ମୋ’ ଜଙ୍ଗଲ ଜମି ଯୋଜନା ସମ୍ବନ୍ଧୀୟ ଦ୍ଵି-ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବନଖଣ୍ଡ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ତଥା ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଭୁବନେଶ୍ୱରଙ୍କ ଆନୁକୁଲ୍ୟରେ ‘ମୋ’ ଜଙ୍ଗଲ ଜମି ଯୋଜନା’ ତଥା ଜଙ୍ଗଲ ଅଧିକାର ଆଇନ୍-୨୦୦୬ ସଂକ୍ରାନ୍ତୀୟ ଏକ ଦ୍ଵୀ-ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଗୌରବ ଶିବାଜୀ ଇଶଲୱାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ବନଖଣ୍ଡ ଅଧିକାରୀ, ଉପଜିଲ୍ଲାପାଳ ତଥା ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରମୁଖ ଜିଲ୍ଲାସ୍ତରୀୟ ଅଧିକାରୀ ଗଣ ଉପସ୍ଥିତ ଥିଲେ । ଏଥିସହିତ ଉକ୍ତ ଶିବିରରେ ବଲାଙ୍ଗିର ଜିଲ୍ଲାର ସମସ୍ତ ତହସିଲଦାର, ସମସ୍ତ ଜଙ୍ଗଲ ବିଭାଗୀୟ ଅଧିକାରୀ, ସମସ୍ତ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ସମସ୍ତ ତହସିଲ ସ୍ତରୀୟ ଜଙ୍ଗଲ ଅଧିକାର ଶାଖାର ସଂଯୋଜକ ଓ ସହାୟକ ମାନେ ଅଂଶଗ୍ରହଣ କରିଥିଲେ । ଅନୁସୂଚୀତ ଜାତି ଓ ଜନଜାତି ଗବେଷଣା ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଭୁବନେଶ୍ୱରରୁ ଆସିଥିବା ପ୍ରଶିକ୍ଷକ ମାନେ ‘ମୋ’ ଜଙ୍ଗଲ ଜମି ଯୋଜନା ତଥା ଜଙ୍ଗଲ ଅଧିକାର ଆଇନ୍-୨୦୦୬ର ଆବଶ୍ୟକତା, ଉପାଦେୟତା ଓ ଦାବୀ ଆବେଦନ ପ୍ରକ୍ରିୟା ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ ତଥା ପ୍ରଶିକ୍ଷାର୍ଥୀ ମାନଙ୍କ ଆଇନ୍ ଓ ଦାବୀ ପ୍ରକ୍ରିୟା ସମ୍ବନ୍ଧୀୟ ଦ୍ଵନ୍ଦର ପୁଙ୍ଖାନୁପୁଙ୍ଖ ଆଲୋଚନା ଓ ସମାଧାନ କରିଥିଲେ । ମୋ’ ଜଙ୍ଗଲ ଜମି ଯୋଜନାରେ ବ୍ୟକ୍ତିଗତ, ଗୋଷ୍ଠୀଗତ, ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର, ଜଙ୍ଗଲ ଓ ଅଣ ସର୍ବେକ୍ଷଣ ଗ୍ରାମକୁ ରାଜସ୍ୱ ଗ୍ରାମରେ ପରିବର୍ତ୍ତନର ପ୍ରକ୍ରିୟା ଗୁଡ଼ିକୁ ତ୍ୱରାନ୍ୱିତ କରି ଧାର୍ଯ୍ୟ ସମୟସୀମା ମଧ୍ୟରେ ଲକ୍ଷ ହାସଲ କରିବା ନିମନ୍ତେ ଜିଲ୍ଲାପାଳ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ପରାମର୍ଶ ଦେଇଥିଲେ । ବର୍ତ୍ତମାନ ସୁଧା ୩୮୭ ଗୋଟି ଗ୍ରାମରୁ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ଓ ବ୍ୟବହାରିକ ଅଧିକାର ପାଇଁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଗ୍ରାମ ସଭାରେ ପାରିତ କରି ଯୁଗ୍ମ ତଦନ୍ତ ପାଇଁ ରାଜସ୍ଵ ଓ ଜଙ୍ଗଲ ବିଭାଗ ପାଖକୁ ସୂଚନା ଦିଆଯାଇଛି । ତାକୁ ପ୍ରାଥମିକତା ଦିଆଯାଇ ପ୍ରଶାସନ ସହଯୋଗ କରିବ ବୋଲି ନିଷ୍ପତ୍ତି ନିଆଯାଇଥିଲା ।

Leave A Reply

Your email address will not be published.