- ୨୦ରୁ ୨୮ ନଭେମ୍ବର, ୨୦୨୫ ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ହେବ ଆଇଏଫ୍ଏଫ୍ଆଇର ୫୬ତମ ସଂସ୍କରଣ
ନୂଆଦିଲ୍ଲୀ, (ପିଆଇବି) : ଗୋଆରେ ଅନୁଷ୍ଠିତ ହେବାକୁ ଥିବା ୫୬ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ) ପରିଚାଳନା ସମିତିର ପ୍ରଥମ ବୈଠକ ଆଜି ମୁମ୍ବାଇସ୍ଥିତ ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମ (ଏନ୍ଏଫ୍ଡିସି) ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ, ମହୋତ୍ସବ ନିର୍ଦ୍ଦେଶକ ଶେଖର କପୁର, ଏନ୍ଏଫ୍ଡିସିର ପରିଚାଳନା ନିର୍ଦ୍ଦେଶକ ପ୍ରକାଶ ମଗଦୁମ, ଗୋଆ ସରକାର, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଏନ୍ଏଫ୍ଡିସିର ବରିଷ୍ଠ ଅଧିକାରୀଗଣଙ୍କ ସମେତ ଭାରତୀୟ ଓ ବିଶ୍ୱସ୍ତରୀୟ ଚଳଚ୍ଚିତ୍ର ଶିଳ୍ପର ପରିଚାଳନା ସମିତି ସଦସ୍ୟମାନଙ୍କର ଏକ ପ୍ରତିଷ୍ଠିତ ପ୍ୟାନେଲ ଉପସ୍ଥିତ ଥିଲେ । ଏହି ବୈଠକରେ ଆଇଏଫ୍ଏଫ୍ଆଇ ୨୦୨୫ ପାଇଁ ରଣନୀତିକ ଯୋଜନା ପ୍ରସ୍ତୁତି ଉପରେ ଧ୍ୟାନ ଦିଆଯାଇଥିଲା । ବିଶେଷ କରି କାର୍ଯ୍ୟକ୍ରମ ପ୍ରସ୍ତୁତି, ପ୍ରଚାରପ୍ରସାର, ପ୍ରତିଭାଙ୍କ ସହ ଯୋଗାଯୋଗ ଏବଂ ମହୋତ୍ସବକୁ ସମାବେଶୀ କରିବା, ବିଶ୍ୱସ୍ତରରେ ପହଞ୍ଚାଇବା ସହ ଜନସାଧାରଣଙ୍କ ସମ୍ପୃକ୍ତି ବୃଦ୍ଧି କରିବା ପାଇଁ ଅଭିନବ ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଆଇଏଫ୍ଏଫ୍ଆଇ ୫୬ତମ ସଂସ୍କରଣ ୨୦ରୁ ୨୮ ନଭେମ୍ବର, ୨୦୨୫ ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ହେବ । ଯୁବପିଢ଼ି ଉପରେ ବିଶେଷ ଧ୍ୟାନ ଦେଇ, ଏହି ମହୋତ୍ସବ ଛାତ୍ର ଚଳଚ୍ଚିତ୍ର ନିର୍ମାତା ଏବଂ ଯୁବ କଣ୍ଟେଣ୍ଟ ନିର୍ମାତାଙ୍କ ପାଇଁ କ୍ୟୁରେଟେଡ୍ ମାଷ୍ଟରକ୍ଲାସ୍, ଶିଳ୍ପ କର୍ମଶାଳା ଏବଂ ନେଟୱାର୍କିଂ ପ୍ଲାଟଫର୍ମ ମାଧ୍ୟମରେ ନୂତନ ସୁଯୋଗ ଆଣିଦେବ । ଏହା ନୂତନ ପ୍ରତିଭାମାନଙ୍କୁ ବିଶ୍ୱସ୍ତରୀୟ ପରାମର୍ଶଦାତାଙ୍କ ସହ ଯୋଡ଼ିବ । ନିକଟରେ ପୁନର୍ବାର ନାମକରଣ କରାଯାଇଥିବା ଦକ୍ଷିଣ ଏସିଆର ସବୁଠୁ ବଡ଼ ଚଳଚ୍ଚିତ୍ର ବଜାର ଏବଂ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପ୍ରସାରର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ରୂପେ ୱେଭ୍ସ ଚଳଚ୍ଚିତ୍ର ବଜାର ମଧ୍ୟ ଆଇଏଫ୍ଏଫ୍ଆଇ ସହିତ ଆୟୋଜନ କରାଯିବ । ପରିଚାଳନା ସମିତି ଦ୍ୱାରା ଚଳଚ୍ଚିତ୍ର ବଜାରକୁ ୱେଭ୍ସ ଚଳଚ୍ଚିତ୍ର ବଜାର ରୂପେ ପୁନଃ ନାମକରଣ କରାଯିବା ଉପରେ ଆଲୋଚନା ପରେ ଏହାକୁ ଅନୁମୋଦନ କରାଯାଇଥିଲା । ଭାରତକୁ କଣ୍ଟେଣ୍ଟ ବା ବିଷୟବସ୍ତୁ, ସୃଜନଶୀଳତା ଏବଂ ସହ-ପ୍ରଯୋଜନା ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ଭାବରେ ପ୍ରତିଷ୍ଠିତ କରିବା ପାଇଁ ଏକ ବ୍ୟାପକ ରଣନୀତିକ ଦୃଷ୍ଟିକୋଣର ଅଂଶବିଶେଷ ଭାବରେ ଏହି ନିଷ୍ପତ୍ତି ନିଆଯାଇଥିଲା । ମହୋତ୍ସବର ଢାଞ୍ଚାକୁ ଅଧିକ ସମାବେଶୀ କରିବା ଏବଂ ସୃଜନଶୀଳ ଅନ୍ତର୍ଦୃଷ୍ଟିକୁ ପ୍ରୋତ୍ସାହିତ କରିବା ପାଇଁ ପରିଚାଳନା ସମିତିର ସଦସ୍ୟ ସଂଖ୍ୟା ୧୬ରୁ ୩୧କୁ ବୃଦ୍ଧି କରାଯାଇଛି । ଏହା ଅଧିକ ବିବିଧ ହେବା ସହିତ ଶିଳ୍ପ ଜଗତର ପ୍ରତିନିଧିମାନଙ୍କୁ ମଧ୍ୟ ଏଥିରେ ସ୍ଥାନ ମିଳିପାରିଛି । କମିଟିରେ ଅନୁପମ ଖେର, ଗୁନୀତ ମୋଙ୍ଗା କପୁର, ସୁହାସିନୀ ମଣିରତ୍ନମ୍, ଖୁସବୁ ସୁନ୍ଦର, ପଙ୍କଜ ପରାଶର ଏବଂ ପ୍ରସୂନ ଜୋଶୀଙ୍କ ଭଳି ପ୍ରମୁଖ ବ୍ୟକ୍ତିବିଶେଷଙ୍କୁ ସାମିଲ କରାଯାଇଛି । ଏମାନେ ଚଳଚ୍ଚିତ୍ର, ପ୍ରଯୋଜନା, ଗଣମାଧ୍ୟମ ଏବଂ ସାଂସ୍କୃତିକ କ୍ଷେତ୍ରର ବିଶେଷଜ୍ଞ ଅଟନ୍ତି । ଆଇଏଫ୍ଏଫ୍ଆଇ ୨୦୨୫ ଭାରତର ସୃଜନଶୀଳ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି । ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ଷ୍ଟାର୍ଟଅପ୍ ଗୁଡ଼ିକୁ ସମର୍ଥନ ସହ ଏକକ-ୱିଣ୍ଡୋ ସୁବିଧା ଯୋଗାଇ ଦେବା ଏବଂ ପ୍ରୋତ୍ସାହନ-ଭିତ୍ତିକ ନୀତି ମାଧ୍ୟମରେ ଭାରତରେ ଚଳଚ୍ଚିତ୍ର ସୁଟିଂ ଲାଗି ବିଶ୍ୱସ୍ତରୀୟ ପ୍ରଯୋଜନା ସଂସ୍ଥାଗୁଡ଼ିକୁ ଉତ୍ସାହିତ କରିବାର ବ୍ୟାପକ ଦୃଷ୍ଟିକୋଣକୁ ସାକାର କରିବା ମଧ୍ୟ ଏହାର ଉଦ୍ଦେଶ୍ୟ । ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ ଆୟୋଜନ, ସମାବେଶୀ ଆଭିମୁଖ୍ୟ ଏବଂ ଚଳଚ୍ଚିତ୍ର କ୍ଷେତ୍ରରେ ଉତ୍କର୍ଷତା ପାଇଁ ଆଇଏଫ୍ଏଫ୍ଆଇର ପ୍ରତିବଦ୍ଧତା ରହିଛି । ଏହାର ୫୬ତମ ସଂସ୍କରଣ ଏକ ଐତିହାସିକ ଉତ୍ସବ ହେବାକୁ ପ୍ରସ୍ତୁତ । ଏହା ଏକ ସଂଯୁକ୍ତ, ସୃଜନଶୀଳ ଏବଂ ସହଯୋଗୀ ବିଶ୍ୱରେ ଚଳଚ୍ଚିତ୍ରର ପରିବର୍ତ୍ତିତ ପରିଭାଷାକୁ ଦର୍ଶାଇଥାଏ ।