ବୀମା, ଋଣଛାଡ଼, ବିଦ୍ୟୁତ୍‌ ବିଲ ଛାଡ଼ ଓ ଜିଲ୍ଲା ଘୋଷଣା ତୁରନ୍ତ କର ନଚେତ ଦୁର୍ବାର ଆନ୍ଦୋଳନ ହେବ : ରାଜବୋଡାସମ୍ବର କୃଷକ ସଂଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୀମା, ଋଣଛାଡ଼, ବିଦ୍ୟୁତ୍‌ ବିଲ ଛାଡ଼ ଓ ଜିଲ୍ଲା ଘୋଷଣା ତୁରନ୍ତ କର ନଚେତ ଦୁର୍ବାର ଆନ୍ଦୋଳନ ହେବ ବୋଲି ରାଜବୋଡାସମ୍ବର କୃଷକ ସଂଗଠନ ପକ୍ଷରୁ କୁହାଯାଇଛି । ଆହୁରି ମଧ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ବୀମା, ଇନ୍‌ପୁଟ, ବିଦ୍ୟୁତ୍‌ ବିଲ ଛାଡ଼ ଆଦି ପ୍ରମୁଖ ଦାବୀରେ ରାଜବୋଡା ସମ୍ବର କୃଷକ ସଂଗଠନର ଆନ୍ଦୋଳନ ୧୦୮ ଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପୂରଣ ହୋଇନାହିଁ । ଦାବୀଗୁଡିକ ଆଂଶିକ ପୂରଣ ହୋଇଛି । ୨୦୨୧ ଖରିଫ ଚାଷର ଫସଲବୀମା କ୍ରପ କଟିଙ୍ଗ ଆଧାରରେ ମିଳିବା କଥା କିନ୍ତୁ ମିଳିନାହିଁ ତେଣୁ ସଂଗଠନ ତରଫରୁ ଟିଏସି ରିପୋର୍ଟ ଆଧାରକୁ ସମ୍ପୂର୍ଣ୍ଣ ବିରୋଧ କରାଯାଉଛି । ସମଗ୍ର ବରଗଡ ଜିଲ୍ଲାରେ ୧ ଲକ୍ଷ ୭୦ ହଜାର ହେକ୍ଟର ଜମି ଫସଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ କେବଳ ୭୨ ହଜାର ହେକ୍ଟର ପାଇଁ ଇନ୍‌ପୁଟ ଟଙ୍କା ମିଳିଛି ଯାହା ସମୁଦ୍ରକୁ ଶଙ୍ଖେ ପାଣି ସହ ସମାନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଧାନ କିଣାବିକା ପ୍ରସଙ୍ଗରେ କଟନୀ ଛଟନୀ ହୋଇଥିଲେ ହେଁ ବରଗଡ ଜିଲ୍ଲାରେ ସର୍ବାଧିକ ୭୫ ଲକ୍ଷ ୨୦ ହଜାର କୁଇଣ୍ଟାଲ ଧାନ ବିକ୍ରି ହୋଇଥିବା ଏକମାତ୍ର ସଫଳତା । କୃଷି କ୍ଷେତ୍ରରେ ବିଦ୍ୟୁତ ବିଲ ପ୍ରସଙ୍ଗ ଚାଷୀଙ୍କ ପାଇଁ ଏକ ଉତ୍କଟ ସମସ୍ୟା ଧାରଣ କଲାଣି । ବିଭିନ୍ନ ସମୟରେ ବିଭିନ୍ନ ଗାଁରେ ଚାଷ ପାଇଁ ବିଦ୍ୟୁତ ବିଲ୍‌ ପୈଠ କରି ନ ପାରୁଥିବାରୁ ବିଲରେ ଚାଷ ଥାଇ ମଧ୍ୟ ବିଦ୍ୟୁତ୍‌ କାଟି ଦିଆଯାଉଛି । ଏଭଳି ଗମ୍ଭୀର ପ୍ରସଙ୍ଗରେ ଚାଷୀ ସଂଗଠନ ଗଭୀର ଉଦ୍‌ବେଗ ପ୍ରକାଶ କରି ଦେଉଳିର ଚାଷୀମାନଙ୍କ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଥିବା ପ୍ରସଙ୍ଗରେ ପଦ୍ମପୁର ଉପଖଣ୍ଡ ବିଦ୍ୟୁତ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଲୋଚନା କରିଥିଲେ । ଗମ୍ଭୀର ସମସ୍ୟାର ସମାଧାନ ପାଇଁ ସନ୍ତୋଷଜନକ ଉତ୍ତର ନ ମିଳିବାରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରି ବିଦ୍ୟୁତ କାର୍ଯ୍ୟାଳୟକୁ ତାଲାବନ୍ଦ କରି ଧାରଣା ଦେଇଥିବା ପରେ ଉପଖଣ୍ଡ ବିଦ୍ୟୁତ ଅଧିକାରୀ ପ୍ରତିଶ୍ରୁତି ଦେବା ପରେ ତାଲା ଖୋଲିଥିଲେ । ଏମିତି ସମସ୍ୟା ଅଞ୍ଚଳର ପ୍ରତ୍ୟେକ ଗାଁରେ ଦେଖିବାକୁ ମିଳୁଛି । ସରକାର ନିଜେ ବିଦ୍ୟୁତ୍‌ ବିଲକୁ ବହନ ନ କଲେ ଏ ଅଞ୍ଚଳର ଚାଷୀ ଚାଷ କରି ପାରିବେ ନାହିଁ ବୋଲି ମତପ୍ରକାଶ ପାଇଥିଲା । ସମ୍ପୂର୍ଣ୍ଣ ବିଦ୍ୟୁତ ବିଲ ଛାଡ଼, କୃଷିଋଣ ଛାଡ଼ ଦାବୀରେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା । ପ୍ରମୁଖ ଦାବୀ ମଧ୍ୟରୁ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରତିଶ୍ରୁତି ମିଳିଥିଲେ ହେଁ ଆଜି ପର୍ଯ୍ୟନ୍ତ ପ୍ରକ୍ରିୟାରେ ଦେଖିବାକୁ ମିଳି ନଥିବାରୁ ଆନ୍ଦୋଳନକାରୀଙ୍କୁ ସନ୍ତୋଷ କରି ପାରିନାହିଁ । ଆଶା କରାଯାଉଛି ମୁଖ୍ୟମନ୍ତ୍ରୀଙ୍କ ଆଗାମୀ ପଦ୍ମପୁର ଗସ୍ତ ସମୟରେ ଉପନିର୍ବାଚନରେ ଯାହା ଯାହା ପ୍ରତିଶ୍ରୁତି ଦେଇଥିଲେ ଘୋଷଣା କରି ତୁରନ୍ତ କାର୍ଯ୍ୟକାରୀ କରିବେ ନଚେତ ଆନ୍ଦୋଳନ ଜାରି ରହିବ ଓ ପ୍ରମୁଖ ଦାବୀ ପୂରଣ ଦିଗରେ ଦୁର୍ବାର ଆନ୍ଦୋଳନ କରିବାକୁ ସଂଗଠନ ଦୃଢ଼ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.

error: Content is protected !!