ବଲାଙ୍ଗିର ପୋଲିସକୁ ବଡ ସଫଳତା : ଆତ୍ମ ସମର୍ପଣ କଲେ କ୍ୟାଡର ମାଓବାଦୀ ସୁର୍‌ଜନ

ବାଲାଙ୍ଗିର, (ଦେବାଶିଷ ମିଶ୍ର) : ମାଓ ଅଧ୍ୟୁଷିତ ବଲାଙ୍ଗିର ଜିଲ୍ଲାରେ ପୋଲିସକୁ ବଡ ସଫଳତା ମିଳିଛି । ତା’ସହ ମାଓବାଦ ଦମନ ଓ ମାଓବାଦୀଙ୍କୁ ମୁଖ୍ୟସ୍ରୋତକୁ ଫେରାଇ ଆଣିବା ନେଇ ବଲାଙ୍ଗିରରେ ନୂଆ ଆଶାର ସଞ୍ଚର ହୋଇଛି । ଆଜି ସିପିଆଇ (ମାଓବାଦୀ) ଦଳର ସକ୍ରିୟ ସଦସ୍ୟ ତଥା କେକେବିଏନ୍ ଡିଭିଜନର ଏରିଆ କମାଣ୍ଡର ଆଇତୁ କୋରସା(୨୩) ଓରଫ ସୁରଜନ ବଲାଙ୍ଗିର ପୋଲିସ ସମ୍ମୁଖରେ ଆତ୍ମ ସମର୍ପଣ କରିଛି । ବଲାଙ୍ଗିର ପୋଲିସ ଅଫିସରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର, ବଲାଙ୍ଗିର ଏସପି ନୀତିନ କୁଶଲକର, ସିଆରପିଏଫ କମାଣ୍ଡେନ୍ଟ ଜୋଗେଶ୍ୱର ସିଂ ମୋର୍ୟ୍ୟାଙ୍କ ଉପସ୍ଥିତିରେ ଆଇତୁ କୋରସା ବିଧିବଦ୍ଧ ଭାବେ ଆତ୍ମସମର୍ପଣ କରିଥିଲେ । ବଲାଙ୍ଗିର ପୋଲିସ ଆଇତୁଙ୍କୁ ଫୁଲ ତୋଡା ଦେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ସ୍ୱାଗତ କରିଛି । ଆଇତୁଙ୍କ ମୁଖ୍ୟ ସ୍ରୋତକୁ ପ୍ରତ୍ୟାବର୍ତନ ମାଓ ଅଧ୍ୟୁଷିତ ବଲାଙ୍ଗିରର ଅନେକ ପଥଭ୍ରଷ୍ଟ ଯୁବକ ଯୁବତୀ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବ ବୋଲି ପୋଲିସ ଆଶା ବାନ୍ଧିଛି ।

ପ୍ରକାଶ ଯେ, ସୁରଜନକୁ ପିଲା ଦିନରୁ ମାଓ ଆଦର୍ଶ ବିଷୟରେ ଶିକ୍ଷା ଦିଆଯାଇଥିଲା । ସପିଆଇ(ମାଓବାଦୀ)ରେ ଯୋଗ ଦେବା ପୂର୍ବରୁ ସେ ନିଜ ଗାଁ ବାଲସଂଗଠନରେ କାମ କରୁଥିଲା । ମାଓ ନେତା ଦିନେଶଙ୍କ ଦ୍ୱାର ପ୍ରଭାବିତ ହେବା ସହ ତାଙ୍କ ଅଧୀନରେ ୧୦ ଦିନ ଟ୍ରେନିଂ ମଧ୍ୟ ଗ୍ରହଣ କରିଥିଲା । ୨୦୧୩ରେ ବିବିଏମ ଡିଭିଜନର ପାର୍ଟି ମେମ୍ବର ହେବା ପରେ ପ୍ରଥମ କରି ବନ୍ଧୁକ ଧାରଣ କରିଥିଲା । ୨୦୧୬ ରେ ତାଙ୍କୁ କେକେବିଏନ ଡିଭିଜନରେ ସ୍ତାନାନ୍ତରିତ କାରାଯାଇ, ୨୦୧୮ରେ କୋଡାଙ୍ଗା ମହାନଦୀ ସଂଯୁକ୍ତ ଏରିଆ କମିଟି ଏସିଏମ କ୍ୟାଡର ଦିଆଯାଇଥିଲା । ୨୦୧୭ ଡିସେମ୍ବର ଗୋଛାପଡା ଥାନା ଅଂଚଳରେ ଆଇଡି ବିସ୍ଫୋରଣ, ୨୦୧୯ରେ କୋଡାଙ୍ଗା ଅଂଚଳରେ ଗୁଳି ବିନିମୟ ଓ ନିର୍ବାଚନ ସମୟରେ ଯାନ ବାହାନ ପୋଡି, ୨୦୨୦ ଖୌନଖମନ ଅଂଚଳରେ ଆଇଡି ବିଷ୍ଫୋରଣ, ୨୦୨୧ କାଡାଙ୍ଗା ଗୁଳି ବିନିମୟ ଓ ୨୦୨୧ ଫିରିଙ୍ଗିଆ ଥାନା ଅଂଚଳରେ ଗୁଳି ବିନିମୟରେ ସୁରଜନ ସାମିଲ ଥିବା ପୋଲିସ କହିଛି । ସେହିପରି ମାଓବାଦୀଙ୍କୁ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ ଚାଲୁଥିବା ବିଭିନ୍ନ ସରକାରୀ ଯୋଜନା, ଜଙ୍ଗଲ ଭିତରେ ସ୍ୱାସ୍ଥ୍ୟାବସ୍ଥାର ଅଭାବ, ମାଓ କ୍ୟମ୍ପରେ ଆଦିବାସୀମାନଙ୍କ ପ୍ରତି ଭେଦଭାବ, ବିକାଶଶୀଳ ସରକାରୀ ବ୍ୟବସ୍ଥା ତଥା ଶାନ୍ତିପୁର୍ଣ୍ଣ ଜୀବନର ମୋହ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଆକୃଷ୍ଟ କରିଥିବା ସୁରଜନ କହିଛି ।

Leave A Reply

Your email address will not be published.