ନନ୍ଦନକାନନକୁ ଅଣାଯିବ ମହାବଳ ବାଘ, ବନ ବିଭାଗ ଓ ଏନ୍‌ଟିସିଏ ଓ ବିଶେଷଜ୍ଞଙ୍କ ପ୍ରୟାସ

ବ୍ରହ୍ମପୁର : ମହାରାଷ୍ଟ୍ରରୁ ଆସି ଗଞ୍ଜାମରେ ଗତ ୮ ମାସ ହେଲା ବୁଲୁଛି ମହାବଳ ବାଘ । ଏଯାଏ ବନ ବିଭାଗ ତା’ର ଟେର୍‌ ପାଉନି । ଏହାକୁ ନେଇ ମହାବଳକୁ ନନ୍ଦନକାନନ ପଠାଇବାକୁ ଯୋଜନା କଲାଣି । ମହାବଳର ସୁରକ୍ଷା ଚିନ୍ତା ବଢ଼ିବା ପରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣର ସଦସ୍ୟ, ବ୍ୟାଘ୍ର ବିଶେଷଜ୍ଞ, ନନ୍ଦନକାନନ ଟିମ୍‌, ବରିଷ୍ଠ ପ୍ରାଣୀ ଚିକିତ୍ସକଙ୍କ ସମେତ ବନ ବିଭାଗର ବରିଷ୍ଠ ଅଧିକାରୀମାନେ ଏବେ ମହାବଳକୁ ନନ୍ଦନକାନନ ଆଣିବା ଉପରେ ଆଲୋଚନା କରୁଛନ୍ତି । ବନ୍ୟପ୍ରାଣୀ ପିସିସିଏଫ୍‌ଙ୍କ ପକ୍ଷରୁ ସ୍ୱତନ୍ତ୍ର ଟିମ୍‌ ଗଢ଼ି ମହାବଳକୁ ଟ୍ରାପ୍‌ କରିବା ପରେ ନନ୍ଦନକାନନ ଅଣାଯିବ । ନିୟମିତ ବାଘର ଗତିବିଧି ଉପରେ ନଜର ରଖାଯାଉଛି । ଏଥିପାଇଁ ସ୍ୱତନ୍ତ୍ର ଟିମ୍‌ ନିୟୋଜିତ ରହିଥିବା କହିଛନ୍ତି ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ । ଗତ ୮ ମାସ ହେଲା ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡରେ ବୁଲୁଛି ମହାବଳ ବାଘ । ଏବେ ଖୋର୍ଦ୍ଧା ମହୁଲିଆ ଓ ରଜନୀ ସେକ୍ସନ୍‌ ଏବଂ ଗଞ୍ଜାମ ଜିଲ୍ଲା ବୁଗୁଡ଼ାର କିରିଆମ୍ବାରେ ମହାବଳର ଗତିବିଧି ପରିଲକ୍ଷିତ ହୋଇଥିବା ବନ ବିଭାଗ ସୂତ୍ରରୁ ଜଣାପଡିଛି । ବୁଲିବା ସମୟରେ ଗୃହପାଳିତ ପଶୁଙ୍କ ଉପରେ ବାଘ ପଞ୍ଝା ମାରିଛି, କିନ୍ତୁ କୌଣସି ମଣିଷକୁ ଆଘାତ ପହଞ୍ଚାଇନି । ଦକ୍ଷିଣ ଓ ଉତ୍ତର ଘୁମୁସରରେ ୧୯ଟି ଗୃହପାଳିତ ପଶୁଙ୍କୁ ମାରିଥିବା ଅଭିଯୋଗ ହେବା ପରେ ବନ ବିଭାଗ ପକ୍ଷରୁ କ୍ଷତିପୂରଣ ବାବଦରେ ସହାୟତା ଯୋଗାଇ ଦିଆଯାଇଛି । ମହାରାଷ୍ଟ୍ରରୁ ଆସିଥିବା ଏହି ମହାବଳକୁ ନେଇ ଏବେବି ଗଞ୍ଜାମ ଜିଲ୍ଲାର ସୀମା କିରିଆମ୍ବା ସଂରକ୍ଷିତ ଜଙ୍ଗଲ ନିକଟ ଗାଁଗଣ୍ଡାରେ ଲୋକଙ୍କ ମଧ୍ୟରେ ଭୟ ଲାଗିରହିଛି ।

Leave A Reply

Your email address will not be published.