jayashree

ନିଜ ଜମି ଫେରସ୍ତ ନ ପାଇଲେ ବଲାଙ୍ଗିର ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୂତ ଦେବି : ଜମି ମାଲିକ କ୍ଷେତ୍ର ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଜ ଜମି ଫେରସ୍ତ ନ ପାଇଲେ ବଲାଙ୍ଗିର ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୂତ ଦେବାକୁ ଜଣେ ବ୍ୟକ୍ତି ମତ ଦେଇଛନ୍ତି । କର ବନ୍ଧକି ରଖି ଜମି ହଡ଼ପ୍‌ କରିବାକୁ ଯୋଜନା କରୁଛନ୍ତି ଜଣେ ବ୍ୟକ୍ତି । ଏହି ମାମଲାରେ ଗୁହାରି କରି କରି ହାଲିଆ ହେବା ପରେ ବି ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ଭଳି ଏକ ସାଂଘାତିକ ଅଭିଯୋଗ ଆଜି ପହଂଚିଛି । ଆଗଲପୁର ଥାନା ଅଧୀନସ୍ଥ ଉପରବାହାଲ ଗ୍ରାମର କ୍ଷେତ୍ର ସାହୁ ଅଭିଯୋଗ କରିଛନ୍ତି ଯେ, ଗତ ୨୦୧୬ ଅକ୍ଟୋବର ମାସ ୨୨ ତାରିଖ ଦିନ ତାଙ୍କ ଗ୍ରାମର ବିଲାସ ଚିର୍‌ଗୁନଙ୍କ ପାଖରେ ତାଙ୍କ ଜମି କର ବନ୍ଧକି ଲଗାଇ ୪୮ ହଜାର ୫ ଶହ ଟଙ୍କା ଆଣିଥିଲେ । ଏତିକି ବେଳେ ସେ ଏକ ଷ୍ଟାମ୍ପ ପେପର୍‌ରେ ଲେଖିଦେଇଥିଲେ ଯେ, ଯଦି ସେ ୭ ବର୍ଷ ପର୍ଯ୍ୟନ୍ତ ଏହି ଟଙ୍କା ଫେରସ୍ତ ନ କରନ୍ତି ତେବେ ତାଙ୍କ ଜମି ବିଲାସ ଚିର୍‌ଗୁନଙ୍କ ନାମରେ ହୋଇଯିବ । ଏବେ ୭ ବର୍ଷ ପୂରିବାକୁ ଆଉ ମାତ୍ର ଗୋଟିଏ ମାସ ବାକି ରହିଥିବା ବେଳେ ୩ ମାସ ହେଲା ଜମି ମାଲିକ କ୍ଷେତ୍ର ବିଲାସ ଚିର୍‌ଗୁନ୍‌ଙ୍କୁ ଜମି ବନ୍ଧକି ଦେଇ ଆଣିଥିବା ସେହି ଟଙ୍କା ଫେରସ୍ତ କରିବାକୁ ଚେଷ୍ଟା କରୁଥିଲେ ବି ବିଫଳ ହୋଇଛନ୍ତି । ବିଲାସ ଚିର୍‌ଗୁନ୍‌ ନାନା ପ୍ରକାର ଆଳ ଦେଖାଇ ଟଙ୍କା ଗ୍ରହଣ କରୁନଥିବା ସେ ଅଭିଯୋଗ କରିଛନ୍ତି । ଏଥିପାଇଁ ସେ ଆଗଲ୍‌ପୁର ଥାନାର ଦ୍ୱାରସ୍ଥ ହୋଇଥିବା ସତ୍ୱେ ଥାନାରୁ କୌଣସି ସହଯୋଗ ନ ପାଇବାରୁ ସେ ବଲାଙ୍ଗିର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇ ନିଜ ସମସ୍ୟା କଥା ଜଣାଇଥିଲେ । ଏସ୍‌ପିଙ୍କ ଅଫିସ୍‌ରୁ ଆଗଲ୍‌ପୁର ଥାନାକୁ ଏହି ମାମଲାର ସମାଧାନ ପାଇଁ ନିର୍ଦ୍ଦେଶ ହୋଇଥିଲେ ବି ଆଗଲପୁର ଥାନା ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ନଥିବା ସେ ଅଭିଯୋଗ କରିଛନ୍ତି । ଏପରିକି ବିଲାସ ଚିର୍‌ଗୁନ୍‌ ଏକାଧିକ ଥର ଥାନାକୁ ଆସି ଥାନା ଅଧିକାରୀଙ୍କ ସହ କଥାବାର୍ତ୍ତା କରି ଆରାମରେ ଚାଲି ଯାଉଥିବା ସେ କହିଛନ୍ତି । ପୁଣି ଜମି ମାଲିକ କ୍ଷେତ୍ର ଗାଁର ସରପଞ୍ଚ ତଥା ଭଦ୍ରଲୋକଙ୍କ ଦ୍ୱାରା ମଧ୍ୟ ଏହି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ବିଲାସ ଚିର୍‌ଗୁନ୍‌ ନାନା ପ୍ରକାର ଆଳ ଦେଖାଇ ଟଙ୍କା ଗ୍ରହଣ କରୁନାହିଁ । ଆଉ ମାସେ କାଳ ଟାଳି ଦେବାକୁ ସେ ଚେଷ୍ଟା କରୁଥିବା କ୍ଷେତ୍ର କ୍ଷୋଭର ସହ କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଆଉ ପାଖାପାଖି ମାସେ ପରେ ଷ୍ଟାମ୍ପ ପେପର୍‌ର ଲେଖା ଅନୁସାରେ ବିଲାସ ଚିର୍‌ଗୁନ୍‌ଙ୍କ ନାମରେ ଏହି ଜମି ହୋଇଯିବ । ତେବେ ଜମି ହଡ଼ପ୍‌ କରିବା ପାଇଁ ବିଲାସ ଟଙ୍କା ଗ୍ରହଣ କରୁନଥିବା ଗାଁର ଭଦ୍ରଲୋକମାନେ ବି କହୁଛନ୍ତି । ଏବେ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ଜମି ମାଲିକ କ୍ଷେତ୍ର ସାହୁ । ସେ କହିଛନ୍ତି ଯେ, ଯଦି ନିଜ ଜମି ଫେରସ୍ତ ନ ପାଇବେ, ତେବେ ବଲାଙ୍ଗିର ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୂତ ଦେବି । ଏହି ମାମଲା ପ୍ରତି ବଲାଙ୍ଗିରର ଯୁବ ଏସ୍‌ପି ଶ୍ରୀ ଖିଲାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.