
କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଗତ ତିନିଦିନ ଧରି କନ୍ଧମାଳ ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ଯୋଗୁଁ ସମଗ୍ର ଜିଲ୍ଲାରେ ସ୍ଥିତି ଅସମ୍ଭାଳ ହୋଇ ପଡ଼ିଲାଣି । ସୂଚନା ଅନୁସାରେ, ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ସମସ୍ତ ଛୋଟବଡ଼ ନଦୀମାନଙ୍କରେ ଜଳସ୍ତର ବୃଦ୍ଧି ପାଇଥିବା ଯୋଗୁଁ ଏହାର ପ୍ରଭାବରେ ଜିଲ୍ଲାର ଫିରିଙ୍ଗିଆ, ଚକାପାଦ, ଖଜୁରିପଡ଼ା, କୋଟଗଡ଼, କ.ନୂଆଗାଁ ଭଳି ବିଭିନ୍ନ ବ୍ଲକର ଏକାଧିକ ପଂଚାୟତ ଏବେ ବାହ୍ୟ ଜଗତରୁ ସଂପୂର୍ଣ୍ଣ ଭାବେ ବିଛିନ୍ନ ହୋଇ ପଡ଼ିଛନ୍ତି । ସେହିଭଳି ଖୋଦ୍ ଫୁଲବାଣୀ ପୌର ପରିଷଦର ୨ନମ୍ବର ୱାର୍ଡ଼ ମଧ୍ୟ ବିଛିନ୍ନ ହୋଇପଡ଼ିଛି । ନଦୀଖଣ୍ଡି ସାହିରେ ଥିବା ଡ଼୍ୟାମରେ ଜଳସ୍ତର ବୃଦ୍ଧି ଯୋଗୁଁ ୨ନମ୍ବର ୱାର୍ଡ଼ର ଅଧିବାସୀମାନେ ବିଛିନ୍ନ ହୋଇ ପଡ଼ିଥିବା ବେଳେ ଜରୁରୀ ପରିସ୍ଥିତିରେ ସେମାନେ ଅନ୍ୟଏକ ରାସ୍ତାଦେଇ ଏବେ ଯାତାୟତ କରୁଥିବାର ଦେଖାଦେଇଛି । ବର୍ଷାର ପ୍ରଭାବରେ ଫୁଲବାଣୀ ପୌର ପରିଷଦ ଅନ୍ତର୍ଗତ ବିଭିନ୍ନ ସାହିର ଘରମାନଙ୍କରେ ପାଣି ପଶିଯାଇଥିବାର ମଧ୍ୟ ଖବର ମିଳିଛି । ବର୍ଷାର ପ୍ରଭାବରେ ଫୁଲବାଣୀ ବଜାର ସଂପୂର୍ଣ୍ଣ ଭାବେ ବନ୍ଦ ରହିଥିବାର ଦେଖାଦେଇଛି । ନଦୀମାନଙ୍କରେ ଜଳସ୍ତର ବୃଦ୍ଧି ଯୋଗୁଁ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପାଙ୍ଗା ଉପରସାହି ପଂଚାୟତର ୫ଟି ଗ୍ରାମ ସଂପୂର୍ଣ୍ଣ ଭାବେ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡ଼ିଛି । ବାଘ ନଦୀରେ ଥିବା ଏକ କାଠ ପୋଲ ବନ୍ୟା ଜଳରେ ଭାସି ଯାଇଥିବାରୁ ପରିସ୍ଥିତି ଏପରି ହୋଇଛି । ସେହିଭଳି କ୍ରାଣ୍ଡିବାଲି ପଂଚାତୟର ୧୦ନମ୍ବର ୱାର୍ଡ଼ର ୩୫ଟି ପରିବାର ଜଳବନ୍ଦୀରେ ଜୀବନ ବିତାଉଥିବା ଜଣାପଡିଛ । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଥିବା ସୂଚନା ପ୍ରକାରେ ସକାଳ ୮ଟା ସୁଦ୍ଧା ବାଲିଗୁଡ଼ା ବ୍ଲକରେ ୬୪ ମିମି ବର୍ଷା ହୋଇଥିବା ବେଳେ ଚକାପାଦ ବ୍ଲକରେ ୫୩ ମିମି, ଦାରିଙ୍ଗବାଡ଼ିରେ ୨୨ ମିମି, ଜି.ଉଦୟଗିରି ୪୦ ମିମି, ଖଜୁରିପଡ଼ାରେ ୩୯ ମିମି, କୋଟଗଡ଼ରେ ୪୬ ମିମି, କ.ନୂଆଗାଁରେ ୬୭.୪ ମିମି, ଫିରିଙ୍ଗିଆରେ ସର୍ବାଧିକ ୧୬୧.୬ ମିମି, ଫୁଲବାଣୀରେ ୮୦ ମିମି, ରାଇକିଆରେ ୬୨ ମିମି ଓ ଟିକାବାଲିରେ ୪୯ ମିମି ଏବଂ ତୁମୁଡ଼ିବନ୍ଧରେ ୩୦ ମିମି ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି । ତେବେ ବର୍ଷାର ପ୍ରଭାବରେ ଫୁଲବାଣୀ-ବାଲିଗୁଡ଼ାର ମୁଖ୍ୟ ରାସ୍ତା ବନ୍ଧଗଡ଼ ନିକଟରେ ଏକ ବିରାଟ ଗଛ ପଡ଼ିଯିବା ଫଳରେ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ହୋଇପଡ଼ିଥିଲା । ଖବର ପାଇଁ ଫିରିଙ୍ଗିଆ ଅଗ୍ନିଶମ ବାହିନୀ ପହଞ୍ଚି ରାସ୍ତା ଅବରୋଧ ହଟାଇଥିଲେ ।
