ରାଜ୍ୟସ୍ତରୀୟ ସମ୍ବିଧାନ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ଉଚ୍ଚ ବିଦ୍ୟାଳୟ ଠାରେ ୨୬ ନଭେମ୍ବର ସମ୍ବିଧାନ ଦିବସକୁ ଡିସେମ୍ବର ୧ ତାରିଖ ଦିନ ରାଜ୍ୟ ସ୍ତରରେ ପାଳନ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶ ଥାଉକି ଯେ, ଆଗାମୀ ୨୬ ନଭେମ୍ବର ୨୦୨୪ରେ ଭାରତର ସମ୍ବିଧାନ ଲାଗୁ ହେବାରେ ୭୫ ବର୍ଷ ପୂର୍ତ୍ତି ହେବ । ଏହି ୭୫ ବର୍ଷ ପୂର୍ତ୍ତି ପ୍ଲାଟିନିୟମ୍‌ ଜୁବୁଲି ଭାବରେ ପାଳନ କରିବା ପାଇଁ ମୂଳ ନିବାସୀ ବହୁଜନ ମିଳିତ ମହାସଂଘ (ଏସ୍‌ସି, ଏସ୍‌ଟି, ଓବିସି, ସଂଖ୍ୟାଲଘୁ)ର ସଦସ୍ୟମାନେ ଏହାକୁ ସଫଳ କରିବାକୁ ନିଜ ନିଜ ମତ ପୋଷଣ କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ କିପରି ସମ୍ବିଧାନର ମୂଳତତ୍ତ୍ୱ ସାଧାରଣ ଲୋକଙ୍କ ପାଖକୁ ପହଂଚି ପାରିବ ଏବଂ ଲୋକେ ଜାଣି ପାରିବେ ତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ଆହୁରି ମଧ୍ୟ ଆସନ୍ତା ୨୭ ତାରିଖ ଦିନ ବରଗଡ ସ୍ଥିତ ଗନିଆପାଲି ବୌଦ୍ଧ ବିହାର ଠାରୁ ବାହାରିବାକୁ ଥିବା ସମ୍ବିଧାନ ରଥ କିପରି ରାଜ୍ୟ ସାରା ପରିଭ୍ରମଣ କରିବ ତା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହି ଆଲୋଚନା ଚକ୍ରରେ ଆଇଜୀବୀ ଦିନେଶ ନାଗଙ୍କ ସଭାପତିତ୍ୱରେ ଆଦିବାସୀ ସଂଘ ସଭାପତି ସତ୍ୟନାରାୟଣ ଭୋଇ, ଅବସରପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ ବେଲାରସିଂ ଭୋଇ, ମନୋରଂଜନ ସାହୁ, ପଛୁଆ ବର୍ଗ ସଭାପତି ପ୍ରଦେଶି ବିଶ୍ୱାଲ, ଆଇନଜୀବୀ ଉମାକାନ୍ତ ସାହୁ, ଯାଦବ ସମାଜ ସଭାପତି ସନ୍ଦିପ ବାଗ, ସରୋଜ ମେଶ୍ୱା, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲ, ଦିଲ୍ଲୀପ ଭୋଇ, କାଳିନ୍ଧି ଭୋଇ, ଅର୍ଜୁନ ମୁଗ୍ରୀ, ସୁନିଲ ନନ୍ଦ, ସତ୍ୟ ବନଛୋର, ପାଣ୍ଡବ ଭୋଇ, ଟଙ୍କଧର ଗଡତ୍ୟା, ତରଣୀସେନ ଦୀପ, ସୂର୍ଯ୍ୟମଣି ସୁନା, ବାବୁଲାଲ ଛତାର ପ୍ରମୁଖ ସଦସ୍ୟମାନେ ନିଜ ନିଜ ମତ ପ୍ରଦାନ କରିଥିଲେ । ଶେଷରେ ହିମାଂଶୁ ବିଭାର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.