ଆମ ଓଡିଶା ନବୀନ ଓଡିଶା ଯୋଜନାରେ ସରପଞ୍ଚ ଓ ଜନ ପ୍ରତିନିଧିମାନଙ୍କୁ ସାମିଲ ପାଇଁ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ : ରାଷ୍ଟ୍ରୀୟ ଗ୍ରାମ ପ୍ରଧାନ, ସରପଞ୍ଚ ରାଜ୍ୟ ସଂଗଠନର ସ୍ୱାଗତ
ବ୍ରହ୍ମପୁର, (କେପିଏନ୍ଏସ୍) : ଆମ ଓଡ଼ିଶା ନବୀନ ଓଡ଼ିଶାକୁ ନେଇ ହାଇକୋର୍ଟଙ୍କ ବଡ ନିର୍ଦ୍ଦେଶ ସାମ୍ନାକୁ ଆସିଛି । ସରପଞ୍ଚ ଓ ଜନପ୍ରତିନିଧିଙ୍କୁ ସାମିଲ କରାଯାଉ ବୋଲି ହାେଇାର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି । ଯୋଜନାରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଦିଆଯାଉଛି । କିନ୍ତୁ ସରପଞ୍ଚ ଓ ଜନ ପ୍ରତିନିଧିମାନଙ୍କୁ ଏହାଠାରୁ ଦୂରେଇ ରଖି ସରକାର ବିଡିଓମାନଙ୍କ ଜରିଆରେ ଏହି ଯୋଜନା କାର୍ଯ୍ୟକାରୀ କରାଉଥିଲେ । ଯାହା ଫଳରେ ସାରା ଓଡିଶାର ସରପଞ୍ଚମାନେ ଏକାଠି ହୋଇ ଏହାର ପ୍ରତିବାଦ କରିବା ସହିତ ରାଜରାସ୍ତାକୁ ଓଲ୍ଲାଇଥିଲେ । ଏପରିକି ଏହି ଯୋଜନାରେ ସରପଞ୍ଚମାନଙ୍କୁ ସାମିଲ କରିବାକୁ ନେଇ ହାଇକୋର୍ଟରେ ସରପଞ୍ଚ ଓ ଜନପ୍ରତିନିଧିମାନେ ଆବେଦନ କରିଥିଲେ । ଆବେଦନ ସପକ୍ଷରେ ଯାଇ ହାଇକୋର୍ଟ ଆମ ଓଡିଶା ନବୀନ ଓଡିଶା ଯୋଜନାରେ ସରପଞ୍ଚ ଓ ଜନ ପ୍ରତିନିଧିମାନଙ୍କୁ ସାମିଲ କରିବା ନେଇ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ରାୟ ଆଜି ପ୍ରକାଶ ପାଇଛି । ମାନ୍ୟବାର ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ରାଷ୍ଟ୍ରୀୟ ଗ୍ରାମପ୍ରଧାନ, ସରପଞ୍ଚ ସଂଗଠନ ସ୍ୱାଗତ କରିବା ସହିତ ମାନ୍ୟବର ହାଇକୋର୍ଟଙ୍କ ରାୟ ସରପଞ୍ଚ ଓ ଜନ ପ୍ରତିନିଧିମାନଙ୍କ ଅସଲ ବିଜୟ ବୋଲି ସଂଗଠନର ରାଜ୍ୟ ସଭାପତି ରବି ରଥ ଓ ସଂପାଦକ ଡା. ରାଜାରାମ ଷଡଙ୍ଗୀ କହିଛନ୍ତି ।