ସବୁଦିନ ପାଇଁ ଅମର ରହିଲେ ନିମାଇଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଶଲି ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟକୁ ନେଇ ପ୍ରଚଣ୍ଡ ସ୍ୱାଭିମାନର ସହ ବଂଚୁଥିଲେ ନିମାଇଁ ଚରଣ ପାଣିଗ୍ରାହୀ । ତାଙ୍କ ଦେହାନ୍ତ କୋଶଳ ଅଂଚଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ବଲାଙ୍ଗିର ସହର ନିକଟସ୍ଥ ସିନ୍ଦୁରବାହାଲ ତାଙ୍କ ପୈତୃକ ଗ୍ରାମ ହୋଇଥିଲେ ବି ବଲାଙ୍ଗିର ଆର୍‌ଟିଓ ଛକରେ ଥିବା ତାଙ୍କ ‘କୋଶଲ କୁର୍‌ମା’ରେ ସେ ସପରିବାର ଦୀର୍ଘ ଦିନରୁ ରହି ଆସୁଥିଲେ । କୋଶଲି ଭାଷା, ସାହିତ୍ୟ, ସଂସ୍କୃତି, ଲୋକ ପରମ୍ପରାର ଜଣେ ମାହିର ସାଧକ ହେଉଛନ୍ତି ନିମାଇଁ ଚରଣ ପାଣିଗ୍ରାହୀ । ଆମ ଅଂଚଳରେ ହଜି ହଜି ଯାଉଥିବା ସଂସ୍କୃତି, ପରମ୍ପରା ତଥା ଐତିହ୍ୟ ସଂପନ୍ନ ସାମଗ୍ରୀଗୁଡ଼ିକୁ ସାଇତି ରଖି ଆଗାମୀ ପିଢ଼ିକୁ ପରସି ଦେବାର ପ୍ରଚେଷ୍ଟାରେ ବ୍ରତୀ ହୋଇ ନିମାଇଁ ଆରମ୍ଭ କରିଛନ୍ତି କୋଶଲି ଲାଇବ୍ରେରି, କୋଶଲି ସଂଗ୍ରହାଳୟ । ପୁରୁଖା ଲୋକଙ୍କ ପାଟିରୁ ଶୁଣି ଲେଖି କୋଶଲି ଭାଷା ସାହିତ୍ୟକୁ ନିମାଇଁ ଦେଇଛନ୍ତି ଚାରିଖଣ୍ଡ ପୁସ୍ତକ ‘ଖମ୍‌ଖମାଲୋ’, ‘କୋଶଲି ଖେଲ୍‌କୁଦ୍‌’, ‘କୋଶଲି ବଖାନି’ ଓ ‘କୋଶଲି କଥାନି’ । ଆସ୍‌ବାର ୧୧ ତାରିଖ୍‌ ଦିନେ ନିମାଇଁ ଚରଣ ପାଣିଗ୍ରାହୀଙ୍କ ପଞ୍ଚ ପୁସ୍ତକ ‘କୋଶଲି ଗୀତା’ ପ୍ରକାଶିତ ହେବାର କାର୍ଯ୍ୟକ୍ରମ ରହିଥିଲା । ଅଥଚ ଏହା ପୂର୍ବରୁ ନିମାଇଁ ଇହଜଗତ ଛାଡ଼ି ଚାଲିଗଲେ । ସବୁବେଳେ ବିନ୍‌ଦାସ୍‌ ଜୀବନ ବଂଚୁଥିବା ନିମାଇଁଙ୍କ ଅକାଳ ବିୟୋଗ କୋଶଲି ସାହିତ୍ୟ ଜଗତରେ ତଥା ସାରା ବଲାଙ୍ଗିର ଜିଲ୍ଲାରେ ଶୋକର ଛାୟା ଖେଳାଇ ଦେଇଛି । ଆଜି ଅପରାହ୍ନରେ ତାଙ୍କ ପାର୍ଥିବ ଶରୀର ଆର୍‌ଟିଓ ଛକରେ ଥିବା ତାଙ୍କ ବାସଭବନକୁ ଅଣାଯିବା ପରେ ବହୁ ଜ୍ଞାନୀଗୁଣି ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଛନ୍ତି । ପ୍ରଫେସର ମଧୁସୂଦନ ପତି, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଗାଳ୍ପିକା ଗାୟତ୍ରୀ ସରାଫ, ସନାତନ ଠାକୁର, ଚିତ୍ତରଂଜନ ଦାଶ, ପଶୁକବି ସୁଶୀଲ ମିଶ୍ର, ଗୋପାଳ ପ୍ରଧାନ, ଶୁଭେନ୍ଦ୍ର ନେପାକ, ମନୋଜ ପୂଜାରୀ, ଗୋପୀନାଥ ଦଣ୍ଡସେନାଙ୍କ ସମେତ ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଂଜଳି ଜଣାଇଛନ୍ତି ।

Leave A Reply

Your email address will not be published.