-ଅଟକିଲା ଟିକାକରଣ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସୋନପୁର ପଞ୍ଚାୟତର ମହିଳା ସ୍ୱାସ୍ଥ୍ୟକର୍ମୀ (ଏଏନଏମ) ବୁଲିଦେଇ ସାହୁଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଦୁର୍ବୁତ୍ତ ବାଟୁଳି ଖଡାରେ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏହି ଘଟଣାରେ ବ୍ଲକ ଅଞ୍ଚଳର ଅନ୍ୟ ୨୫ ପଞ୍ଚାୟତରେ ଥିବା ଉପ ସ୍ୱାସ୍ଥ୍ୟକେନ୍ଦ୍ରର ମହିଳା ସ୍ୱାସ୍ଥ୍ୟକର୍ମୀମାନେ ଏହାର ଘୋର ନିନ୍ଦା କରିବା ସହ ପ୍ରତିବାଦ ଜଣାଇ କାର୍ଯ୍ୟଛାଡ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସେମାନେ ବୁଧବାର ରହିଥିବା ଟିକାକରଣ କାର୍ଯ୍ୟକୁ ବନ୍ଦ ରଖିଥିଲେ । ଫଳରେ ଶିଶୁ, ଗର୍ଭବତୀ ଓ ପ୍ରସୂତୀଙ୍କୁ ଟିକାକାରଣରେ ବାଧାପ୍ରାପ୍ତ ହୋଇଛି । କାର୍ଯ୍ୟବନ୍ଦ ସମ୍ପର୍କରେ ମହିଳା ସ୍ୱାସ୍ଥ୍ୟକର୍ମୀମାନେ ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ସେଥିରେ ସେମାନେ ଉଲ୍ଲେଖ କରିଛନ୍ତି ଯେ ସରକାରୀ କାର୍ଯ୍ୟରେ ରହିଥିବାବେଳେ ସୋନପୁର ପଞ୍ଚାୟତ ମହିଳା ସ୍ୱାସ୍ଥ୍ୟକର୍ମୀ ବୁଲିଦେଇ ସାହୁଙ୍କୁ ଆକ୍ରମଣ କରାଯାଇଛି । ସେ ଗୁରୁତର ହୋଇ ଏମ୍ସରେ ଚିକିତ୍ସାଧୀନ ରହିଛନ୍ତି । ସରକାର ତାଙ୍କର ସମସ୍ତ ଖର୍ଚ୍ଚ ବହନ କରିବା ସହ ତାଙ୍କ ପରିବାରର ଦାୟିତ୍ୱ ନେବାକୁ କୁହାଯାଇଛି । ସେହିପରି ଯେଉଁ ଦୁର୍ବୁତ୍ତ ଆକ୍ରମଣ କରିଛନ୍ତି ତାଙ୍କ ବିରୋଧରେ ମଧ୍ୟ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବିରେ ଉଲ୍ଲେଖ କରାଯାଇଛି । ସେହିପରି କାର୍ଯ୍ୟରତ ସମସ୍ତ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ସରକାର ନୂଆ ନିୟମ ଆଣିବାକୁ ସେମାନେ ଦାବି କରିବା ସହ ଅନିର୍ଦ୍ଦିଷ୍ଟକାଳ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ସେମାନେ ଲିଖିତ ଆକାରରେ ଜଣାଇଛନ୍ତି । ତାଙ୍କ ଦାବି ପୂରଣ ନ ହେବା ଯାଏ ଏଭଳି ଆନ୍ଦୋଳନ ଚାଲିବ ବୋଲି କହିଛନ୍ତି । ମହିଳା ସ୍ୱାସ୍ଥ୍ୟକର୍ମୀ ଶୋଭାଯାତ୍ରାରେ ବାହାରି ଆହତ ହୋଇଥିବା ବୁଲିଦେଇ ସାହୁଙ୍କ ଆହତ ଚିତ୍ର ରହିଥିବା ବ୍ୟାନର ଧରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଇନଚାର୍ଜଙ୍କ ସମେତ ଦାରିଙ୍ଗବାଡି ଥାନା, ବିଡ଼ିଓ, ତହସିଲଦାରଙ୍କ କାର୍ଯ୍ୟାଳୟକୁ ଯାଇ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି । ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ବିଭାଗୀୟ ସଚିବ, ମନ୍ତ୍ରୀ ଆଦି ସମସ୍ତଙ୍କୁ ଚିଠି ମାଧ୍ୟମରେ ଜଣାଇଥିବା ମହିଳା ସ୍ୱାସ୍ଥ୍ୟକର୍ମୀ ସଙ୍ଘର ବ୍ଲକ ସଭାନେତ୍ରୀ ବିଦେଶିନୀ ଦାସ, ନର୍ମଦା ମହାରଣା, ନିରୁପମା ପ୍ରଧାନ ପ୍ରମୁଖ କହିଛନ୍ତି ।