ବଲାଙ୍ଗିର, (କେପିଏନ୍ଏସ୍) : ଦ୍ୱିତୀୟ ଦିନରେ ପହଂଚିଛି ଡ୍ରାଇଭର୍ମାନଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ । ସରକାରଙ୍କ ହିଟ୍ ଏଣ୍ଡ ରନ୍ ଆଇନକୁ ବିରୋଧ କରି ଡ୍ରାଇଭର୍ ସମୁଦାୟ ଆନ୍ଦୋଳନକୁ ଓହ୍ଲାଇବା ପରେ ଗମନା ଗମନ ବେଶ୍ ବାଧାପ୍ରାପ୍ତ ହୋଇଛି । ଏହି ଅବସରରେ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଡ୍ରାଇଭର୍ମାନେ ଧାରଣାରେ ବସିଥିବା ମଧ୍ୟ ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ସରକାରଙ୍କ ନୂଆ ହିଟ୍ ଏଣ୍ଡ ରନ୍ ଆଇନକୁ ବିରୋଧ କରି ବଲାଙ୍ଗିର ସହରରେ ୧୫୦ଟି ଘରୋଇ ବସ୍ ଚଳାଚଳ ଠପ୍ ହୋଇ ଯାଇଥିବା ବେଳେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସେହିଭଳି ମାଲ୍ ପରିବହନ ମଧ୍ୟ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି ।