
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର କୋର୍ଟ ଶାଖା ସବ୍ ପୋଷ୍ଟ ଅଫିସ୍ ଦୀର୍ଘ ବର୍ଷରୁ କାର୍ଯ୍ୟ କରିଆସୁଛି । ତିନି ଦଶନ୍ଧି ପୂର୍ବେ ଜିଲ୍ଲା ମୁଖ୍ୟ ଡାକଘର ଜଙ୍ଗଲ ଡିଭିଜନ ଅଫିସ୍ ସମ୍ମୁଖକୁ ସ୍ଥାନାନ୍ତର ହେବା ପରେ କୋର୍ଟ ଶାଖା ସବ୍ ପୋଷ୍ଟ ଅଫିସ୍ ତହସିଲ କାର୍ଯ୍ୟାଳୟ ନିକଟସ୍ଥ ପୁରୁଣା ପୋଷ୍ଟ ଅଫିସ୍ ଠାରେ କାର୍ଯ୍ୟକ୍ଷମ ଥିଲା । ପୁରୁଣା ପୋଷ୍ଟ ଅଫିସ୍ କୋଠାକୁ ଭଙ୍ଗାଯାଇ ନୂତନ କୋଠା ନିର୍ମାଣ ପାଇଁ ଏହି କୋର୍ଟ ଶାଖା ସବ୍ ପୋଷ୍ଟ ଅଫିସ୍କୁ କଚେରୀ ଛକ ସ୍ଥିତ ପୂର୍ବ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା । ବଲାଙ୍ଗିର ତହସିଲଦାର କାର୍ଯ୍ୟାଳୟ ନିକଟସ୍ଥ ପୁରୁଣା ଡାକଘର କୋଠା ସ୍ଥାନରେ ନୂଆ କୋଠା ନିର୍ମାଣ ଶେଷ ହୋଇଛି । କିନ୍ତୁ ଏହାକୁ ପୂର୍ବ ସ୍ଥାନରେ କାର୍ଯ୍ୟକ୍ଷମ କରିବା ବଦଳରେ ମୁଖ୍ୟ ଡାକଘରକୁ ସ୍ଥାନାନ୍ତର କରିବା ପାଇଁ ଯୋଜନା ଚାଲିଥିବା ଜଣାପଡିଛି । ଏହି ଶାଖା ଡାକଘରର କେତେକ କାର୍ଯ୍ୟ ନୂଆ କୋଠାରେ କେବଳ କରାଯାଇ ଏହାକୁ ଜିଲ୍ଲା ମୁଖ୍ୟ ଡାକଘରରେ ମିଶ୍ରଣ କରାଯିବ । ଉଲ୍ଲେଖଯୋଗ୍ୟ ଯେ, ତହସିଲ କାର୍ଯ୍ୟାଳୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଏହି ଶାଖା ପୋଷ୍ଟ ଅଫିସ୍ ଥିବାରୁ କର୍ମଚାରୀଙ୍କ ସମେତ ଓକିଲ ଓ ମହକିଲ ଏହି ଶାଖା ଡାକଘରକୁ ଉପଯୋଗ କରୁଥିଲେ । ଜିଲ୍ଲା ମୁଖ୍ୟ ଡାକଘରରେ ମାତ୍ରାଧିକ ଭିଡ଼ ଯୋଗୁଁ ବଲାଙ୍ଗିର ସହର ବାସିନ୍ଦା ଏହି ଶାଖା ଡ଼ାକଘରରୁ ପୋଷ୍ଟ ଅଫିସ୍ ସମ୍ବନ୍ଧୀୟ ନିଜର ଦୈନନ୍ଦିନ କାର୍ଯ୍ୟ ତୁଲାଉଥିଲେ । ମୋଟ ଉପରେ ବଲାଙ୍ଗିର ସହରବାସୀ ଏହି ଶାଖା ଡାକଘରରୁ ସହଜରେ ଡାକ ସେବା ପାଇ ପାରୁଥିଲେ । ଏହାକୁ ତୁରନ୍ତ ନୂତନ କୋଠାରେ କାର୍ଯ୍ୟକ୍ଷମ କରିବା ପାଇଁ ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ବଲାଙ୍ଗିର ଜିଲ୍ଲାପାଳ ଓ ଡାକ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି ।