ବିକାଶ ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏକ ଆଲୋଚନା ଚକ୍ର ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣା ବିକାଶ ଡିଗ୍ରୀ ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ନିର୍ଦ୍ଦେଶକ ଡି. ଶ୍ୟାମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭବାନୀପାଟଣା ସ୍ଥିତ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଚିତ୍ରାଙ୍କନ ପ୍ରତିଯୋଗିତା, ନିବନ୍ଧ ପ୍ରତିଯୋଗିତା, ପୋଷ୍ଟର ତିଆରି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ସହିତ ଆଲୋଚନା ଚକ୍ରରେ ଭାଗ ନେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ରାକେଶ କୁମାର ସାହୁ ଛାତ୍ରଛାତ୍ରୀ ମାନଙ୍କୁ ଚାପମୁକ୍ତ ହେବା ସମ୍ବନ୍ଧୀୟ ଜ୍ଞାନ କୌଶଳ ପ୍ରଦାନ କରିଥିଲେ । ଅନୁଷ୍ଠାନର ଅନ୍ୟତମ ନିର୍ଦ୍ଦେଶକ ଡି. ରାମ କୁମାର କର୍ମସ୍ଥଳରେ ଚାପମୁକ୍ତ ରହିବାର ବିଭିନ୍ନ ପଦ୍ଧତି ଉପରେ ଆଲୋକପାତ କରିଥିଲେ । ରେଣ୍ଡୋ ମାଝି ଭେଶଜି ମହାବିଦ୍ୟାଳୟ ଭବାନୀପାଟଣାର ଆସିଷ୍ଟାଣ୍ଡ ପ୍ରଫେସର ଡା. ପ୍ରବୀଣ କୁମାର ସାହୁ ବି.ଏସ୍‌.ସି ନର୍ସିଙ୍ଗ ବିଭାଗର ଛାତ୍ରଛାତ୍ରୀ ମାନଙ୍କୁ ମାନସିକ ଚାପ ଓ ଏହାର ନିରାକରଣ ଉପରେ ବିସ୍ତୃତ ଭାବେ ଜ୍ଞାନ କୌଶଳ ପ୍ରଦାନ କରିଥିଲେ । ହିମାଂଶୁ ଶେଖର ବାରିକ, ଏନ୍‌. ସି. ଡ଼ି ନେସନାଲ ହେଲଥ୍‌ ମିଶନ ହିମାଂଶୁ ଶେଖର ବାରିକ ମାନସିକ ଚାପ ମୁକ୍ତ ହେବାପାଇଁ ବିଭିନ୍ନ ସରକାରୀ ସଚେତନତା କାର୍ଯ୍ୟକ୍ରମ ଓ ନିଶୁଳ୍କ ଚିକିତ୍ସା ସମ୍ପର୍କରେ ଆଲୋଚନା କରିଥିଲେ । ଶ୍ରୀମତୀ ଭାରତୀ ବ୍ରହ୍ମ ଡି. ପି. ଏଚ୍‌. ଓ. ମଧ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇ ମାନସିକ ଚାପ ନିରାକରଣ ପାଇଁ ତାଙ୍କର ସୁଚିନ୍ତିତ ମତ ପ୍ରଦାନ କରିଥିଲେ । ଅନୁଷ୍ଠାନର ଶିକ୍ଷା ପ୍ରଭାରୀ ଶ୍ରୀମତୀ ଡି. ବିଜୟା ଓ ପରିଚାଳନା କମିଟି ସଦସ୍ୟା ଶ୍ରୀମତୀ ଡି. ପଦ୍ମିନୀ ଅତିଥିମାନଙ୍କୁ ଉପଢୌକନ ସ୍ମୃତି ଫଳକଦେଇ ସମ୍ମାନିତ କରିଥିଲେ । ଶେଷରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଦେଇ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ବି. ବି. ଏ, ବି. ସି. ଏ.ର ଅଧ୍ୟକ୍ଷ ଡ. ସୁଦୀପ୍ତ କୁମାର ଜେନା, ବି. ଏସ୍‌. ସି ବିଭାଗର ଅଧ୍ୟକ୍ଷ ଡ. ଆଦିତ୍ୟ ପଟ୍ଟନାୟକ ଏବଂ ଅଧ୍ୟାପକ ଓ ଅଧ୍ୟାପିକା ମାନେ କାର୍ଯ୍ୟକ୍ରମକୁ ସଫଳତା ପାଇଁ ସହଯୋଗ କରିଥିଲେ ।

Leave A Reply

Your email address will not be published.