ଆଧୁନିକ ନାଟକର ବାର୍ତ୍ତାବହ କାଳୀଚରଣ ପଟ୍ଟନାୟକ ଓ ରକ୍ତମାଟି ସଂପର୍କରେ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ୧୨୫ତମ ଜନ୍ମ ବାର୍ଷିକୀ ଅବସରରେ ଆୟୋଜିତ ଆଲୋଚନାଚକ୍ର ‘ଆଧୁନିକ ନାଟକର ବାର୍ତ୍ତାବହ କାଳୀଚରଣ ପଟ୍ଟନାୟକ ଓ ନାଟକ ରକ୍ତମାଟି’ ସେକ୍ଟର ୭ ସ୍ଥିତ ଇସ୍ପାତ ସାହିତ୍ୟ ସଂସଦ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରୟାସର ମୁଖ୍ୟ ନିବେଦିତା ଜେନାଙ୍କ ଆବାହକତ୍ୱ ଓ ସଂଯୋଜନା ତଥା ଡ. ସମର ମୁଦାଲିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଆଲୋଚନାଚକ୍ରରେ ଆଲୋଚକ ଭାବେ ଡ. ପ୍ରଭାତ କୁମାର ମଲ୍ଲିକ, ପ୍ରଫେସର ପାରେଶ୍ୱର ବିଶ୍ୱାଳ, ନାଟ୍ୟକାର ଭାସ୍କର ଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

ଆଲୋଚକମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ନାଟକର କୌଣସି ଭାଷା ନଥାଏ । କବିଚନ୍ଦ୍ର କାଳୀଚରଣ ଗୁଣାତ୍ମକ ନାଟକ ରଚନା କରିଥିବା ବେଳେ ଓଡିଶା ଥିଏଟର ସ୍ଥାପନ କରି ମଞ୍ଚ ନାଟକ କ୍ଷେତ୍ରରେ ବିପ୍ଲବ ସୃଷ୍ଟି କରିଥିଲେ । ତାଙ୍କର ମୁଖ୍ୟ ବୈଶିଷ୍ଟ୍ୟ ଥିଲା ପାତ୍ରୋଚିତ ସଂଳାପ, ଯୁଗ ରୂଚି ଅନୁଯାୟୀ ଚରିତ୍ର ଚିତ୍ରଣ, ଚଳନ୍ତି ସମାଜର ସମସ୍ୟାକୁ ନେଇ ନାଟକ ରଚନା, ସଫଳ ସଂଗୀତ ସଂଯୋଜନା, ମଂଚରେ ନାରୀ ଭୂମିକାରେ ନାରୀଙ୍କୁ ଅବତୀର୍ଣ୍ଣ, ମଂଚର ପରିବର୍ତ୍ତନ ଓ ଅନ୍ତଦୃଶ୍ୟ ତଥା ବହିଃଦୃଶ୍ୟ ପ୍ରଚଳନ । ସେ ଥିଲେ ନାଟକରେ ଆଗାମୀ ଯୁବପିଢି ପାଇଁ ବାର୍ତ୍ତାବହ ଓ ଅନୁଭୂତି ସଂପନ୍ନ ବ୍ୟକ୍ତିତ୍ୱ । ପ୍ରାରମ୍ଭରେ ଆବାହକ ଶ୍ରୀମତୀ ଜେନା ଆଲୋଚନାଚକ୍ରର ଆଭିମୁଖ୍ୟ ସହ ଅତିଥିଙ୍କ ପରିଚୟ ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ନାଟକ ସହ ସଂପୃକ୍ତ ଥିବା ବ୍ୟକ୍ତି ବିଶେଷମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.