କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧ୍ୟକ୍ଷା ମୋତି ବିହାରୀଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ପାଇଁ ସୋମବାର ୧୦ ଜଣ ସମିତି ସଭ୍ୟ ଓ ୯ ଜଣ ସରପଞ୍ଚ ଧର୍ମଗଡ଼ ଉପଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିଛନ୍ତି । ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହେବାପରେ ମୋତି ବିହାରୀ ନିୟମିତ ଭାବେ ବ୍ଲକ କାର୍ଯ୍ୟାଳୟକୁ ଆସୁ ନାହାନ୍ତି କିମ୍ବା ନିୟମିତ ଭାବେ ସମିତି ବୈଠକ ଆୟୋଜନ କରୁନାହାନ୍ତି । ଏପରିକି ବିଭିନ୍ନ ସମୟରେ ସମିତି ସଭ୍ୟ ସଭ୍ୟାଙ୍କ ପ୍ରସ୍ତାବକୁ ଲିପିବଦ୍ଧ କରୁନାହାନ୍ତି । ସରକାରୀ ଯୋଜନା ପାଇଁ ଆସୁଥିବା ଅର୍ଥର ଅପବ୍ୟବହାର ଏବଂ ଠିକା କାର୍ଯ୍ୟ ଗୁଡିକୁ ତାଙ୍କ ନିଜଲୋକଙ୍କ ମାଧ୍ୟମରେ କରି ଅର୍ଥ ଆତ୍ମସାତ କରୁଥିବା ସମିତି ସଭ୍ୟସଭ୍ୟାମାନେ ଅଭିଯୋଗ କରିଛନ୍ତି । ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀ ସମିତି ସଭ୍ୟସଭ୍ୟା ମାନଙ୍କୁ ଦୁର୍ବ୍ୟବହାର କରୁଥିବା ସହ ସେ ନିଜେ ଅଧ୍ୟକ୍ଷ ଭଳି କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି । ମୋଟ ୧୧ଟି ପଞ୍ଚାୟତ ବିଶିଷ୍ଟ କଲମପୁର ବ୍ଲକର ୧୦ ଜଣ ସମିତି ସଭ୍ୟ ଏବଂ ୯ ଜଣ ସରପଞ୍ଚ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ବ୍ଲକ ଅଧ୍ୟକ୍ଷା ମୋତି ବିହାରୀଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଉପଜିଲ୍ଲାପାଳ ଧୀମାନ ଚକମାଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।
Prev Post