- ଓଡ଼ିଶାର ୬୦୮୫ଟି ଯୋଗ୍ୟ ଗ୍ରାମପଞ୍ଚାୟତ ଏବଂ ୬୩ଟି ବ୍ଲକ୍ ପଞ୍ଚାୟତ ପାଇଁ ୨୪୦ କୋଟିରୁ ଅଧିକ ଟଙ୍କାର ଅନୁଦାନ ଆବଣ୍ଟନ କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ, (ପିଆଇବି) : ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ଓଡ଼ିଶା ସମେତ ତିନୋଟି ରାଜ୍ୟକୁ କେନ୍ଦ୍ର ସରକାର ପଞ୍ଚଦଶ ଅର୍ଥ ଆୟୋଗଙ୍କ ୨୮୪ କୋଟି ଟଙ୍କାର ଏକୀକୃତ ଅନୁଦାନ ଜାରି କରିଛନ୍ତି । ଗ୍ରାମୀଣ ସ୍ଥାନୀୟ ସଂସ୍ଥା ବା ଗ୍ରାମ ପଞ୍ଚାୟତ ଓ ବ୍ଲକ ପଞ୍ଚାୟତ ଗୁଡ଼ିକୁ ଆର୍ଥିକ ଦୃଷ୍ଟିରୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ଅନୁଦାନ ଜାରି କରାଯାଇଛି । ଓଡ଼ିଶାକୁ ୨୪୦.୮୧୪୯ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଏହି ଅର୍ଥରାଶି ରାଜ୍ୟର ୬୦୮୫ଟି ଯୋଗ୍ୟ ଗ୍ରାମପଞ୍ଚାୟତ ଏବଂ ୬୩ଟି ବ୍ଲକ୍ ପଞ୍ଚାୟତକୁ ଯୋଗାଇ ଦିଆଯାଇଛି । ଏହାବ୍ୟତୀତ ମିଜୋରାମକୁ ୧୪.୨୭୬୧ କୋଟି ଏବଂ ତ୍ରିପୁରାକୁ ୨୯.୭୫ କୋଟି ଟଙ୍କାର ଅନୁଦାନ ଆବଣ୍ଟନ କରାଯାଇଛି । ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ କିସ୍ତି ଏକୀକୃତ ଅନୁଦାନର ଅଂଶବିଶେଷ ଭାବେ ଏହି ଅର୍ଥରାଶି ଦିଆଯାଇଛି । ଭାରତ ସରକାର ପଞ୍ଚାୟତିରାଜ ମନ୍ତ୍ରଣାଳୟ ଏବଂ ଜଳ ଶକ୍ତି ମନ୍ତ୍ରଣାଳୟ ମାଧ୍ୟମରେ ଗ୍ରାମୀଣ ସ୍ଥାନୀୟ ସଂସ୍ଥା (ଆରଏଲବି)/ ପଞ୍ଚାୟତିରାଜ ପ୍ରତିଷ୍ଠାନ (ପିଆରଆଇ) ପାଇଁ ରାଜ୍ୟଗୁଡ଼ିକୁ ପଞ୍ଚଦଶ ଅର୍ଥ ଆୟୋଗ ଅନୁଦାନ ଜାରି କରିବାକୁ ସୁପାରିସ କରିଥା’ନ୍ତି । ଗୋଟିଏ ବର୍ଷରେ ୨ଟି କିସ୍ତି ଆକାରରେ ଏହି ଆବଣ୍ଟିତ ଅନୁଦାନ ସୁପାରିସ ଏବଂ ଜାରି କରାଯାଇଥାଏ । ସମ୍ବିଧାନର ଏକାଦଶ ସୂଚୀରେ ଉଲ୍ଲିଖିତ ଅଣତିରିଶ (୨୯) ବିଷୟ ଅଧୀନରେ ସ୍ଥାନ-ନିର୍ଦ୍ଦିଷ୍ଟ ଆବଶ୍ୟକତା ପାଇଁ ଆରଏଲବି / ପିଆରଆଇଗୁଡ଼ିକ ଏହି ଅନୁଦାନ ବ୍ୟବହାର କରିବେ । ତେବେ ଏହାକୁ ଦରମା ଏବଂ ଅନ୍ୟାନ୍ୟ ଖର୍ଚ୍ଚରେ ଉପଯୋଗ କରାଯିବ ନାହିଁ । ମୌଳିକ ସେବା ପାଇଁ ଅନୁବନ୍ଧିତ ଅନୁଦାନଗୁଡ଼ିକ ଉପଯୋଗ କରାଯାଇପାରିବ । ଏହି ସେବାଗୁଡ଼ିକରେ ସ୍ୱଚ୍ଛତା ଏବଂ ଖୋଲା ମଳମୁକ୍ତ ସ୍ଥିତିକୁ ବଜାୟ ରଖିବା, ଘରୋଇ ବର୍ଜ୍ୟବସ୍ତୁର ପରିଚାଳନା ଏବଂ ଉପଚାର, ବିଶେଷ କରି ମାନବ ମଳ ଏବଂ ପଙ୍କ ପରିଚାଳନା ସାମିଲ ରହିଛି । ଏହାବ୍ୟତୀତ ପାନୀୟ ଜଳ ଯୋଗାଣ, ବର୍ଷାଜଳ ଅମଳ ଏବଂ ଜଳ ପୁନଃଚକ୍ରଣକୁ ମଧ୍ୟ ଏଥିରେ ଅନ୍ତର୍ଭୂକ୍ତ ହେବା ଆବଶ୍ୟକ ।