ବୈଶାଖ ମେଳା ପରିଚାଳନା କମିଟି ଓ ପ୍ରଶାସନିକ ଅଧିକାରୀଙ୍କ ମିଳିତ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମ ମହୋତ୍ସବ ତଥା ବୈଶାଖ ମେଳା ଆସନ୍ତା ମଇ ଏକ ତାରିଖରୁ ପାଞ୍ଚ ତାରିଖ ଯାଏଁ ଅନୁଷ୍ଠିତ ହେବ । ଏହି ମେଳା ସୁନ୍ଦର ଭାବରେ ପରିଚାଳନା କରିବା ପାଇଁ ମଙ୍ଗଳବାର ଭୋଗ ମଣ୍ଡପଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମନ୍ଦିର ଟ୍ରଷ୍ଟି ସୁରେନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଶାଖ ମେଳାରେ ପରିଚାଳନା କମିଟିର ୩୫ ଜଣ ସଭ୍ୟ ଓ ସ୍ଥାନୀୟ ସମସ୍ତ ବିଭାଗୀୟ ଅଧିକାରୀ ଯୋଗ ଦେଇଥିବା ବେଳେ ଅତିଥି ଭାବରେ ପଦ୍ମପୁର ଉପଜିଲ୍ଲାପାଳ ସଦାକର କୁମ୍ଭାର ତଥା ଏସ୍‌ଡିପିଓ ବିଭୁତି ଭୁଷଣ ଭୋଇ ଯୋଗ ଦେଇଥିଲେ । ସଭାରେ ଶାନ୍ତି ଶୃଙ୍ଖଳା ସହ ସମସ୍ତ କାମ କରାଯିବା ପାଇଁ କମିଟି ସଭ୍ୟ ଓ ବିଭାଗୀୟ ଅଧିକାରୀମାନଙ୍କୁ ଉପ ଜିଲ୍ଲାପାଳ ସୁଚିନ୍ତିତ ମତାମତ ସହ ଉପଦେଶ ଦେଇଥିଲେ । ଦୋକାନୀମାନଙ୍କ ପାଇଁ ସ୍ଥାନ ନିରୂପଣ ଓ ସୌଦର୍ଯ୍ୟକରଣ ପାଇଁ କରାଯାଉଥିବା ନିର୍ମାଣ କାମକୁ ୨୦ତାରିଖ ସୁଦ୍ଧା ବନ୍ଦ କରାଯାଇ ରାସ୍ତା ଚାରିପଟକୁ ଗମନା ଗମନ ପାଇଁ ସୁବିଧା କରିବାକୁ ପ୍ରସ୍ତାବ ନିଆଯାଇଥିଲା । ବିଦ୍ୟୁତ୍, ପାନୀୟ ଜଳ, ଶାନ୍ତି ଶୃଙ୍ଖଳା, ସଂସ୍କୃତିକ କାର୍ଯ୍ୟକ୍ରମ, ଅଭ୍ୟର୍ଥନା, ସ୍ୱାସ୍ଥ୍ୟ ଆଦି ୯ଟି କମିଟି କରାଯାଇଥିଲା । ଏହି କମିଟି ନିଜ ନିଜ ମଧ୍ୟରେ ଯୋଗାଯୋଗ କରି ଆହୁରି ଅନେକ ଆଲୋଚନା କରି ବୈଠକ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଶେଷରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.