀ ପଟେଲ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଡେଲାଙ୍ଗ ଷ୍ଟେସନ ବଜାର ଓ ହାଟ ବଜାରରେ ଦୀର୍ଘ ଦିନଧରି ଉପୁଜୁଥିବା ଟ୍ରାଫିକ ସମସ୍ୟାରେ ସୁଧାର ଆଣିବା ପାଇଁ ସ୍ୱେଚ୍ଛାସେବୀ ମାନଙ୍କୁ ନିୟୋଜିତ କରାଯାଇ ବିହୀତ ପଦକ୍ଷେପ ଗ୍ରହଣ କରାଯିବ ଓ ବିଭିନ୍ନ ପଂଚାୟତରେ ପୁଲିସ ପକ୍ଷରୁ ସମାବେଶ କରାଯାଇ ଆଇନ ଶୃଙ୍ଖଳା ବ୍ୟବସ୍ଥା ତ୍ୱରାନ୍ୱିତ କରାଯିବ ବୋଲି ଥାନା ଅଧିକାରୀ ମମତା ବିଶ୍ୱାଳ ଆଶ୍ୱାସନା ଦେଇଥିଲେ । ଆଗାମୀ ଫଗୁ ଦଶମୀ ଠାରୁ ବିଭିନ୍ନ ଗ୍ରାମର ଠାକୁରଙ୍କ ଚାଚେରୀ ଭୋଗଖିଆ, ହୋଲି ଓ ବିଭିନ୍ନ ଗ୍ରାମରେ ମେଳଣ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏଥିପ୍ରତି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇ ଶାନ୍ତି ଶୃଙ୍ଖଳା ସହିତ ଠାକୁରଙ୍କ ନୀତିକାନ୍ତି ସମ୍ପାଦନ କରାଯିବା କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କ ସହାୟତା ଆବଶ୍ୟକ ବୋଲି ଥାନା ଅଧିକାରୀ ଶ୍ରୀମତୀ ବିଶ୍ୱାଳ ପ୍ରକାଶ କରିଥିଲେ । ସାଧାରଣ ଜନତା ଓ ପୁଲିସ ମଧ୍ୟରେ ସୁସମ୍ପର୍କ ରହିଲେ ଅପରାଧ ହାର କମିବା ସହିତ ଶାନ୍ତି ଶୃଙ୍ଖଳା ବଜାୟ ରହିବ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପଟେଲ ଆଶାବ୍ୟକ୍ତ କରିଥିଲେ । ଏହି ସମାବେଶରେ ସରପଂଚ ଦୀପକ କୁମାର ସାହୁ, ମାର୍କଣ୍ଡ ମଙ୍ଗରାଜ, ବିଶ୍ୱନାଥ ପଟନାୟକ ଲକ୍ଷ୍ମୀପ୍ରିୟା ପ୍ରଧାନ, ସମିତି ସଭ୍ୟ ନରେନ୍ଦ୍ର ପ୍ରଧାନ, ମିନତୀ ପଣ୍ଡା, ସମରେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ପଂଚାୟତରେ ଉପୁଜୁଥିବା ଆଇନ୍ ଶୃଙ୍ଖଳା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବା ସହିତ ସମସ୍ୟାର ସମାଧାନ ପାଇଁ ପ୍ରସ୍ତାବ ରଖିଥିଲେ । ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସମ୍ପାଦକ କିଶୋର ପ୍ରଧାନ ସମାବେଶ ସଂଯୋଜନା କରିଥିବା ବେଳେ ଏସ୍ଆଇ ସୁଧାଂଶୁ ବାରିକ, ଏଏସ୍ଆଇ ପ୍ରଭାତ କୁମାର ପଲେଇ, ବିନୋଦିନୀ ବେହେରା, ଗୃହରକ୍ଷୀ ପ୍ରମୋଦ କୁମାର ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରୀୟ ସହଯୋଗ କରିଥିଲେ । ପ୍ରାରମ୍ଭରେ ସମସ୍ତଙ୍କୁ ଥାନା ପକ୍ଷରୁ ଗୋଲାପ ଫୁଲ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା । ବର୍ଷୀୟାନ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଖବର ପ୍ରସାରଣ ପାଇଁ ପ୍ରତ୍ୟହ ନିର୍ଦ୍ଦିଷ୍ଟ ସମୟରେ ଥାନା ପକ୍ଷରୁ ଗଣ ମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେବାକୁ ନିବେଦନ କରିଥିଲେ ।