jayashree

ବଲାଙ୍ଗିର ଠାରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୪ ପାଳନ ଉପଲକ୍ଷେ ସଚେତନତା ସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୪ ଅକ୍ଟୋବର ୨୮ ତାରିଖ ଠାରୁ ଆରମ୍ଭ ହୋଇ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ପାଳିତ ହୋଇଯାଇଛି । ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୪ ପାଳନ ଉପଲକ୍ଷେ ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ବିଭାଗ ବଲାଙ୍ଗିର ଶାଖା ପକ୍ଷରୁ ସ୍ଥାନୀୟ ପତିତ ପାବନ ଏକାଡେମି ହଲ୍‌ ଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଡେପୁଟି କଲେକ୍ଟର ମମତା ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜନସାଧାରଣ ନିଜର ଦାୟିତ୍ଵ, କର୍ତ୍ତବ୍ୟ ଓ ଅଧିକାର ପ୍ରତି ସଚେତନ ହେଲେ ଦୁର୍ନୀତିକୁ ରୋକାଯାଇ ପାରିବ ଏବଂ ପ୍ରତ୍ୟେକ ସ୍ତରରେ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ଵାରୋପ କରିଥିଲେ । ସେହିପରି ସମାଜରୁ ଦୁର୍ନୀତି ରୋକିବାକୁ ହେଲେ ବ୍ୟାପକ ଜନସଚେତନତା ସହ ମାନସିକତାରେ ପରିବର୍ତ୍ତନ ଆଣିବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ଡି.ଏସ୍‌.ପି ଭିଜିଲାନ୍ସ, ବଲାଙ୍ଗିର ପୁଲସ୍ତି ଛତ୍ରିଆ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ସୂଚନା ଦେବା ସହ ଦୁର୍ନୀତି ନିବାରଣ ବିଭାଗ ବଲାଙ୍ଗିର ଶାଖା ପକ୍ଷରୁ ଦୁର୍ନୀତି ନିବାରଣ ସକାଶେ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ସୂଚନା ଯୋଗ୍ୟ ଯେ, ଦୁର୍ନୀତି ନିବାରଣ ବିଭାଗ, ବଲାଙ୍ଗିର ଶାଖା ରାଜ୍ୟ ସ୍ତରରେ ଶ୍ରେଷ୍ଠ ବିବେଚିତ ହୋଇ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୪ ରାଜ୍ୟସ୍ତରୀୟ ସମାରୋହରେ ପୁରସ୍କୃତ ହୋଇଛି । ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୪ ପାଳନ ଉପଲକ୍ଷେ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଓଡିଆ ଏବଂ ଇଂରାଜୀ ଭାଷାରେ ବକ୍ତୃତା ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତା ପ୍ରଥମେ ବ୍ଲକ ଓ ମ୍ୟୁନିସିପାଲିଟି ତଥା ଏନ୍‌.ଏ.ସି ସ୍ତରରେ କରାଯାଇ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀମାନେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଓଡିଆ ଏବଂ ଇଂରାଜୀ ଭାଷାରେ ବକ୍ତୃତା ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଅନୁଷ୍ଠିତ ସଚେତନତା ସଭାରେ ଅତିଥିମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ରୂପେ ଡ. ପ୍ରେମଚାନ୍ଦ ମହାନ୍ତି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ନିଜ ମନ୍ତବ୍ୟ ରଖିଥିଲେ । ପତିତ ପାବନ ଏକାଡେମିର ପ୍ରଧାନ ଶିକ୍ଷକ ସିନୁ ସୁନ୍ଦର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ନାଗରିକ କମିଟି, ବରିଷ୍ଠ ନାଗରିକ ଫୋରମର କର୍ମକର୍ତ୍ତା, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା, ସରକାରୀ ଅଧିକାରୀଙ୍କ ସମେତ ଦୁର୍ନୀତି ନିବାରଣ ବିଭାଗ, ବଲାଙ୍ଗିର ଶାଖାର କର୍ମଚାରୀ ମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.