ଆର ଆର କଲୋନୀ ସ୍କୁଲରେ ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ

  • “ପ୍ରତ୍ୟେକ ଶିଶୁ ଗୁଣାତ୍ମକ ଶିକ୍ଷା ପାଇବା ଦରକାର”

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂତନ ଶିକ୍ଷା ବର୍ଷ ୨୦୨୬-୨୭ ଆରମ୍ଭ ହୋଇଛି । ଜାତୀୟ ଶିକ୍ଷାନୀତି (ଏନଇପି) -୨୦୨୦ ଅନୁଯାୟୀ ଖୋଲାଯାଇଥିବା ଶିଶୁବାଟିକା ଶ୍ରେଣୀରେ ନାମଲେଖା ଓ ପିଲାମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମଗ୍ର ଶିକ୍ଷା ତରଫରୁ ସ୍ଥାନୀୟ ଆର ଆର କଲୋନୀ ସ୍କୁଲରେ ଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅତ୍ୟନ୍ତ ଉତ୍ସାହ ଓ ଆନନ୍ଦ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ନୂତନ ଭାବେ ବିଦ୍ୟାଳୟରେ ଭର୍ତ୍ତି ହୋଇଥିବା ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଜଣାଇ ସେମାନଙ୍କର ଶିକ୍ଷା ଜୀବନର ଶୁଭାରମ୍ଭ କରାଯାଇଥିଲା । ଖଡ଼ିଛୁଆଁ ଅବସରରେ ୨୦ଜଣ ଶିଶୁ ପ୍ରଥମେ ଅକ୍ଷର ଲେଖି ନିଜର ଶିକ୍ଷା ଯାତ୍ରାର ଆରମ୍ଭ କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ନିଜ ବକ୍ତବ୍ୟରେ ଶ୍ରୀମତୀ ସାହୁ ପ୍ରତ୍ୟେକ ଶିଶୁ ଗୁଣାତ୍ମକ ଶିକ୍ଷା ପାଇବା ଦରକାର ବୋଲି କହିବା ସହ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଶିଶୁମାନଙ୍କ ଜୀବନରେ ଏକ ନୂତନ ଆରମ୍ଭର ପ୍ରତୀକ ଓ ଏହା ସେମାନଙ୍କ ଶିକ୍ଷା ଯାତ୍ରାର ପ୍ରଥମ ପଦକ୍ଷେପ ଏବଂ ଏହାକୁ ସ୍ମରଣୀୟ କରିବା ପାଇଁ ସମସ୍ତଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି କହିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ନିଜ ବକ୍ତବ୍ୟରେ ଶିଶୁମାନଙ୍କ ଭବିଷ୍ୟତ ଗଢିବାରେ ଶିକ୍ଷକମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ ଅଭିଭାବକମାନଙ୍କୁ ମଧ୍ୟ ସେମାନଙ୍କ ସନ୍ତାନଙ୍କ ଶିକ୍ଷାପ୍ରତି ସଚେତନ ରହିବାକୁ ଓ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡା, ରୀନା କୁମାରୀ ବେହେରା, ସେବାଶ୍ରୀ ଭୋଇ, ବଲାଙ୍ଗିର ବ୍ଲକ ଶିକ୍ଷା ଅଧିକାରୀ ନୀଳମଣି ପଟେଲ, ଏବିଇଓ ସନ୍ଧ୍ୟାରାଣୀ ଧରୁଆ, ପ୍ରଧାନଶିକ୍ଷକ କିଶୋର ହନୁମାନ, ଡିଆଇଇଟିର ସିନିଅର ଟିଚର ଏଜୁକେଟର ଗଣେଶ ପ୍ରସାଦ ଜେନା, ଆରତୀ ସାହୁ, ପେଡାଗୋଜି ସଂଯୋଜିକା ମଧୁମିତା ଦାଶ ମଂଚାସୀନ ଥିଲେ । ଛୋଟ ପିଲାଙ୍କୁ ଆମୋଦ ପ୍ରମୋଦ ମଧ୍ୟରେ ଶିକ୍ଷା ଦେବା ପାଇଁ ତିନୋଟି ଥିମାଟିକ ଷ୍ଟେସନ କରାଯାଇଥିଲା । ସେଗୁଡିକ ମଧ୍ୟରେ ଖେଳକୁଦ ପାଇଁ ‘ଖେଳଘର’, କଳା ଓ ସୃଜନଶୀଳତା ପାଇଁ ‘ରଙ୍ଗ ପସରା’ ଏବଂ ଗଳ୍ପ ଶୁଣିବା ପାଇଁ ‘ଗପ ରାଇଜ’ ଖୋଲା ଯାଇଥିଲା । ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ପ୍ରତି ଆକର୍ଷିତ କରିବା ପାଇଁ ବିଭିନ୍ନ ସ୍ଲୋଗାନ, ଗୀତ ଓ ସଚେତନତା ବାର୍ତ୍ତା ପ୍ରସାରଣ କରିବା ପାଇଁ ଚଳିତ ମାସ ୧୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଶିକ୍ଷା ସଚେତନତା ରଥ ପରିକ୍ରମା କରିବ ।

Leave A Reply

Your email address will not be published.