ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପୁଇଁନ୍ତଲା ବ୍ଲକର ପ୍ରାଥମିକ ଠାରୁ ଆରମ୍ଭ କରି ମାଧ୍ୟମିକ ବିଦ୍ୟାଳୟ ପର୍ଯ୍ୟନ୍ତ ପ୍ରତ୍ୟେକ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ୨୦୨୫-୨୬ର ସ୍ଵତନ୍ତ୍ର ଅଭିଭାବକ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ କି ,”ଆସ ସ୍କୁଲ ଯିବା” ଅଭିଯାନ ସମ୍ପର୍କରେ ଆଲୋଚନା କରାଯାଇଛି । ମଲମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଟେଲଙ୍କ ଆବାହକତ୍ୱରେ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ନନ୍ଦଳାଲ ସେଠଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରମୋଦ କୁମାର ପଟେଲ ଯୋଗଦେଇ, ରାଜ୍ୟରେ ଜନ୍ମରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ଚିହ୍ନଟ କରିବା ଓ ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କୁ ବିଦ୍ୟାଳୟର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଘରକୁ ଘର ବୁଲି ଶିକ୍ଷକ ମାନଙ୍କ ଦ୍ଵାରା ରାଜ୍ୟସରକାରଙ୍କ ତରଫରୁ ସର୍ବେକ୍ଷଣ ସମ୍ପାଦିତ ହୋଇଥିବା ଓ ଶିକ୍ଷାନୀତି ୨୦୨୦କୁ ଆଧାର କରି ରାଜ୍ୟ ସରକାର ସମସ୍ତ ପିଲାମାନଙ୍କୁ ବିଦ୍ୟାଳୟରେ ନାମ ଲେଖାଇ ବିକଶିତ ଓଡିଶା ଗଢିବାରେ ସଂକଳ୍ପ ନେଇଥିବା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି କ୍ରମରେ ଶ୍ରୀ ପଟେଲ ଅଭିଭାବକମାନଙ୍କୁ ଅଧାରୁ ପାଠ ଛାଡିଥିବା, ଆଦୌ ନାମ ଲେଖାଇନଥିବା, ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଅଭିଯାନ, ଅଭିଭାବକମାନଙ୍କ ଠାରୁ ବିଦ୍ୟାଳୟ ଶିକ୍ଷାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଗଠନମୂଳକ ପ୍ରସ୍ତାବ ଉପରେ ଆଲୋକପାତ କରିବା ସହ ଅଭିଭାବକମାନେ ନିୟମିତ ବ୍ୟବଧାନରେ ବିଦ୍ୟାଳୟ ପରିଦର୍ଶନରେ ଆସି ଶିଶୁର ଶୈକ୍ଷିକ ଅଗ୍ରଗତି ସଂପର୍କରେ ପଚାରି ବୁଝିବାକୁ ପରାମର୍ଶ ଦେଇଥିଲେ । ଅଭିଭାବକ, ଅଭିଭାବିକା, ଏସ୍ଏମ୍ସି ସଦସ୍ୟ-ସଦସ୍ୟା ଓ ଅଙ୍ଗନୱାଡୀ କର୍ମୀ ମାନେ ମଧ୍ୟଯୋଗ ଦେଇ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶିକ୍ଷୟିତ୍ରୀ ରଞ୍ଜିତା ଜେନା, କଳ୍ପନା ରାଣୀ ପଟେଲ, ଇତିଶ୍ରୀ ଦାଶ ସହଯୋଗ କରିଥିବା ବେଳେ ଶିକ୍ଷକ କାହ୍ନା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
