ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ତଥା ବିଶ୍ୱବନ୍ଦନୀୟା ମା’ ତାରାତାରିଣୀଙ୍କ ଚୈତ୍ରପର୍ବ ମେଳା ସୁରୁଖୁରୁରେ ସମାହିତ କରାଯିବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ୱି. କୀର୍ତ୍ତି ୱାସନଙ୍କ ଅଧ୍ୟକ୍ଷତାରେ ଏ ନେଇ ଏକ ପ୍ରସ୍ତୁତି ବୈଠକ ବୁଧବାର ଅପରାହ୍ନରେ ଟ୍ରଷ୍ଟ ବୋର୍ଡ଼ କମିଟିର ସକ୍ରୀୟ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ମାର୍ଚ୍ଚ ମାସରେ ପଡ଼ୁଥିବା ୪ ଟି ମଙ୍ଗଳବାର ପାଳି, ଯଥା ୧୦, ୧୭, ୨୪ ଏବଂ ୩୧ ତାରିଖ ଦିନ ଏହି ପର୍ବ ପାଳି ମହାଆଡମ୍ବରରେ ଉତ୍ସବ ମୁଖର ଭାବେ ପାଳନ କରିବା ନେଇ ଆଲୋଚନା ହୋଇଛି । ମା’ଙ୍କ ପୀଠକୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢିବାକୁ ଲାଗିଛି । ତେଣୁ, ଚଳିତ ବର୍ଷ ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ବିଗତ ବର୍ଷ ତୁଳନାରେ ଅଧିକ ସଂଖ୍ୟକ ଭକ୍ତ, ଶ୍ରଦ୍ଧାଳୁ ତଥା ମାନସିକଧାରୀଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ବିଭାଗୀୟ ଅଧିକାରୀମାନେ ପ୍ରାକ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଭକ୍ତମାନଙ୍କ ଯାତାୟତ ପାଇଁ ଅଧିକସଂଖ୍ୟକ ବସ ସେବାର ବ୍ୟବସ୍ଥାପନା ଉପରେ ମତ ପ୍ରକାଶ ପାଇଛି । ଆବଶ୍ୟକୀୟ ପାନୀୟ ଜଳ ଯୋଗାଣ, ଭକ୍ତଙ୍କୁ ଅନ୍ନପ୍ରସାଦ ବ୍ୟବସ୍ଥା, ମୁଣ୍ଡନ ସକାଶେ ଉପଯୁକ୍ତ ସ୍ଥାନ ନିରୂପଣ କରାଯିବା, ସୁନ୍ଦର ସାଜସଜ୍ଜା ଓ ଆଲୋକୀକରଣ କରିବା, ତୋରଣ ନିର୍ମାଣ, ଦୈନିକ ପୂଜାବିଧି, ଚଣ୍ଡୀପାଠ ସହ ଘୃତଯଜ୍ଞ, ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ କାର୍ଯ୍ୟନେୁଷ୍ଠାନ ଗ୍ରହଣ, ଅସ୍ଥାୟୀ ଦୀପ ଲଗାଇବା ସ୍ଥାନ, ଟ୍ରାଫିକ ନିୟନ୍ତ୍ରଣ, ଭ୍ରାମ୍ୟମାଣ ଶୌଚାଳୟ, ପରିମଳ, ଅଗ୍ନିଶମ ନିର୍ବାପକ, ପ୍ରାଥମିକ ଚିକିତ୍ସା ସମେତ ଅଂଶୁଘାତ ଚିକିତ୍ସା ଓ ଆମ୍ବୁଲାନ୍ସ ବ୍ୟବସ୍ଥା, ଦାନ, ରାସ୍ତା ମରାମତି, ଅସ୍ଥାୟୀ ସୂଚନା କେନ୍ଦ୍ର, ଭଜନ ସମାରୋହ, ରୋପୱେ ଯାତ୍ରୀ ପରିବହନ ବ୍ୟବସ୍ଥା ଆଦି ସମସ୍ତ ବିଷୟରେ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା । ବିଗତ ବର୍ଷ ମାନଙ୍କରେ ଯେଉଁ ସବୁ ଅସୁବିଧା ପରିଲିକ୍ଷିତ ହୋଇଥିଲା ତାହା ଯେପରି ଏ ବର୍ଷ ପୁନରାବୃତ୍ତି ହେବନାହିଁ ସେଥି ନିମନ୍ତେ ବିଶେଷ ଯତ୍ନବାନ ହେବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ବିଗତ ବର୍ଷ ଭଳି ଚାରୋଟି ସ୍ଥାନରେ ମୁଣ୍ଡନ କରାଯିବ । ସେଠି ଭକ୍ତମାନଙ୍କ ପାଇଁ ଆଲୋକୀକରଣ ଓ ସୁରକ୍ଷାବ୍ୟବସ୍ଥା କରାଯିବ । ନଦୀ କୂଳରେ ଭକ୍ତଗଣ ଯେପରି ସୁବିଧାରେ ସ୍ନାନ କରିବା ସହିତ ଜଳ ଉଠାଇ ପାରିବେ ସେଥିପାଇଁ ଆବଶ୍ୟକୀୟ ଆଲୋକୀକରଣ ଓ ଅନ୍ୟାନ୍ୟ ବନ୍ଦୋବସ୍ତ କରାଯିବ । ପ୍ରବଳ ଜନଗହଳିକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ଯାତାୟତ ନିମନ୍ତେ ବିଗତ ବର୍ଷ ଠାରୁ ଅଧିକ ସଂଖ୍ୟକ ବସ ନିୟୋଜିତ କରାଯିବ । ମନ୍ଦିର ଉପରକୁ ଯିବାପାଇଁ ବର୍ତ୍ତମାନ ବସ ଟିକଟ ୪୦ ଟଙ୍କା ରହିଛି, ତା’ସହିତ ରୋପ-ୱେ ଟିକଟ ୬୦ ଟଙ୍କା ରହିଛି ଚୈତ୍ର ପର୍ବ ସମୟରେ ମଧ୍ୟ ଏହି ମୂଲ୍ୟରେ କୌଣସି ପରିବର୍ତ୍ତନ ହେବନାହିଁ । ଜିଲ୍ଲାର ଜନ ପ୍ରତିନିଧିମାନଙ୍କ ଉପସ୍ଥିତିରେ ମା’ଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ବୈଠକରେ ପୂର୍ଣ୍ଣାଙ୍ଗ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ଛତ୍ରପୁର ଉପ-ଜିଲ୍ଲାପାଳ ଶୁଭାଶିଷ ବରାଳ, ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା, ପୁରୁଷୋତ୍ତମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ପତ୍ର , ଟ୍ରଷ୍ଟର ବରିଷ୍ଠ ସଦସ୍ୟ ତଥା ସଂପାଦକ ପ୍ରମୋଦ କୁମାର ପଣ୍ଡା, ବରିଷ୍ଠ ସେବାୟତ ବାପୁଜୀ ରଣା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ, ସେବାୟତ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ବୈଠକରେ ଉପସ୍ଥିତ ଥିଲେ ।