ବଲାଙ୍ଗିର, (କେପିଏନ୍ଏସ୍) : ପବିତ୍ର ଚୈତ୍ର ପୂର୍ଣ୍ଣିମା ଦିନ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଦାଦରପାଲି (ଝରାପଡ଼ା) ଠାରେ କେଉଟ ମାନଙ୍କର ଇଷ୍ଟ ଦେବୀ ମା’ ବାସେଲୀଙ୍କର ୮୫ ତମ ବାର୍ଷିକ ପୂଜା ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ଜାତି ଗଙ୍ଗାର ପାଦ ଧୌତ କରି ପାଛୋଟି ଅଣାଯାଇଥିଲା । ପରେ ରୀତିନୀତି ଅନୁସାରେ ମା’ ବାସେଲୀଙ୍କୁ ଧୂପ, ଦୀପ, ନୈବେଦ୍ୟରେ ପୂଜା କରାଯାଇଥିଲା । ତତ୍ ପରେ ଘୋଡ଼ା ପୂଜା ଓ ନାବ ପୂଜା କରାଯାଇଥିଲା । ମା’ ଙ୍କ ପ୍ରସାଦ ସେବନ କରିବା ପରେ କୋଣ ଅନୁକୋଣରୁ ଆସିଥିବା ପାଖାପାଖି ୨୫୦୦ କେଉଟ୍ ସମାଜର ଭାଇ ଭଉଣୀମାନଙ୍କୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅଥିତି ଦାମୋଦର ନାଏକ ସଭାପତି ପଶ୍ଚିମ ଓଡ଼ିଶା କେଉଟ କୁଟୁମ୍ବ, ମୁଖ୍ୟବକ୍ତା ଦାଶରଥି ନାଏକ ଯୁଗ୍ମ ସଂପାଦକ ପଶ୍ଚିମ ଓଡ଼ିଶା କେଉଟ କୁଟୁମ୍ବ, ସମ୍ମାନିତ ଅତିଥି ମାଗୁଣି ନାଏକ ଉପସଭାପତି ବୌଦ୍ଧ ଜିଲ୍ଲା ଓ ସୋମନାଥ ସେଠ୍ ଏସ.ଡି.ଓ ବୀରମହାରାଜପୁର ବିଦ୍ୟୁତ୍ ବିଭାଗ କେଉଟ ଜାତିର ସର୍ବାଙ୍ଗୀନ ଉନ୍ନତି ପାଇଁ ମତାମତ ରଖିଥିଲେ । କଳା କ୍ଷେତ୍ରରେ ଗୋପାଳ ସେଠ୍ ଓ ଶ୍ରୀମତୀ କୁନ୍ତୀ ସାହୁଙ୍କୁ, ଚିତ୍ରକଳା କ୍ଷେତ୍ରରେ ଭରତ ମଲ୍ଲିକ, ଚିକିତ୍ସା କ୍ଷେତ୍ରରେ ଅମିତ୍ ମୁଦୁଲି ଏବଂ ସମାଜ ସେବା କ୍ଷେତ୍ରରେ ବିଷ୍ଣୁ ପଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ନବୋଦୟ ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରିଥିବା ଝରଣା ମାଝୀ, ହର୍ଷବର୍ଦ୍ଧନ ମଲ୍ଲିକ, ଅଭିଜିତ୍ ବିଶି ଓ ପ୍ରତ୍ୟୁଷ ନାଏକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାପତିତ୍ୱ କରିଥିଲେ ବିପିନ୍ ବାଗ ସଭାପତି ଉଲୁଣ୍ଡା ବ୍ଲକ । ପ୍ରକାଶ କୁମାର୍ ସେଠ୍ ଓଡ଼ିଆ ଅଧ୍ୟାପକ ବୀରମହାରାଜପୁର ମହାବିଦ୍ୟାଳୟ ତଥା ମୁଖ୍ୟ ଉପଦେଷ୍ଟା ପଶ୍ଚିମ ଓଡ଼ିଶା କେଉଟ କୁଟୁମ୍ବ ସଭା ପରିଚାଳନା କରିଥିଲେ ଏବଂ ହୃଦାନନ୍ଦ ବେହେରା ସଭାପତି ଝରାପଡ଼ା ତଥା ସମ୍ପାଦକ ଉଲୁଣ୍ଡା ବ୍ଲକ ଧନ୍ୟବାଦ୍ ଅର୍ପଣ କରିଥିଲେ । ଝରାପଡ଼ା ଗ୍ରାମର କଳାମାଣିକ ବେହେରା, ରାଧେଶ୍ୟାମ ମହାଳିକ, ଅଶୋକ ବାଗ, ଦଶରଥ ପାଣ୍ଡେ, ଶିବ ବାରିକ, ଶରତ ବାଗ, ସୁରେନ୍ଦ୍ର ତରିଆ, ସୌମିତ୍ରୀ ତରିଆଙ୍କ ସମେତ ଝରାପଡ଼ା ଗ୍ରାମବାସୀଙ୍କ ସହଯୋଗରେ ଏହି ଉତ୍ସବଟି ସଫଳ ହୋଇପାରିଥିଲା । ସଭାସାଙ୍ଗ ପରେ ଘୋଡ଼ାନାଚ ସହିତ ଏକ ବିରାଟ ଶୋଭାଯାତ୍ରାରେ ମାଆ ବାସେଲୀଙ୍କ ନଗର ପରିକ୍ରମା କରାଯାଇଥିଲା ।