• ୨୦,୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବନ୍ଧକମୁକ୍ତ ଋଣ ସହାୟତା ପାଇଁ କରିଛି ପରିକଳ୍ପନା
• ଏନସିଜିଟିସି ମାଧ୍ୟମରେ ୧୦୦% ଋଣ ଗ୍ୟାରେଣ୍ଟି
• ଏମଏସଏମଇ ଏବଂ ଅଣ-ଏମଏସଏମଇ ରପ୍ତାନିକାରୀ ଉଭୟଙ୍କୁ ଲାଭ ପହଞ୍ଚାଇବ
• ସିଜିଏସଇ ଭାରତୀୟ ରପ୍ତାନିକାରୀଙ୍କ ପାଇଁ ନଗଦ ଉପଲବ୍ଧତା, ବଜାର ବିବିଧତା, ନିଯୁକ୍ତି ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାକୁ ବୃଦ୍ଧି କରିବ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି ରପ୍ତାନିକାରୀଙ୍କ ପାଇଁ ଋଣ ଗ୍ୟାରେଣ୍ଟି ଯୋଜନା (ସିଜିଏସଇ) ଆରମ୍ଭ କରିବାକୁ ଅନୁମୋଦନ କରିଛି । ଏହା ନ୍ୟାସନାଲ୍ ଋଣ ଗ୍ୟାରେଣ୍ଟି ଟ୍ରଷ୍ଟି କମ୍ପାନୀ ଲିମିଟେଡ୍ (ଏନସିଜିଟିସି) ଦ୍ୱାରା ସଦସ୍ୟ ଋଣ ପ୍ରଦାନକାରୀ ସଂସ୍ଥା (ଏମଏଲଆଇ)କୁ ୧୦୦% ଋଣ ଗ୍ୟାରେଣ୍ଟି କଭରେଜ୍ ପ୍ରଦାନ କରିବ ଯାହା ଦ୍ୱାରା ଯୋଗ୍ୟ ରପ୍ତାନିକାରୀଙ୍କୁ ୨୦,୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଋଣ ସୁବିଧା ପ୍ରଦାନ କରାଯାଇପାରିବ । ରପ୍ତାନିକାରୀଙ୍କ ମଧ୍ୟରେ ଏମଏସଏମଇଗୁଡ଼ିକ ମଧ୍ୟ ସାମିଲ ରହିବେ ।
କାର୍ଯ୍ୟକାରିତା ରଣନୀତି ଏବଂ ଲକ୍ଷ୍ୟ :
ଆର୍ଥିକ ସେବା ବିଭାଗ (ଡିଏଫଏସ) ଜାତୀୟ ଋଣ ଗ୍ୟାରେଣ୍ଟି ଟ୍ରଷ୍ଟି କମ୍ପାନୀ ଲିମିଟେଡ୍ (ଏନସିଜିଟିସି) ମାଧ୍ୟମରେ ଏହି ଯୋଜନା କାର୍ଯ୍ୟକାରୀ କରିବ । ଏହାଦ୍ୱାରା ଏମ୍ଏଲ୍ଆଇଗୁଡ଼ିକ ଏମ୍ଏସ୍ଏମ୍ଇ ସମେତ ଯୋଗ୍ୟ ରପ୍ତାନିକାରୀଙ୍କୁ, ଅତିରିକ୍ତ ଋଣ ସହାୟତା ପ୍ରଦାନ କରିବାକୁ ସକ୍ଷମ ହୋଇପାରିବେ । ଡିଏଫ୍ଏସ୍ ସଚିବଙ୍କ ଅଧ୍ୟକ୍ଷତାରେ ଏକ ପରିଚାଳନା କମିଟି ଯୋଜନାର ପ୍ରଗତି ଏବଂ କାର୍ଯ୍ୟକାରିତା ତଦାରଖ କରିବ ।
ପ୍ରମୁଖ ପ୍ରଭାବ :
ଏହି ଯୋଜନା ଭାରତୀୟ ରପ୍ତାନିକାରୀଙ୍କ ବିଶ୍ୱସ୍ତରୀୟ ପ୍ରତିଯୋଗିତାକୁ ବୃଦ୍ଧି କରିବ ଏବଂ ନୂତନ ଓ ଉଦୀୟମାନ ବଜାରରେ ବିବିଧତାକୁ ସହଜ କରିବ ବୋଲି ଆଶା କରାଯାଉଛି । ସିଜିଏସଇ ଅଧୀନରେ ସଂପତ୍ତିମୁକ୍ତ ଋଣ ପ୍ରଦାନ କରି, ଏହି ଯୋଜନା ନଗଦ ଉପଲବ୍ଧତାକୁ ସୁଦୃଢ଼ କରିବ, ସୁଗମ ବ୍ୟବସାୟିକ କାର୍ଯ୍ୟ ସୁନିଶ୍ଚିତ କରିବ ଏବଂ ୧ ଟ୍ରିଲିୟନ ଆମେରିକୀୟ ଡଲାର ରପ୍ତାନି ଲକ୍ଷ୍ୟ ହାସଲ କରିବା ଦିଗରେ ଭାରତର ପ୍ରଗତିକୁ ସୁଦୃଢ଼ କରିବ । ଏହା ଆତ୍ମନିର୍ଭର ଭାରତ ଦିଗରେ ଦେଶର ଯାତ୍ରାକୁ ଆହୁରି ମଜବୁତ କରିବ ।