କୋଣାର୍କ : ମାଘ ସପ୍ତମୀରେ ଚନ୍ଦ୍ରଭାଗା ତୀର୍ଥରେ ତିନି ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇବା ଅନୁମାନ କରାଯାଉଛି । ଆଉ ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଉଛି । ଏନେଇ ମଙ୍ଗଳବାର ଅପରାହ୍ନରେ ଜିଲ୍ଲାପାଳ ସମର୍ଥ ବର୍ମା ଚନ୍ଦ୍ରଭାଗାରେ ବିଭିନ୍ନ ବିଭାଗ ପକ୍ଷରୁ ଚାଲିଥିବା କାର୍ଯ୍ୟର ଅନୁଧ୍ୟାନ କରିବା ସହିତ ସମୀକ୍ଷା କରିଛନ୍ତି । ସୁରକ୍ଷା ବ୍ୟବସ୍ଥା, ପରିମଳ, ପାନୀୟ ଜଳ, ତୀର୍ଥ ପୁଷ୍କରିଣୀ, ଯାନବାହାନ ନିୟନ୍ତ୍ରଣ ସମ୍ପର୍କରେ ଆଲୋଚନା କରିଥିଲେ । ମେଳାପଡିଆକୁ ଜିଗଜାଗ ବ୍ୟାରିକେଡ଼ରେ ଆବଦ୍ଧ କରାଯାଇଛି । ଫଳରେ ଶ୍ରଦ୍ଧାଳୁଙ୍କ ନିମନ୍ତେ ଏହା ସମସ୍ୟା ହେବ ବୋଲି କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ତୀର୍ଥ ପୁଷ୍କରିଣୀ ପାର୍ଶ୍ଵରେ ଶ୍ରଦ୍ଧାଳୁଙ୍କ ନିମନ୍ତେ ନିର୍ମାଣାଧୀନ ଅସ୍ତାୟୀ ଶୌଚାଳୟ ବୁଲି ଦେଖିଥିଲେ । ଏଥି ସହିତ ଜିଲ୍ଲାପାଳ ନବଗ୍ରହ ମନ୍ଦିର ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିଥିଲେ । ଜିଲ୍ଲାପାଳଙ୍କ ଏହି ଗ୍ରସ୍ତ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ, କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଶେଖ ସାଗିର ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ ।