ଗୋପବନ୍ଧୁଙ୍କ ହୃଦୟ ନିର୍ଝରଣୀରୁ ସଦା ଝରୁଥିଲା ସେବାର ଅମୃତ ଧାର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ମାନବସେବା, ତ୍ୟାଗ ଓ ସମାଜସେବାର ମୂର୍ତ୍ତିମନ୍ତ ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ହୃଦୟ ନିର୍ଝରଣୀରୁ ସଦା ସେବାର ଅମୃତ ଧାର ଝରୁଥିଲା ଓ ତାଙ୍କ ଭଳି ଦରଦୀ ମଣିଷ ବିଶ୍ଵରେ ବିରଳ ବୋଲି ଡେ଼ଲାଙ୍ଗ ଷ୍ଟେସନ ବଜାର ଶ୍ୟାମସୁନ୍ଦର ପାଠାଗାର ପରିସରରେ ଆୟୋଜିତ “ଗୋପବନ୍ଧୁଙ୍କ ସେବା ଓ ଆଜିର ସମାଜ” ସମ୍ପର୍କିତ ଆଲୋଚନା ଚକ୍ରରେ ଶିକ୍ଷାବିତ୍, ସାହିତ୍ୟିକ ଓ ସମାଜସେବୀମାନେ ମତବ୍ୟକ୍ତ କରିଛନ୍ତି । ଶ୍ୟାମସୁନ୍ଦର ପାଠାଗାରର ପ୍ରତିଷ୍ଠାତା ଶିକ୍ଷାବିତ୍ ସୁସାହିତ୍ୟିକ ସମାଜସେବୀ କାଶୀନାଥ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ଆଲୋଚନା ଚକ୍ରରେ ଗାନ୍ଧୀ ତତ୍ତ୍ଵ ପ୍ରଚାରକ ସୁସମାଜସେବୀ ଅନାମ ମଲ୍ଲିକ ସଭାପତିତ୍ୱ କରି ଗୋପବନ୍ଧୁଙ୍କ ନିର୍ମଳ ସେବା ଅତୁଳନୀୟ ଓ ତାହାର ପଟାନ୍ତର ନାହିଁ ବୋଲି କହିଥିଲେ । ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍, ସୁନାମଧନ୍ୟ ସୁସାହିତ୍ୟିକ ସନ୍ତୋଷ କୁମାର ମହାନ୍ତି ଗୋପବନ୍ଧୁଙ୍କ ରୂପଦେଇପୁର ବିଦ୍ୟାଳୟ ବାଲ୍ୟଶିକ୍ଷାର ଝଲକ ମାଧ୍ୟମରେ ପିଲାଦିନରୁ କିଭଳି ସେବା ମନୋବୃତ୍ତିର ପରିପ୍ରକାଶ ହେଉଥିଲା ସେ କଥାର ଆବେଗମୟ ଅବଚରଣ, ତାଙ୍କ କବିତ୍ୱ ପ୍ରତିଭା, ସ୍ୱାଭିମାନ ଗୁଣ, ଦୁଃଖୀରଙ୍କିଙ୍କ ପାଇଁ ସାହଯ୍ୟ ସେବା ଓ ସ୍ଵାଧୀନତା ସଂଗ୍ରାମ ପାଇଁ ଅବଦାନ ଆଦି ଅନେକ ମହନୀୟ ଗୁଣାବଳୀ ଉପରେ ଆଲୋକପାତ୍ କରି ପ୍ରତ୍ୟେକ ମଣିଷ ମାନବସେବାରେ ବ୍ରତୀ ହେବାକୁ ଆହ୍ୱାନ୍ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ଲକ୍ଷ୍ମୀ ନାରାୟଣ ପାଠୀ, ସୁରେଶ ମନ୍ତ୍ରୀ, ବ୍ୟଙ୍ଗ କବି ଶିକ୍ଷକ ଚନ୍ଦ୍ର ଶେଖର, ଆଇନଜୀବୀ ହୃଷିକେଶ ପାଢୀ, ବେରବୋଇ ଗାନ୍ଧୀ ସ୍ମୃତି କମିଟି ଉପସଭାପତି ସନ୍ତୋଷ ବିଶ୍ୱାଳ, ସଂସ୍କୃତିପ୍ରେମୀ ଶିକ୍ଷକ ଅଭୟ ଚରଣ ସାହୁ, ଦ୍ୱିତିକୃଷ୍ଣ ଜେନା ପ୍ରମୁଖ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ବିଭିନ୍ନ କବିତା, ଉଦାହରଣ ଓ ଟିପ୍ପଣୀ ମାଧ୍ୟମରେ ଗୋପବନ୍ଧୁଙ୍କ ସେବାର ଝଲକ କିପରି ପ୍ରତ୍ୟେକଙ୍କ ହୃଦୟରୁ ଉଦ୍ଭାସିତ ହେବ ଓ ସମାଜରେ ତାହା ବିଚ୍ଛୁରିତ ହେବ ସେ ସମ୍ବନ୍ଧରେ ପ୍ରତିଟି ମଣିଷ ଉପଲବ୍ଧି କରିବା ଅବଶ୍ୟମ୍ଭାବୀ ଓ ବର୍ତ୍ତମାନ ହିଁ ଏଥିପାଇଁ ପ୍ରକୃଷ୍ଟ ସମୟ ବୋଲି ବକ୍ତବ୍ୟରେ କହିଥିଲେ । କବୟିତ୍ରୀ ସୁସଂଯୋଜିକା ଜ୍ୟୋତ୍ସ୍ନାଯୟୀ ସ୍ଵାଇଁ କବିତା ୍ୱାଧ୍ୟମରେ ଧନ୍ୟବାଦ ଦେଇଥିଲେ । ପାଠାଗାରର ପ୍ରତିଷ୍ଠାତା ଶିକ୍ଷାବିତ୍ କାଶୀନାଥ ମହାପାତ୍ର ସହଯୋଗ ପାଇଁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.