
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ମାଉସୀ ଘରୁ ବାହୁଡ଼ିଛନ୍ତି ତିନି ଠାକୁର । ଏହି କ୍ରମରେ ରଥଯାତ୍ରା ଦିନ ସ୍ଥାନୀୟ ୧୮୯ ବାଟାଲିଅନ୍ ସିଆର୍ପିଏଫ୍ ମୁଖ୍ୟାଳୟରୁ କଲେଜଛକ ସ୍ଥିତ ମାଉସୀ ମନ୍ଦିର(ଦୁର୍ଗା ମଣ୍ଡପ)କୁ ଯାଇଥିବା ଦାରୁବ୍ରହ୍ମଙ୍କ ରଥ ଫେରିଛି ପୁଣି ସିଆର୍ପିଏଫ୍ ମୁଖ୍ୟାଳୟର ମନ୍ଦିରକୁ । ସହସ୍ରାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ହରିବୋଲ, ହୁଳହୁଳିରେ ଉଛୁଳି ପଡ଼ିଛି ଆଜି ଶାନ୍ତିପଡ଼ା ଦାଣ୍ଡ । ସିଆର୍ପିଏଫ୍ ଅଧିକାରୀ ତଥା ଯବାନ ସମୂହ ଏବଂ ସ୍ଥାନୀୟ ଲୋକେ ଓ ମା’ ମାଉସୀମାନେ ବଡ଼ ଉତ୍ସାହର ସହ ଦାରୁବ୍ରହ୍ମଙ୍କ ରଥକୁ ଟାଣି ଆଣିଛନ୍ତି ସିଆର୍ପିଏଫ୍ ମୁଖ୍ୟାଳୟ ପର୍ୟ୍ୟନ୍ତ । ଏହି ଅବସରରେ ଅବସରପ୍ରାପ୍ତ ସୈନିକ ସଂଘର ସଂପାଦକ ପ୍ରତାପ ରଥ ଧାରା ବିବରଣୀ ପ୍ରଦାନ କରି ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କୁ ଉତ୍ସାହିତ କରିଥିବା ଦେଖିବାକୁ ମିଳିଛି । ଲୋକଙ୍କ ଆନନ୍ଦ ଉଲ୍ଲାସରେ ଉଛୁଳି ପଡ଼ିଛି ସାରା ଅଂଚଳ ।
