ରାଣୀବନ୍ଧର ପୁନଃରୁଦ୍ଧାର, ସୌନ୍ଦର୍ଯ୍ୟକରଣ ତଥା ସୁରକ୍ଷା ପାଇଁ ଆନ୍ଦୋଳନର ସଜବାଜ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଣୀବନ୍ଧର ପନଃରୁଦ୍ଧାର, ସୌନ୍ଦର୍ଯ୍ୟକରଣ ତଥା ସୁରକ୍ଷା ପାଇଁ ଆଜି ବଲାଙ୍ଗିର ସହରର ଚାରୋଟି ୱାର୍ଡ ୧୩, ୧୪, ୧୫ ଓ ୧୬ର ଜନସାଧାରଣ ଟିକ୍ରାପଡା ଗାନ୍ଧୀ ପାଠାଗାରର ସମ୍ପାଦକ ତଥା ପୂର୍ବତନ ନଗରପାଳ ପ୍ରଦୀପ ସାହୁଙ୍କ ଆବାହକତ୍ୱରେ ସ୍ଥାନୀୟ ଟିକ୍ରାପଡା ରାମଜୀ ମନ୍ଦିର ପ୍ରାଙ୍ଗଣରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସ୍ଥାନୀୟ ଜନସାଧାରଣ, ବୁଦ୍ଧିଜୀବୀ, ଆଇନଜୀବୀ, ଶିକ୍ଷାବିତ, ସମାଜସେବୀ, ପତ୍ରକାର ଆଲୋଚନାରେ ଅଂଶଗ୍ରହଣ କରି ସହରର ମଧ୍ୟ ଭାଗରେ ଅବସ୍ଥିତ ରାଣୀବନ୍ଧର ଦୁର୍ଗତି ପାଇଁ ଉଦ୍‌ବେଗ ପ୍ରକାଶ କରିବା ସହ ପୁନଃରୁଦ୍ଧାର ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ପ୍ରସ୍ତାବ ଦେଇଥିଲେ । ଉକ୍ତ ସଭାରେ ମନୋରଂଜନ ସାହୁ, ନାଗରିକ କମିଟି ସମ୍ପାଦକ ମଧୂସୁଦନ ନାୟକ, ଭଗବାନ ବଗର୍ତ୍ତି, ଶିବ ରଥ, ଗୋପବନ୍ଧୁ ପୁରୋହିତ, ନୀଳମଣି ମିଶ୍ର, ଆଇନଜିବୀ ଭବାନୀ ଶଙ୍କର ଶତପଥି, ଜିଲ୍ଲା ଓକିଲ ସଂଘ ସଭାପତି ବାସୁଦେବ ରଥ, ଗାନ୍ଧୀ ପାଠାଗାର ସଭାପତି ପ୍ରକାଶ ନେପାକ, ବିଜେଡି ନେତା ବିଧୁଭୂଷଣ ତ୍ରିପାଠୀ ପ୍ରମୁଖ ରାଣୀବନ୍ଧର ସୁରକ୍ଷା ତଥା ପୁନଃରୁଦ୍ଧାର ପାଇଁ ବିଭିନ୍ନ ପ୍ରସ୍ତାବମାନ ଦେଇଥିଲେ । ବିଭିନ୍ନ ସମୟରେ ରାଣୀବନ୍ଧ ପାଇଁ ଆସିଥିବା ଅନୁଦାନ ବାଟମାରଣା ହେବା ସହ ଅତି ନିମ୍ନମାନର କାର୍ଯ୍ୟ ଅର୍ଥ ତୋଷାରପାତ ହେବାର ଅଭିଯୋଗ ହୋଇଛି । ଜନସାଧାରଣଙ୍କ ସଚେତନତା, ଦୈନିକ ବଜାର ସବୁ ମଇଳାର ଡମ୍ପୟାଡ, ପ୍ରଶାସନର ଅବହେଳା, ଅସାମାଜିକ ବ୍ୟକ୍ତିମାନଙ୍କର ଆଡ୍ଡା ଏହି ବନ୍ଧର ଅଧୋଗତି ପାଇଁ ଦାୟୀ ବୋଲି ଆବାହକ ପ୍ରଦୀପ ସାହୁ ସୂଚନା ଦେଇଥିଲେ । ଉପସ୍ଥିତ ଜନସାଧାରଣ ଆଗାମୀ ଦିନରେ ଚାରୋଟି ୱାର୍ଡର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଡକାଯାଇ ଏକ ଏକ୍ସନ କମିଟି ଗଠନ ପାଇଁ ଜିଲ୍ଲାପାଳ, ମ୍ୟୁନିସିପାଲିଟି ଅଧ୍ୟକ୍ଷା, କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଭେଟି ଏହି ଆକ୍ସନ କମିଟିର ତଦାରଖରେ ରାଣୀବନ୍ଧର ଖନନ କିମ୍ବା ଅନ୍ୟ କାର୍ଯ୍ୟ ପାଇଁ ଆସିଥିବା ଅନୁଦାନ ରାଶି ବିନିଯୋଗ କରିବା ପାଇଁ ଅନୁରୋଧ କରିବା ସହ ବନ୍ଧର ସୌନ୍ଦର୍ଯ୍ୟକରଣ, ଏକ ଦଶାହ ଘାଟ ଓ କୋଠରୀ ସହ, ଆଲୋକୀକରଣ ପାଇଁ ସ୍ଥାନୀୟ ବିଧାୟକଙ୍କୁ ଦାବି ଜଣାଇବା ସହ ଅସମାଜିକ ବ୍ୟକ୍ତିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ଆରକ୍ଷୀ ଅଧିକାରୀଙ୍କୁ ଅନୁରୋଧ କରାଯିବାକୁ ପ୍ରସ୍ତାବମାନ ଗ୍ରହଣ କରାଯାଇଥିଲା ।

Leave A Reply

Your email address will not be published.