୨ ଦଫା ଦାବୀ ନେଇ ଆନ୍ଦୋଳନକୁ ଓହ୍ଲାଇଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ବଲାଙ୍ଗିର ଜିଲ୍ଲା ଶାଖା ପକ୍ଷରୁ ୨ ଦଫା ଦାବୀ ନେଇ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଆରମ୍ଭ ହୋଇଛି ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନ । ସାରା ଓଡ଼ିଶାର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟ ସଂଘର ଡାକରା କ୍ରମେ ଆଜି ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନ କରାଯାଉଥିବା ବେଳେ ଗତ ୭ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ସଂଘର ସମସ୍ତ ସଦସ୍ୟ କଳାବ୍ୟାଚ୍‌ ପିନ୍ଧି ଦୁଇଟି ଦାବୀ ଉପସ୍ଥାପନ କରିଥିଲେ । ସମୂହ ଛୁଟିରେ ଥିବା ଆନ୍ଦୋଳନରତ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ପ୍ରଥମ ଦାବୀ ହେଉଛି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଶିକ୍ଷାଗତ ଯୋଗ୍ୟତା +୨ ବଦଳରେ +୩ କରାଯାଉ ଏବଂ ସେମାନଙ୍କ ଦରମା ସ୍କେଲକୁ ୨୧ ହଜାର ୭ ଶହରୁ ୩୫ ହଜାର ୪ ଶହକୁ ବୃଦ୍ଧି କରାଯାଉ । ଦ୍ୱିତୀୟ ଦାବୀ ହେଉଛି, ଆଇନତଃ ସେମାନଙ୍କ ୧୦ ବର୍ଷରେ ପଦୋନ୍ନତି ହେବା କଥା, କିନ୍ତୁ ଏହି ସୁବିଧାରୁ ସେମାନେ ବଂଚିତ ହେଉଛନ୍ତି । ତେଣୁ ସେମାନଙ୍କ ଚାକିରରେ ପଦୋନ୍ନତି ବ୍ୟବସ୍ଥା ରଖାଯାଉ । ତେବେ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ବଲାଙ୍ଗିର ଜିଲ୍ଲା ଶାଖାର ସଭାପତି ଶ୍ରୀୟାବଲ୍ଲଭ ପାଣିଗ୍ରାହୀ ଓ ସାଧାରଣ ସଂପାଦକ ଭୀକାରି କର୍ମୀ କହିଛନ୍ତି ଯେ, ରାଜ୍ୟ ସରକାର ସେମାନଙ୍କ ଦାବୀ ପୂରଣ ନ କରିବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଜାରି ରହିବ ।

Leave A Reply

Your email address will not be published.